
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦଶହର ଦଙ୍ଗା ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୋ-ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ୨ ଜଣଙ୍କୁ ଦଙ୍ଗାକୁ ଉସକାଇବା ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହି ଦଙ୍ଗାରେ ଲୋକମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପୁଲିସ୍ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଇ ପାରିନାହିଁ। ସୁବୋଧଙ୍କ ହତ୍ୟା ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ଅଭିଯୋଗ ହେଉଥିଲେ ହେଁ ପୁଲିସ୍ ଜଣଙ୍କୁ ହେଲେ ବି କାବୁ କରିପାରିନାହିଁ।
ବୁଲନ୍ଦଶହରରେ ୨୫ରୁ ଅଧିକ ଗାଈଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ୍ ସେଠାରେ ପହଞ୍ଚିବାରୁ ଲୋକମାନେ ସେମାନଙ୍କୁ ଟେକା ପଥର ମାଡ଼ କରିଥିଲେ। ଏହି ସମୟରେ ଗୁଳି ମଧ୍ୟ ମାଡ଼ କରାଯାଇଥିଲା। ଯେଉଁଥିରେ ସୁବୋଧଙ୍କ ସହ ଆଉ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ବରିଷ୍ଠ ପୁଲିସ୍ ଅଧିକାରୀ ଅତୁଲ ଶ୍ରୀବାସ୍ତ କହିଛନ୍ତି, “ ନଦୀମ, ରୟିସ ଓ କାଲାଙ୍କୁ ଗୋ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଏମାନେ ପ୍ରଥମେ ଗାଈଗୁଡ଼ିକୁ ଗୁଳି କରିବା ପରେ ସେମାନଙ୍କୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ଉତ୍ତର ପ୍ରଦେଶରେ ଗାଈମାନଙ୍କୁ ହତ୍ୟା କରିବା ପାଇଁ ଏକ ଗ୍ୟାଙ୍ଗ ଚାଲୁଛି। ସେହି ଗ୍ୟାଙ୍ଗରେ ଏହି ୩ ଜଣ ସଦସ୍ୟ ରହିଥିଲେ। ଏମାନଙ୍କଠାରୁ ଗାଈମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ବନ୍ଧୁକ ଏବଂ ଛୁରୀ ଜବତ କରାଯାଇଛି।
ସେହିପରି ଘଟଣା ପରେ ଦଙ୍ଗା କରିବାକୁ ଉସକାଇଥିବା ସଚିନ୍ ସିଂହ ଓରଫ୍ କୋବ୍ରା ଏବଂ ଜନ୍ ଚୌଧୁରୀଙ୍କୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗିରଫ କରିଛି ବୋଲି ସେ କହିଛନ୍ତି।
ଦଙ୍ଗା ଓ ଗୋ-ହତ୍ୟା ଘଟଣାରେ ୮୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଇନ୍ସପେକ୍ଟର ସୁବୋଧଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଜରଙ୍ଗ ଦଳର ନେତା ଯୋଗେଶ ରାଜ ଏବେ ବି ଫେରାର ରହିଛନ୍ତି। ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ଆର୍ମି ଯବାନ ଜିତେନ୍ଦ୍ର ମାଲିକଙ୍କୁ ପୁଲିସ୍ ଗିରଫ କରିଛି।
from Odisha Reporter https://ift.tt/2Bpr98i
No comments:
Post a Comment