ମୋର ବୋଲି ….ଦେଲି, ମୋର ବୋଲି ଚୋରାଇ ନେଲି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ମୋର ବୋଲି ….ଦେଲି, ମୋର ବୋଲି ଚୋରାଇ ନେଲି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିବା ପରେ ଆପଣଙ୍କ ଭଳି ଆମେ ବି ଖୁସି ହୋଇ ଯାଇଥିଲୁ। ଭାବିଥିଲୁ ରାଜଧାନୀର ଚିତ୍ର ଆଉ ଚିରିତ୍ର ବଦଳିଗଲା।

ସତରେ ଆମେ କେଡେ ଭାଗ୍ୟବାନ୍‌ କହିଲେ ଦେଖି, ଆମ ଜେଜ ତାଙ୍କ ଦେହକରେ ଯାହା ଦେଖି ନ ଥିଲେ ଆମେ ସେ ସବୁକୁ ଆଜି ପ୍ରତ୍ୟକ୍ଷ କରୁଛୁ, ଯାହା ଦେଖି ଉପରେ ଜଜେ ବୁଢା ନିଜକୁ କୃତାର୍ଥ ମନେ କରୁଥିବେ। ଆମ ଭଳି ଯୋଗଜନ୍ମା ଦାୟାଦ ପାଇଁ ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେଉଥିବେ।

ଯୋଉ ଗାଁରେ ଦିନେ ଟେଲିଫୋନ୍‌ ନ ଥିଲା ସେ ଗାଁର ପ୍ରତି ଘରେ ଏବେ ଗୋଡି ପକେଇଲେ ୨ ବା ତତୋଧିକ ମୋବାଇଲ୍‌ ଫୋନ୍‌ ବାହାରିବ। ଯୋଉ ଫଟ‍ଫଟିଆ କଥା ଅକ୍ଷୟ ମହାନ୍ତି ଦିନେ ନିଜ ଗୀତ(ଭୁବନେଶ୍ୱର କିରାଣି ବର ମାଗୁଛି ଫଟଫଟିଆ…)ରେ ଜଣେ ଯୋଗ୍ୟ ବରପାତ୍ରର ଦାବି ବୋଲି ଅବିହିତ କରିଥିଲେ ସେଇ ଫଟଫଟିଆର ପ୍ରକମ୍ପନରେ ଆଜି ସାରା ଭୁବନେଶ୍ୱର ଫାଟିପଡୁଛି। ପାଠୁଆ, ଅପାଠୁଆ, ରାଧୁଆ ଆଉ ରାଧାମାଧମ ନାମଧାରି ଯୁବକମାନଙ୍କ ଶ୍ରୀହସ୍ତରେ ଏବେ ବାଇକ୍‌ ଶୋଭାୟମାନ କରୁଛନ୍ତି। ବଡ ବଡ଼ ସର୍ପି ମଲ୍‌, ବିଭିନ୍ନ କ୍ଷେତ୍ରରେ ଅନ୍‌ଲାଇନ୍‌ ସେବାଗୁଡିକୁ ଅଙ୍ଗେ ନିଭେଇବା ପରେ ଆମକୁ ଲାଗିଲା ୧୦ ବର୍ଷ ତଳେ ସତରେ ଆମେ ଗାଁରେ ଥିଲୁ ଆଉ ଆଜି ସହରରେ ପହଞ୍ଚି ଗଲୁଣି।

‘ମୋ’ ସହର, ‘ମୋ’ ସ୍ମାର୍ଟସିଟି, ‘ମୋ’ ଭୁବନେଶ୍ୱର।

ସତରେ କେଡେ ଆତ୍ମୀୟତା ଅଛି କହିଲେ ଏ ‘ମୋ’ ଶବ୍ଦରେ !

ଭୁବନେଶ୍ୱର ଆଉ ତା ପେରିଫେରି ଗାଁଗୁଡାକ ଏବେ ସହର ପାଲଟି ଗଲାଣି। ଯୁଆଡେ ଚାହିଁବ ସିଆଡେ ଫିନ୍‌ଫିନ୍‌। ସବୁବେଳ୍‌ ଇନ୍‌ପିନ୍‌ କରି ପେଣ୍ଟ ସାର୍ଟ ପିନ୍ଧୁଛୁ ଆମେ। ଦେହ ଝାଳୁଆ ଗନ୍ଧେଇବନି ବୋଲି ଡିଓ ମାରୁଛୁ। ଯଦ୍ୟପି ଆଜି ଡିଓର ବାସ୍ତବିକ୍‌ ଅର୍ଥ ଅଧିକାଂଶ ଲୋକଙ୍କୁ ଜଣା ନ ଥିବ, ତଥାପି ଆମ ଗାଁ ଶୁକୁଟା ବି ପାଖରେ ଛିଡ଼ା ହେଲେ ମହକି ଯାଉଥିବା ଦେହଗନ୍ଧ ବାରି ଚଟ୍‌କିନା ପଚାରିବ ତୁମ ଡିଓର ବ୍ରାଣ୍ଡ କ’ଣ ବୋଲି।

