ଏବେ କାନ୍ଦିକାନ୍ଦି ଜୀବନ କାଟୁଛନ୍ତି ଦିନେ ହସ ବାଣ୍ଟୁଥିବା ହାସ୍ୟ ଅଭିନେତା: ଛେଳି ଚରାଇ ପୋଷୁଛନ୍ତି ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଏବେ କାନ୍ଦିକାନ୍ଦି ଜୀବନ କାଟୁଛନ୍ତି ଦିନେ ହସ ବାଣ୍ଟୁଥିବା ହାସ୍ୟ ଅଭିନେତା: ଛେଳି ଚରାଇ ପୋଷୁଛନ୍ତି ପରିବାର

ହସ ବାଣ୍ଟୁଥିବା ହାସ୍ୟ ଅଭିନେତା ହେଉଛନ୍ତି ଗୋବିନ୍ଦ ବାରିକ। ଦିନେ ଯାହାଙ୍କ ଅଭିନୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସୁଥିଲେ ଦର୍ଶକ। ସବୁବେଳେ ମଞ୍ଚ ଫୁଲ୍‌ ରହୁଥିଲା। ହେଲେ ଆଜି ସିଏ ଅଦରକାରୀ ହୋଇପଡ଼ିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବିତୁଛି ତାଙ୍କ ଜୀବନ। ପରିବାର ଚଳାଇବାକୁ ଛେଳି ଚରାଉଛନ୍ତି।

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଦିନେ ସେ ଦର୍ଶକଙ୍କ ଭିତରେ ହସ ବାଣ୍ଟୁଥିଲେ। ଯାତ୍ରା ମଂଚରେ ଠିଆହେଲେ, ଅଜାଡ଼ି ହୋଇ ପଡୁଥିଲା କରତାଳି। ବାଟରେ ଘାଟରେ ଯାଉଥିଲେ ତାଙ୍କୁ ସହଜରେ ଲୋକେ ଚିହ୍ନି ପକାଉଥିଲେ। ଆଜି କିନ୍ତୁ ତାଙ୍କ ଅବସ୍ଥା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ପଢ଼ନ୍ତୁ ତାଙ୍କ ଦୁଃଖଭରା ଜୀବନ କାହାଣୀ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ମଠସାହି ଗାଁର ଗୋବିନ୍ଦ ବାରିକ। ପିଲାବେଳୁ ମଞ୍ଚ ନାଟକ ପ୍ରତି ଥିଲା ଦୁର୍ବଳତା। ସେଥିପାଇଁ ଘରୁ ଚାଲି ଯାଇଥିଲେ ମଞ୍ଚରେ ଅଭିନୟ କରିବା ପାଇଁ। ୧୯୭୨ ମସିହାରେ ସେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ଶ୍ୟାମ ମହାପାତ୍ରଙ୍କ ‘ସାରୁଅ’ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅଭିନୟ ଶିଖିଥିଲେ।

ପରେ ଜଟାଧାରୀ, ଜଗାବଳିଆ, ଜଟାଧାରୀ, ଗୋପାଳପୁର, ସାତଶଙ୍ଖ, ଏମିତି ଅନେକ ଯାତ୍ରା ଅନୁଷ୍ଠାନରେ ଅଭିନୟ କରିଥିଲି। ଏହାପରେ ଗତ ୨୫ ବର୍ଷ ଧରି ସେ ଯାତ୍ରା ସମ୍ରାଟ୍‌ ‘ତୁଳସୀ ଗଣନାଟ୍ୟ’ରେ ଅଭିନୟ କରିଆସୁଥିଲେ। ସେଥିରୁ ମିଳିଥିଲା ତାଙ୍କୁ ସଫଳତା। ମଶାଣିଫୁଲ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ମିଛ ସଂର୍ପକ, ପଣତକାନି, ପତିବତ୍ରା, ବନ୍ଧା ପଡ଼ିଛି ମୋ ବାହାମୁକୁଟ ପରି ଅନେକ ନାଟକ ତାଙ୍କ ଯାତ୍ରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତେବେ ‘ଇଷ୍ଟର୍ଣ୍ଣ ଅପେରା’ରେ ଅଭିନୟ କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ତେଣୁ ବାଧ୍ୟ ହୋଇ ଯାତ୍ରାପାର୍ଟି ଛାଡ଼ିଲେ ଗୋବିନ୍ଦ।

