
ନୂଆଦିଲ୍ଲୀ: ବର୍ତ୍ତମାନ କ୍ଷମତାରେ ଥିବା ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ନାମରେ ଅଭିଯୋଗ ସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଏଭଳି ଦାଗୀ ଜନପ୍ରତିନିଧିଙ୍କ ତାଲିକାରେ ଉତ୍ତରପ୍ରଦେଶ ସର୍ବୋଚ୍ଚ ସ୍ଥାନରେ ଥିବାବେଳେ କେରଳ ଏବଂ ବିହାର ପ୍ରଭୃତି ରାଜ୍ୟଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଅଛି ଓଡ଼ିଶା। ଏସବୁ ମାମଲାର ବିଚାର ବିଳମ୍ବ ହେଉଥିବା ନେଇ ଚିନ୍ତା ପ୍ରକଟ କରିବା ସହିତ ତ୍ୱରିତ ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଏତଦ୍ ବ୍ୟତୀତ ବିହାର ଏବଂ କେରଳରେ ଥିବା ସ୍ୱତନ୍ତ୍ର କୋର୍ଟରେ ଚାଲିଥିବା ବିଭିନ୍ନ ମାମଲାର ସ୍ଥିତି ବାବଦରେ ଜଣାଇବା ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଚଳିତ ମାସ ୧୪ ତାରିଖ ମଧ୍ୟରେ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ରହିଛି।
ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଏଥିରେ ୪୪୦ଟି ଆଜୀବନ କାରାଦଣ୍ଡ ଭଳି ମାମଲା ରହିଛି। ୧୯୯୧ଟି ମାମଲାରେ ଏଯାଏ ଚାର୍ଜ ଫ୍ରେମ୍ ହୋଇପାରିନାହିଁ।
ଓଡ଼ିଶାରେ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଥିବା ୨୨୦ ଜନପ୍ରତିନିଧି ଏବଂ ୧୧୧ଜଣ ପୂର୍ବତନ ଜନପ୍ରତିନିଧିଙ୍କ ନାମରେ ମାମଲା ରହିଛି। ପ୍ରଥମ ସ୍ଥାନରେ ଥିବା ଉତ୍ତରପ୍ରଦେଶରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଥିବା ୫୧ ସାଂସଦ ଓ ୨୫୭ ବିଧାୟକ ଏବଂ ୫୫ ପୂର୍ବତନ ସାଂସଦ ଓ ୬୨୭ ପୂର୍ବତନ ବିଧାୟକଙ୍କ ନାମରେ ମାମଲା ରହିଛି।
ଓଡ଼ିଶା ସହିତ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କେରଳରେ ଏଭଳି ୩୧୨, ବିହାରରେ ୩୦୪, ପଶ୍ଚିମବଙ୍ଗରେ ୨୬୯ ଏବଂ କର୍ଣ୍ଣାଟକାରେ ୧୬୧ ଜଣ ଏଭଳି ଜନପ୍ରତିନିଧି ଅଛନ୍ତି। ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ କର୍ଣ୍ଣାଟକା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯଥାକ୍ରମେ ଏଚ୍ଡି କୁମାରସ୍ୱାମୀ ଏବଂ ଅମରିନ୍ଦର ସିଂହଙ୍କ ନାମରେ ମାମଲା ରହିଛି।
ବିଭିନ୍ନ ରାଜ୍ୟରେ ଏଭଳି ମାମଲାର ବିଚାର ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟ ଠିକରେ କାର୍ଯ୍ୟ କରୁନାହାନ୍ତି ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଠପୀଠ ମତ ରଖିଛନ୍ତି। ବର୍ତ୍ତମାନ ୨୩୨୪ ଜଣ ଏଭଳି ମାମଲା ଥିବା ନିର୍ବାଚିତ ଜନପ୍ରତିନିଧି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି।
from Odisha Reporter https://ift.tt/2PmQghb
No comments:
Post a Comment