
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାର ଶ୍ରୀବଳଦେବ ଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ରଥ ବୋଲି ଗ୍ଲୋବାଲ୍ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (GRRF) ଘୋଷଣା କରିଛି। ଫଳରେ ଏହା ଗିନିସ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇବାର ପଥ ପରିଷ୍କାର ହୋଇଛି।
କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀବଳଦେବ ଜିଉଙ୍କ ରଥ ବିଶ୍ୱର ବଡ଼ ରଥ ବୋଲି ସମସ୍ତ ପ୍ରମାଣ ସହ ଗିନିସ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ସଂସ୍ଥାକୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ଗିନିସ କର୍ତ୍ତୃପକ୍ଷଙ୍କ ସଂସ୍ଥା ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ର ଭାରତ ମୁଖ୍ୟ ମନମୋହନ ରାୱତ କେନ୍ଦୁଝରରେ ପହଞ୍ଚି ନଥିପତ୍ର ଯାଞ୍ଚ କରିବା ସହ ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ।
ରାୱତ କହିଛନ୍ତି, “ମୁଁ ସମସ୍ତ ରେକର୍ଡ ନେଇ ରିସର୍ଚ୍ଚ ଟିମ୍କୁ ଦେବି। ସେମାନେ ଏହାକୁ ଯାଞ୍ଚ କରିବା ପରେ ବିଧିବଦ୍ଧ ଘୋଷଣା କରାଯିବ।”
ଅତୀତରେ କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା। ବହୁ ପୁର୍ବରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ହେଲେ ୧୬୭୧ରେ ଏଠାରେ ବଡ଼ଦେଉଳ ନିର୍ମାଣ ହେବା ପରେ ରଥଯାତ୍ରାର ରୂପ ବଦଳି ଯାଇଥିଲା। ଏଠାରେ ସବୁଠାରୁ ବଡ଼ ରଥ ତିଆରି ହୋଇଥିଲା। ଏହି ରଥର ନାଁ ନନ୍ଦିଘୋଷ। ଏହାର ଉଚ୍ଚତା ୭୨ଫୁଟ୍ ହୋଇଥିବା ବେଳେ ପ୍ରସ୍ଥ ୪୩ ଫୁଟ୍। ଏହି ରଥରେ ୭ ଫୁଟ ୩ ଇଞ୍ଚର ୧୬ଟି ଚକ ଲାଗିଥାଏ। ଏଥିରେ ଶାଳ, ଶାଳମୂଳୀ ଓ ଧଳା ନାମକ ୩ ପ୍ରକାର କାଠ ବ୍ୟବହାର କରାଯାଏ।
କେନ୍ଦୁଝର ରଥଯାତ୍ରାରଏକ ସ୍ୱତନ୍ତ୍ର ବୈଶିଷ୍ଠ୍ୟ ରହିଛି। ପବିତ୍ର ରଥଯାତ୍ରା ଦିନ ବଡ଼ ଠାକୁର ବଳଭଦ୍ର, ସାନ ଭାଇ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଏହାର ଅନ୍ୟ ଏକ ବିଶେଷତ୍ୱ ରହିଛି। ଏହି ରଥକୁ ଜୁଆଙ୍ଗମାନଙ୍କ ଦ୍ୱାରା ପ୍ରଦତ୍ତ ସିଆଡ଼ି ଦଉଡ଼ିରେ ଟଣାଯାଏ। ଯାତ୍ରା ପରେ ରଥକୁ ଭଙ୍ଗା ଯାଏ ନାହିଁ। ଅକ୍ଷୟ ତୃତୀୟା ପରଠାରୁ ଏହାର ମରାମତି କାମ ଆରମ୍ଭ ହୁଏ।
from Odisha Reporter http://bit.ly/2R4CwNP
No comments:
Post a Comment