ଜୀବନକୁ ଏମିତି ଭୋଗିଥିଲେ ଏହି ହସକୁରା ମଣିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଜୀବନକୁ ଏମିତି ଭୋଗିଥିଲେ ଏହି ହସକୁରା ମଣିଷ

“ତୁ କାମ କଲେ କ’ଣ  ହେବ? ଆମେ କଣ ବଡ଼ ଲୋକ ହୋଇଯିବା ନା ଆମ ଘରୁ ଗରିବୀ ହଟିବ। ତୋର ଅଳ୍ପ କେଇ ପଇସାର ମଜୁରି ଆମ ସ୍ଥିତି ସୁଧାରିପାରିବନିରେ । ଗରିବୀକୁ ସାମ୍ନା କରିବାକୁ ମୁଁ ଅଛି ପରା। ତୁ ଯାଆ ପାଠ ପଢ଼, ବହୁତ ପଢ଼, ବଡ଼ ମଣିଷ ହ।”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ଙ୍କ ଏମିତି କେଇପଦ କଥା ସେଦିନ ବାଳକ କାଦରଙ୍କୁ ପାଠ ପଢ଼ିବାକୁ ଅନୁପ୍ରାଣିତ କରିଥିଲା। ପାଠ ପଢ଼ିଲେ। ମାଆଙ୍କ କଥାକୁ ସତରେ ମଧ୍ୟ ପରିଣତ କଲେ। ବୃତ୍ତିଗତ ଜୀବନରେ ଜଣେ ସଫଳ ଅଭିନେତା, ସଂଳାପକାର ଓ ଡାଇଲ୍‌ଗ ରାଇଟର ଭାବେ ପରିଚିତ ହୋଇ ଏବେ ସେ ଆରପାରିରେ। ଅନେକ ଦଶନ୍ଧୀ ଧରି ଭାରତୀୟ ଦର୍ଶକଙ୍କୁ ହସ କାନ୍ଦରେ ଭିଜେଇଥିବା କାଦର୍‌ ଖାନ୍‌ ଆଜି ନାହାନ୍ତି ସତ ହେଲେ ଛାଡି ଯାଇଛନ୍ତି ଅନେକ ସ୍ମୃତୀ। ଆସନ୍ତୁ ଜାଣିବା ତାଙ୍କ ଆଦ୍ୟ ଜୀବନର କିଛି ଅଭୁଲା କଥା।

ଆଫ୍‌ଗାନିସ୍ଥାନର ରାଜଧାନୀ କାବୁଲଠାରୁ ଅଳ୍ପ ଦୂରରେ କାଦରଙ୍କ ଜନ୍ମ। ତିନି ସନ୍ତାନ ହରାଇବା ପରେ ବର୍ଷକର ପୁଅ କାଦରଙ୍କୁ ଧରି ବାପା ଅବଦୁଲ୍‌ ରହେମାନ୍‌ ଓ ମାଆ ଇକ୍‌ବାଲ୍‌ ବେଗମ୍‌ ମାୟାନଗରୀ ମୁମ୍ୱାଇକୁ ଚାଲି ଆସନ୍ତି। ଛୋଟିଆ ବସ୍ତିରେ ଆରମ୍ଭ ହୁଏ ଜୀବନ।

ନୂଆ ଜାଗା ହୋଇଥିବାରୁ ଚଳିବାକୁ ନାନା ସମସ୍ୟା ସୃଷ୍ଟି ହୁଏ। ଯାହାକୁ ନେଇ ବାପା ଓ ମା’ଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗେ। ପରିଣତି ହୁଏ ‘ତଲାକ୍‌’। କାରଦରଙ୍କ ପିତା-ମାତା ପରସ୍ପରଠାରୁ ଅଲଗା ହୋଇ ଯାଆନ୍ତି।

ଅବଦୁଲ୍‌ ରହେମାନ୍‌ଙ୍କଠାରୁ ତଲାକ୍‌ ପରେ ମାଆ ଇକ୍‌ବାଲ୍‌ ବେଗମ୍‌ ପୁଅ କାଦରଙ୍କୁ ନେଇ ଏକାକୀ ରୁହନ୍ତି। ଏ ସମ୍ପର୍କରେ ଖବର ପାଇ ପାକିସ୍ତାନରେ ରହୁଥିବା କାଦରଙ୍କ ଦାଦା ଓ ମାମୁଁ ମୁମ୍ୱାଇ ଆସି ଏ ସମ୍ପର୍କରେ ଜାଣିବାକୁ ପାଆନ୍ତି। ଏତେବଡ଼ ସହରରେ ଜଣେ ମହିଳା ଗୋଟିଏ ଛୋଟ ପିଲାକୁ ଧରି ରହିବା ସମ୍ଭବପର ନୁହେଁ, ତେଣୁ ଦ୍ୱିତୀୟ ବିବାହ କରିବାକୁ କାଦରଙ୍କ ମାଆଙ୍କୁ ପ୍ରବର୍ତ୍ତାଯାଏ। କାଦରଙ୍କ ମୁହଁକୁ ଚାହିଁ ଇକ୍‌ବାଲ୍‌ କରନ୍ତି ଦ୍ୱିତୀୟ ବିବାହ ।