ମଞ୍ଚ ଛାଡ଼ିଲା ବେଳକୁ ତାଙ୍କ ଚେହେରା ବଦଳି ଯାଇଥିଲା। ମୁହଁର ଚମକ କମି ଯାଇଥିଲା। କଳା ମଚ୍‌ମଚ୍‌ ଶରୀର ଉପରେ ଚମ ଧୁଡୁଧୁଡି ପଡ଼ି ଯାଇଥିଲା। ଆଖି ଦୁଇଟି କୋରଡ଼ ଭିତରେ ପଶି ଗଲାପରି ଦିଶୁଥିଲା। ଦାନ୍ତ ପଡ଼ି ଯାଇଥିବାରୁ କଥା ଠିକ୍‌ ଭାବେ କହି ପାରୁନଥିଲେ। ତେଣୁ ବାଧ୍ୟ ହୋଇ ରୋଗାଗ୍ରସ୍ତ ଶରୀରକୁ ଧରି ଗାଁକୁ ଫେରିଲେ ଗୋବିନ୍ଦ।

ଗାଁରେ ତାଙ୍କ ପରିବାର କହିଲେ ସ୍ତ୍ରୀ, ତିନି ଝିଅ ଓ ପୁଅ। ଦୁଇ ଝିଅଙ୍କ ବାହାଘର ସରିଯାଇଛି। ଏବେ ସାନ ଝିଅଟି ବିଏ ପାସ୍‌ କରି ଘରେ ରହିଛି। ତା ବାହାଘର ମୁଣ୍ଡ ଉପରେ। ଏପଟେ ବୋଝ ଉପରେ ନଳିତା ବିଡ଼ା ପରି ଗୋବିନ୍ଦଙ୍କର ଏକମାତ୍ର ପୁଅ ମାନସିକ ଅନଗ୍ରସର। ତେଣୁ ଘରର ଏକମାତ୍ର ରୋଜଗାରିଆ ଗୋବିନ୍ଦଙ୍କ ରୋଜଗାର ବନ୍ଦ ହୋଇଯିବା ପରେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ବଢ଼ି ଯାଇଛି।

ଘର କହିଲେ ଏକ ବଖରିକିଆ ଇନ୍ଦିରା ଆବାସ ଘର। ତାଆରି ଭିତରେ କଟେ ସମସ୍ତଙ୍କ ଜୀବନ। ରୋଜଗାର ମାଧ୍ୟମ ନଥିବାରୁ ଏବେ ଗୋବିନ୍ଦ ବାଧ୍ୟ ହୋଇ ଛେଳି ଚରାଉଛନ୍ତି। ସବୁ ସରକାରୀ ସାହାଯ୍ୟ ଯେମିତି ତାଙ୍କ ପାଇଁ ସାତସପନ ହୋଇଯାଇଛି। ସେ ପ୍ରଶ୍ନ କରିଛନ୍ତି ସରକାରଙ୍କ କଳାକାର ଭତ୍ତା କାହା ପାଇଁ? ଗୋବିନ୍ଦ ଏବେଯାଏ କୌଣସି କଳାକାର ଭତ୍ତା ପାଇନାହାଁନ୍ତି।

ଏ ବାବଦରେ ପଟ୍ଟାମୁଣ୍ଡାଇ ବିଡିଓ ସୁଧାଂଶୁ ସିଂଙ୍କୁ ପଚାରିବାରୁ ସେ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2EyvtWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages