
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଷ୍ଠା ଓ ଅଧ୍ୟବସାୟ ଫଳରେ ଜଣେ ସଫଳ ଅଭିନେତା ହୋଇପାରିଛନ୍ତି ଅନୁଭବ ମହାନ୍ତି। ତାଙ୍କୁ କୁହାଯାଉଛି ଓଲିଉଡ୍ର ସୁପରଷ୍ଟାର। ଆଜି ହେଉଛି ଏହି ସୁପରଷ୍ଟାରଙ୍କ ଜନ୍ମଦିନ। ଆଜି ସେ ୩୭ ବର୍ଷରେ ପାଦ ଥାପିଛନ୍ତି।
୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ କଟକରେ ଜନ୍ମ ହୋଇଥିଲେ ଅନୁଭବ ମହାନ୍ତି। ସେ କଟକ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ନିଜ ସ୍କୁଲ୍ ଶିକ୍ଷା ଶେଷ କରି ଖ୍ରୀଷ୍ଟ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଫିଲ୍ମକୁ ଆସିବା ପୂର୍ବରୁ ସେ ଓଡ଼ିଆ ଆଲବମ୍ କରିବାରେ ସୁଯୋଗ ପାଇଥିଲେ। ଆଲବମ୍ ଜଗତରେ ଲୋକପ୍ରିୟତା ହାସଲ କରିବା ପରେ ୨୦୦୪ରେ ପ୍ରଥମେ ସ୍ୱର୍ଗତ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଇ ଲଭ୍ ୟୁ’ରେ ତାଙ୍କୁ ସୁଯୋଗ ମିଳିଥିଲା। ଫିଲ୍ମଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। ଫିଲ୍ମଟି ସୁପରହିଟ୍ ମଧ୍ୟ ହୋଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଚାଲିଲେ। ସେ ୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ବଙ୍ଗାଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କର ପ୍ରଥମ ବଙ୍ଗାଳି ଫିଲ୍ମ ଥିଲା ‘ସାଥୀ ଆମର’।
ଅଭିନୟ ସହ ଅନୁଭବ ରାଜନୀତିରେ ମଧ୍ୟ ପାଦ ଥାପିଛନ୍ତି। ସେ ଏବେ ରାଜ୍ୟସଭାର ସାଂସଦ ଅଛନ୍ତି। ୨୦୧୪ରେ ସେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।
ଯେହେତୁ ଅନୁଭବ ଏତେ ଭଲ ଅଭିନେତା, ସମସ୍ତେ ଭାବୁଥିବେ ପିଲାବେଳୁ ବୋଧେ ସେ ଅଭିନେତା ହେବାକୁ ହିଁ ଚାହୁଁଥିବେ। କିନ୍ତୁ ତାହା ସଂପୂର୍ଣ ଭୁଲ୍। ଗତ ବର୍ଷ ଜୁନ୍ ମାସରେ ‘ଓଡ଼ିଶା ରିପୋର୍ଟର’କୁ ଦେଇଥିବା ଏକ ସାକ୍ଷତକାରରେ ଅନୁଭବ କହିଥିଲେ ଯେ, ସେ ଭାରତୀୟ ସେନାରେ ଯୋଗ ଦେବାକୁ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ତାଙ୍କର ସେ ସ୍ୱପ୍ନ ପୂରଣ ହୋଇପାରିଲାନି।
ଅନୁଭବ କହିଥିଲେ, ମୋର ବହୁତ ଇଚ୍ଛା ଥିଲା ଇଣ୍ଡିଆନ୍ ଆର୍ମିରେ ଯିବା ପାଇଁ। ମାଟ୍ରିକ୍ ପାସ୍ କଲା ପରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲି। ତା’ପରେ କିଛି ସମସ୍ୟା ଉପୁଜିଥିଲା। ତେଣୁ ମୁଁ ଆଉ ସେଦିଗରେ ଆଗେଇ ପାରି ନଥିଲି। ଭଗବାନଙ୍କର ବୋଧେ ଆଉ କିଛି ଇଚ୍ଛା ଥିଲା। ତେଣୁ ମୁଁ ଏଇ (ଅଭିନୟ) କ୍ଷେତ୍ରକୁ ଆସିଲି। ମଡେଲିଂ କଲି। ମ୍ୟୁଜିକ୍ ଭିଡିଓରେ କାମ କଲି। ତା’ପରେ ଫିଲ୍ମ କଲି। ଭଗବାନ ଗୋଟିଏ ପରେ ଗୋଟିଏ ସଫଳତା ଦେଇ ଚାଲିଲେ।
ଅନୁଭବ ଆଉ କ’ଣ କହିଥିଲେ, ଏ ଭିଡିଓରୁ ଶୁଣନ୍ତୁ।
from Odisha Reporter http://bit.ly/2LxTBJJ
No comments:
Post a Comment