ଦ୍ୱିତୀୟ ବିବାହ ପରେ ସବୁକିଛି ଠିକ୍‌ ହୋଇଯିବ ବୋଲି ଭାବିଥିବା ଇକ୍‌ବାଲ୍‌ ବେଗମ୍‌ଙ୍କ ଭାବନା କିନ୍ତୁ ସତ ହୁଏନି। ଦ୍ୱିତୀୟ ସ୍ୱାମୀଙ୍କ ବ୍ୟବହାର ଓ ଚାଲିଚଳଣ ମଧ୍ୟ ଠିକ୍‌ ନ ଥିଲା। ଘର ଚଳାଇବା ଲାଗି ଇକ୍‌ବାଲ୍‌ ବେଗମ୍‌ଙ୍କ ପାଇଁ କଷ୍ଟକର ହେଲା । ଆରମ୍ଭ ହେଲା ତିକ୍ତତା। କାଦରଙ୍କ ଉପରେ ମଧ୍ୟ ନିର୍ଯାତନା ବଢିଲା। ନିଜ ବାପା(ଇକ୍‌ବାଲ୍‌ଙ୍କ ପ୍ରଥମ ସ୍ୱାମୀ)ଙ୍କ ପାଖରୁ ୨ ଟଙ୍କା ଆଣିବା ପାଇଁ ଦ୍ୱିତୀୟ ବାପା ବାରମ୍ବାର  କାଦରଙ୍କୁ ପଠାଇଲେ। ଏମିତି ସ୍ଥିତିରେ କେତେବେଳେ ପଇସା ମିଳୁଥିଲା ତ କେତେବେଳେ ନାଇଁ। ଏଣୁ ସପ୍ତାହକୁ ୩ ଦିନ ଖାଲି ପେଟରେ ଶୋଇବାକୁ ପଡୁଥିଲା ମା’ ପୁଅ ଦୁହିଁଙ୍କୁ।

ଘରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସାଙ୍ଗମାନଙ୍କ କଥାରେ ପଡ଼ି କାଦର ପାଠ ପଢ଼ା ଛାଡ଼ି କାମ କରିବା ପାଇଁ ବାହାରି ପଡ଼ିଲେ। ଘରର ସିଡିରୁ ଉହ୍ଲାଉଥିବା ବେଳେ ପଛ ପଟରୁ କାଦରଙ୍କ କାନ୍ଧରେ ତାଙ୍କ ମାଆ ହାତ ପକାଇଲେ। କାଦର କିଛି କହିବା ପୂର୍ବରୁ ମାଆ ସଙ୍ଗେ ସଙ୍ଗେ କହିଲେ-“ପୁଅ ତୁ କେଉଁଠିକି ଯାଉଛି ମୁଁ ଜାଣିଛି। ମାତ୍ର ତୋର ୨ ରୁ ୩ ଟଙ୍କାର ମଜୁରୀରେ ଆମ ଘରର ଗରିବୀ ଦୂର ହେବନି। ଗରିବୀକୁ ସମ୍ମୁଖୀନ ହେବା ପାଇଁ ମୁଁ ରହିଛି। ତୁ ପାଠ ପାଢ଼। ତୁ ଏତେ ପାଢ଼ ଗରିବୀ ଆପେ ଆପେ ଦୂର ହୋଇଯିବ।”

ଆରମ୍ଭ ହେଲା ସୁଖର ଦିନ

ମାଆଙ୍କ ସେହି କଥା କାଦରଙ୍କ ହୃଦୟକୁ ଛୁଇଁ ଥିଲା। ସେହିଠାରୁ ଘର ଭିତରକୁ ଯାଇ ବହି ଧରି ପାଠ ପଢ଼ିଲେ। ସେ ମୁମ୍ୱାଇ ମ୍ୟୁନିସିପାଲ୍‌ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ। ପରେ ଇସ୍‌ମାଇଲ୍‌ ୟୁସୁଫ୍‌ କଲେଜରୁ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍‌ ପାସ୍‌ କଲେ। କଲେଜରେ ପାଠ ପଢ଼ୁଥିବା ବେଳେ ଡ୍ରାମା କରୁଥିଲେ। ୧୯୭୦-୭୫ ଭିତରେ ମୁମ୍ୱାଇ ବିଶ୍ୱବିଦ୍ୟାଳୟରେ ସେ ପାଠ ପଢ଼ାଉ ଥିଲେ। ପରେ ମହମ୍ମଦ ହାଜି ସାବୁ ସିଦ୍ଦୀକ୍‌ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଭାବେ ଯୋଗଦେଇଥିଲେ। ଅଧ୍ୟୟନ ଓ ଅଧ୍ୟାପନା ସମୟରେ କାଦର ଡ୍ରାମାରେ ଅଭିନୟ କରୁଥିଲେ। ଆଉ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ।

