
ଅନୁଗୋଳ (ବିରଜା ପ୍ରସାଦ ଦାଶ): ପିକ୍ନିକ୍ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏ ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ନିକଟରେ।
କେନ୍ଦ୍ରାପଡ଼ା ଜିଲ୍ଲାର ଠାକୁରହାଟ ଅଞ୍ଚଳର ପ୍ରାୟ ୬୦ ଜଣ ଲୋକ ମଣିଶିବ ନାମକ ଏକ ଘରୋଇ ବସ୍ରେ ରାଉରକେଲାର ବେଦବ୍ୟାସକୁ ପିକ୍ନିକ୍ କରିବାକୁ ଯାଉଥିଲେ। ସେମାନେ ଗତକାଲି ରାତି ପ୍ରାୟ ୮ଟା ବେଳେ ଯାତ୍ରା ଆରମ୍ଭ କରିଥିଲେ। ତେବେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୧୪୯ ନମ୍ବର ଜାତୀୟ ରାଜପଥରେ ଗୋତମରା ନିକଟରେ ଏକ ଟ୍ରକ୍ ସହିତ ବସ୍ଟିର ମୁହାଁମୁହିଁ ଧକ୍କା ହୋଇଥିଲା।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଲକ୍ଷ୍ମୀ ନାରାୟଣ ବିଷୋୟୀ କହିଛନ୍ତି, ୩୩ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ଡାକ୍ତରଖାନାରେ ଆଡ୍ମିଟ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଟକ ପଠାଯିବ। ଅନ୍ୟ ଆହତମାନଙ୍କ ଅବସ୍ଥା ସ୍ଥିର ରହିଛି।
ମନୋରଞ୍ଜନ ପାତ୍ର ନାମକ ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ବସ୍ରେ ଥିବା ୬୦ ଜଣ ଯାତ୍ରୀଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୧୫ ଜଣ ଶିଶୁ ଥିଲେ।
ଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଯାତ୍ରୀଙ୍କ କହିବା ଅନୁଯାୟୀ ବସ୍ଟି ଏକ ଗାଡ଼ିକୁ ଓଭରଟେକ୍ କରି ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2VabGCc
No comments:
Post a Comment