ଦେଖୁଛନ୍ତି ତ କି ମାତ୍ରାରେ ଆମ ବିକାଶ ମହକି ଯାଉଛି।

ଏ ସମସ୍ତ କଥାକୁ ଜାଣିବା ପରେ ଆମେ ଆଉ ବମ୍ବେଇ କି ମାଡ୍ରାସ୍‌ ଯିବାକୁ ମନେ ବଳାଇବୁନି। କାରଣ ଆମ ଏଠି କ’ଣ ନାହିଁ ଯେ, ଆମେ ସେଠିକୁ ଯିବୁ ? ଯେତେ ହେଲେ ‘ମୋ’ ଭୁବନେଶ୍ୱରଟି।

ଏଇ ଆତ୍ମୀୟ ପଣିଆ ଟିକକ ଏବେ ଅମର ଦୃଷ୍ଟିଗୋଚର ହେଲା। ଲାଗିଲା ଏ ସହରକୁ ନିଜର ବୋଲି ଭାବୁଥିବା ଲୋକମାନଙ୍କ ଚରିତ୍ର ମଧ୍ୟ ବିକଶିତ ହୋଇଛି। ମାତ୍ର ୨ଟି ଉଦାହରଣରେ ଆମେ ଏ କଥା ସାରିଦେବା।

ପ୍ରଥମଟି ମୂତ୍ର ବିସର୍ଜନ ଓ ୨ୟଟି ମୋ ସାଇକେଲ୍‌ର ସିଟ୍‌ ହରଣ।

ଆପଣ ଭାବୁଥିବେ ଆମ୍ଭର ବୋଧହୁଏ ମାନସିକ ବିକୃତି ଦୋଷଟି ଉତ୍କଟ ହେବାକୁ ଯାଉଛି। ହେଲେ ସେଭଳି ଭାବନ୍ତୁ ନାହିଁ ଆପଣ। କାରଣ ଯାହା ସତ୍ୟ ଆମେ ସ୍ୱଚକ୍ଷୁରେ ଦେଖିଛୁ, ତାହାକୁ ମିଥ୍ୟା ବୋଲି କହିବାର କୌଣସି ଅବକାଶ ନାହିଁ।

ହକି ମହାକୁମ୍ଭ ଲାଗି ସ୍ମାର୍ଟ ସିଟି ଭୁବନେଶ୍ୱରର ମୁଖ୍ୟ ରାସ୍ତାଗୁଡିକ ରଙ୍ଗିନ ହୋଇପଡିଛି। ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନଗୁଡିକ ନିରୂପିତ ହୋଇଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଉଛି ଆମ ଶାସ୍ତ୍ରୀ ନଗର ପାର୍ଶ୍ଵରେ ଥିବା ଦି ୱାଲ୍ଡ ସପିଂ ମଲ୍‌ର ସମ୍ମୁଖ ଭାଗ । ଏହି ରାସ୍ତାଟି ସଞ୍ଜ, ସକାଳେ ପ୍ରବଳ ଭିଡ଼ ହୁଏ। ଏଣୁ ଗାଡି ଘୋଡ଼ା ଦୌଡିବା ସ୍ୱାଭାବିକ୍‌। ଏହି ପଥ ଦେଇ ଆମ ହକି ତାରକାମାନେ ସ୍ୱତନ୍ତ୍ର ବସ୍‌ରେ ଯାଆସ କରନ୍ତି। ଏଣୁ ତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତାପାର୍ଶ୍ୱ କାନ୍ଥରେ ହକି କ୍ରୀଡ଼ା ସମ୍ବଳିତ ଚିତ୍ର ଅଙ୍କନ କରାଯାଇଛି।