ଦିଲ୍ଲୀପ କୁମାର ବଦଳାଇଦେଲେ ଜୀବନ

ଦିନେ କାଦରଙ୍କ ପାଖକୁ ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କ ଫୋନ୍‌ ଆସିଲା। ତାଙ୍କ ଅଭିନିତ ଡ୍ରାମା ‘ତାସ୍‌ କି ପତ୍ତେ’ ଦେଖିବାକୁ ଦିଲ୍ଲୀକୁମାର ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ କାଦର ତାଙ୍କ (ଦିଲ୍ଲୀପ) ସମ୍ମୁଖରେ ୩ଟି ସର୍ତ୍ତ ରଖିଥିଲେ। ପ୍ରଥମ ସର୍ତ୍ତ ହେଲା, ଡ୍ରାମା ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ ଆସିବାକୁ ପଡ଼ିବ, ଦ୍ୱିତୀୟଟି ହେଉଛି ଆପଣଙ୍କୁ ନାଟକ ପୂରା ଦେଖିବାକୁ ପଡ଼ିବ ଓ ତୃତୀୟଟି ହେଉଛି ଆପଣଙ୍କୁ ନାଟକ ଖରାପ ଲାଗିଲେ ଯାଇପାରିବେ। ଏହି ସବୁ ସର୍ତ୍ତରେ ଦିଲ୍ଲୀପ କୁମାର ରାଜି ହୋଇଗଲେ। ସର୍ତ୍ତ ମୂତାବକ ଦିଲ୍ଲୀପ କୁମାର ଡ୍ରାମା ଆରମ୍ଭ ହେବା ପୂର୍ବରୁ ପହଞ୍ଚିଥିଲେ। ପୂରା ଡ୍ରାମା ଦେଖିଲେ। ଆଉ ଡ୍ରାମା ସରିବା ପରେ ଗ୍ରୀନ୍‌ ରୁମ୍‌କୁ ଯାଇ କାଦର ଖାଁଙ୍କୁ ଅଭିନନ୍ଦନ ଜଣାଇଲେ। ଗଲା ବେଳେ ‘ବେରାଗ’ ଫିଲ୍ମରେ ଅଭିନୟ କରିବାକୁ ପ୍ରତିଶ୍ରୁତି ଦେଇଯାଇଥିଲେ। ସେହି ଦିନଠାରୁ ଆଉ ପଛକୁ ଫେରି ନାହାନ୍ତି କାଦର। ପାଖାପାଖି ୪୦୦ ଫିଲ୍ମରେ ଅଭିନୟ କରି ସେ ପାଲଟି ଯାଇଛନ୍ତି ଭାରତୀୟ ସୀନେମାର ଜଣେ କିମ୍ବଦନ୍ତୀ ପୁରୁଷ।

ପିଲାଙ୍କ ପାଇଁ ଖଳନାୟକ ହେଲେନି, ଦୁନିଆ ପାଇଁ ପାଲଟିଗଲେ ପୋଖତ କମେଡିଆନ୍‌

ଜୀବନରେ କାଦର ଖାଁ ବହୁ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଯାହାର ପ୍ରଭାବ ତାଙ୍କ ପାରିବାରିକ ଜୀବନରେ ପଡିଥିଲା। କାଦର ଖଳନାୟକ ଭୂମିକାରେ ଅଭିନୟ କରୁଥିବାରୁ ସ୍କୁଲରେ ତାଙ୍କ ପିଲାମାନଙ୍କୁ ସାଥିମାନେ ଖଳନାୟକର ପୁଅ କହି ମାରପିଟ୍‌ କରନ୍ତି। ଏକଥା ଶୁଣି କାଦରଙ୍କୁ ଭାରି ଦୁଃଖ ଲାଗିଥିଲା। ପିଲାଙ୍କ କଥାରେ ଖଳନାୟକ ଭୂମିକାରେ ଅଭିନୟ ନ କରିବା ପାଇଁ ସେ ସ୍ଥିର କଲେ।

ସେବେଠାରୁ ତାଙ୍କୁ ଜବରଦସ୍ତ କମେଡି ଫିଲ୍ମ ପରଦାରେ ଦେଖିବାକୁ ମିଳିଥିଲା। କାଦର ଖାଁଙ୍କୁ ସୁପରଷ୍ଟାର ରାଜେଶ ଖାନ୍ନା ଡାଇଲଗ୍‌ ଲେଖିବାର ସୁଯୋଗ ଦେଇଥିଲେ। ରୁଟି, ମହାଚୋର, ଛୋଲା ବାବୁ, ଧରମ କାନ୍ତ, ନୟା କଦମ, ମାଷ୍ଟରଜୀ, ହିମ୍ମତୱାଲା, ଜାନୀଦୁଷ୍ମନ୍ତ, ଜଷ୍ଟିସ ଚୌଧୁରୀ, ଫର୍ଜ ଔର କାନ୍‌ନ, ଜିଓ ଓର ଜିନେ ଦୋ ପ୍ରମୁଖ ପାଇଁ ଡାଇଲଗ୍ ଲେଖିଥିଲେ।

(ବି.ଦ୍ର- ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ସମୟରେ ଏ ସମସ୍ତ କଥା କହିଥିଲେ କାଦର ।)

 



from Odisha Reporter http://bit.ly/2SzXe4y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages