
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଖ୍ୟ ଡାକ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରାଯାଇଛି। ତାଙ୍କ ନାଁ କେଦାର ପାତ୍ର (୩୨)। ତାଙ୍କ ଘର ଭେଜିପୁଟରେ। ତାଙ୍କ ଶରୀରର କାନ, ନାକ, ବେକ ଓ ପିଠିରେ କ୍ଷତ ଚିହ୍ନ ରହିଛି।
କେଦାର ଭଞ୍ଜନଗର ସ୍ଥିତ ଏଲ୍ଆଇସି କାର୍ଯ୍ୟାଳୟ ନିକଟରେ ଫୁଟ୍ପାଥ୍ରେ ପୋଷାକ ବ୍ୟବସାୟ କରୁଥିଲେ। କିଛି ଦିନ ତଳେ ସ୍ତ୍ରୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଶ୍ୱଶୁର ଘର ଲୋକଙ୍କ ସହିତ ବି ତାଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ପରେ କେଦାରଙ୍କ ସ୍ତ୍ରୀ ଦୁଇ ଝିଅଙ୍କୁ ଧରି ତାଙ୍କ ବାପ ଘରକୁ ପଳାଇଥିଲେ। କେଦାରଙ୍କ ଶ୍ୱଶୁର ଘର କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟ ଗଦାପୁରରେ।
୨୪ ତାରିଖ ସକାଳେ କେଦାର ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଦେଖା କରିବା ପାଇଁ ଗଦାପୁର ଯାଇଥିଲେ। ସେ ଗଦାପୁର ଯାଇଥିବା ନେଇ ସେହି ଦିନ ସନ୍ଧ୍ୟାରେ ତାଙ୍କ ଭାଇ ପୂର୍ଣ୍ଣ ପାତ୍ରଙ୍କୁ ମଧ୍ୟ ସୂଚନା ଦେଇଥିଲେ। ଏପରିକି ୨୬ ତାରିଖ ସକାଳେ କେଦାରଙ୍କ ଜଣେ ସାଙ୍ଗ ମଧ୍ୟ ତାଙ୍କୁ ଗଦାପୁରରେ ଦେଖିଥିବା କଥା ପୂର୍ଣ୍ଣ ପାତ୍ରଙ୍କୁ କହିଥିଲେ।
ତେବେ ଗତକାଲି ରାତିରେ ଭଞ୍ଜନଗର ମୁଖ୍ୟ ଡାକ କାର୍ଯ୍ୟାଳୟ ସମ୍ମୁଖରେ କେଦାର କ୍ଷତବିକ୍ଷତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। କେଦାରଙ୍କ ଭାଇ ପୂର୍ଣ୍ଣ ପାତ୍ର ତାଙ୍କୁ ସେଠାରୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେଦାରଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରି ପୂର୍ଣ୍ଣ ପାତ୍ର ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2LC75Ey
No comments:
Post a Comment