
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେବ। ସେହିପରି ପରବର୍ତ୍ତୀ ୨୪ ଘଣ୍ଟାରେ ପେଥାଇ ଭୟଙ୍କର ରୂପ ନେଇ ୧୭ ତାରିଖରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଓ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବନୁମାନ କରିଛି।
ଅନ୍ୟପକ୍ଷରେ ଡିସେମ୍ବର ୧୭ ତାରିଖ ସୁଦ୍ଧା ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନର ଜଳବାୟୁ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।
କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତ ଶନିବାର ସକାଳ ୮.୩୦ ସୁଦ୍ଧା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୋପାଳପୁରଠାରୁ ୧,୧୧୫ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିଲା।
ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ ରୂପ ନେଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଡିସେମ୍ବର ୧୭ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ସ୍ପର୍ଶ କରିବ ବୋଲି ଡ ସାହୁ କହିଛନ୍ତି।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୧୬ ତାରିଖ ରାତିରୁ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୭୦ କିମି ରହିବ ବୋଲି ସେ ଆକଳନ କରିଛନ୍ତି। ୧୮ ତାରିଖରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ପେଥାଇ ସୋମବାର ମଧ୍ୟାହ୍ଣରେ ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଏକଂ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୯୫ରୁ ୧୦୫ କିମି ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପୂର୍ବନୁମାନ କରିଛି। ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୧୮ ତାରିଖ ଯାଏ ଏହା ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।
from Odisha Reporter https://ift.tt/2EntqEc
No comments:
Post a Comment