ଖେଳ ଆରମ୍ଭର ମାତ୍ର ୨ ଦିନ ପରେ ଏଠାରେ ଛିଡ଼ା ହୋଇ ଜଣେ ଭଦ୍ରବ୍ୟକ୍ତି ମୂତ୍ର ବିସର୍ଜନ କରୁଥିବା ଦେଖିବାକୁ ମିଳିଲା। ଯାହାକୁ ଦେଖି ଜଣେ ଯୁବକ ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ଏପରି ନ କରିବା ପାଇଁ ପ୍ରବର୍ତ୍ତାଇଲେ। ମାତ୍ର ବାବୁ ଜଣକ କର୍ଣ୍ଣରେ ଉପବୀତ ଦେଇ, ପ୍ରଥମେ ଉଁ.. ହୁଁ..ରେ ଉତ୍ତର ଦେଲେ। ତତ୍ପରେ ଉତ୍‌କ୍ଷିପ୍ତ ହୋଇ ଗୋଟିଏ ନୀତିବାଣୀ ଶୁଣାଇଲେ- “ଆତୁରେ ନିୟମ ନାସ୍ତି” । ଯାହା ଶୁଣି ସେ ଜଣେ ବ୍ରହ୍ମଜ୍ଞ ବ୍ରାହ୍ମଣ(କାନରେ ପଇତା ଦେଇଥିବାରୁ/ଆମକୁ ଜଣାନାହିଁ ସେ ବ୍ରାହ୍ମଣ କି ଅବ୍ରାହ୍ମଣ) ବୋଲି ଯୁବକ ଜଣକ ଅନୁମାନ କଲେ ! ଆଉ କାନମୁଣ୍ଡା ଆଉଁଷି ସେ ସ୍ଥାନ ତ୍ୟାଗ କଲେ।

ଏଥର ଦ୍ୱୀତିୟ ପ୍ରସଙ୍ଗକୁ ଆସିବା। ‘ମୋ ସାଇକେଲ’ ଯୋଜନାରେ ଏବେ ଭୁବନେଶ୍ୱରର ବ୍ୟସ୍ତବହୂଳ ସ୍ଥାନମାନଙ୍କରେ ସାଇକେଲଗୁଡ଼ିକୁ ରଖା ଯାଇଥିବା ଆପଣ ଦେଖିବାକୁ ପାଇଥିବେ। ନିକଟରେ ଏହି ସାଇକେଲ୍‌ର କ୍ରେଜ୍‌ କଥା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ତତ୍‌ସଂଲଗ୍ନ ଖବର ପଢ଼ି ବଡ଼ ଦୁଃଖ ଲାଗିଲା। କାରଣ ଖବରଟି ଥିଲା ମୋ ସାଇକେଲର ସିଟ୍‌ ହରଣ ସିମ୍ପର୍କିତ। କେହି ଦୁର୍ବୃତ୍ତ ମୋ ସାଇକେଲ୍‌ ଚଲାଇବା ପାଇଁ ବୁକ୍‌ କରି ଏହାର ସିଟ୍‌ଗୁଡିକୁ ଚୋରାଇ ନେଇଥିଲା। ଏ କର୍ମଟି କରିଥିବା ଭଦ୍ର ଭୁବନେଶ୍ୱରିଆ ଜଣକ ବାସ୍ତବିକ୍‌ ପ୍ରଶଂସାର ପାତ୍ର।

କେତେ ବଡ଼ କଥା କହିଲେ। ଏଥିରେ ଭୁଲ୍‌ ତାଙ୍କର ବୋଲି କହି ହେବନି। ଯେଉଁଥିରେ ‘ମୋ’ ଶବ୍ଦଟି ଲାଗିଛି ତାହା ଉପରେ ମୋହ ଆଉ ଅଧିକାର ରହିବା ସ୍ୱଭାବିକ୍‌ କଥା। ଏଣୁ ପ୍ରଥମ ଉଦାହରଣରେ ବାବୁ ଜଣକ କାନ୍ଥକୁ ‘ମୋ କାନ୍ଥ’ ଭାବି ପରିସ୍ରା କରିଥିଲେ ଓ ଦ୍ୱିତୀୟ ଉଦାହରଣରେ ମୋ ସାଇକେଲର ସିଟ୍‌କୁ ‘ମୋର’ ଭାବି କେହି ଏହାର ସିଟ୍‌ ହରଣ କରି ନେଇଥିଲେ। ଏଣୁ ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହିବା ଠିକ୍‌ ହେବ। କାରଣ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏହା ହିଁ ଆମର ସ୍ମାର୍ଟ ଚରିତ୍ର।



from Odisha Reporter https://ift.tt/2QjD0ix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages