
ବରଗଡ଼ (ଜଗମୋହନ ମହାରଣା): ହେ ନଟିଆ ଠାକୁର, ହେ କଳା କହ୍ନେଇ, ହେ ଲବଣି ଚୋର ତୁ ଯାଆନାରେ। ଏ ସର, ଲବଣି ସବୁ ତୋର। ସବୁ ଅଇଁଠା କରି ଖା। ସବୁଥିରେ ମୁଁହ ବୁଡ଼ା। ଆମେ ତତେ କେବେ ଆକଟ କରିବୁନି। ହେଲେ ଗୋପ ଛାଡ଼ି ତୁ ମଥୁରା ଯାଆନା। ଆମେ କେହିବି ତୋ ମା’ ଆଗରେ ଅଭିଯୋଗ କରିବୁନି। ଯେତେ ମାଠିଆ ଭାଙ୍ଗିବୁ ଭାଙ୍ଗେ…।
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଗତକାଲି ଏମିତି ବାହୁନି ବାହୁନି କାନ୍ଦିଥିଲେ ଗୋପପୁରବାସୀ। ଗତକାଲି ଏ ଯାତ୍ରାର ନବମ ଦିନରେ ଗୋପପୁର ଛାଡ଼ି ମଥୁରା ଅଭିମୁଖେ ଯାତ୍ରା କରିଥିଲେ କୃଷ୍ଣ। ଆଉ ଏଇ ସମୟରେ କାନ୍ଦିଥିଲା ପୂରା ଗୋପପୁର।
ଷୋଳ ଶହସ୍ର ଗୋପନାରୀ ବି ବାହୁନି ବାହୁନି କାନ୍ଦିଥିଲେ। କେବେ ଫେରିବ ହେ ନଟନାଗର ବୋଲି କହି ସେମାନେ କାନ୍ଦିଥିଲେ। ତୁ ଚାଲି ଗଲେ ଆମେ ଆଉ ବଞ୍ଚିବୁନି ବୋଲି କହିଥିଲେ ଗୋପୀଗଣ। ଗୋପରୁ ମଥୁରା ଯିବା ବାଟରେ ସମସ୍ତେ ଦୁଇଭାଇଙ୍କୁ ପିଢ଼ା ପାଣି ଦେଇ ପୂଜା କରିଥିଲା। ବ୍ରଜବାଳକ ନାଚି ନାଚି ସଖା କୃଷ୍ଣଙ୍କୁ ଯମୁନା ନଈ ପର୍ଯ୍ୟନ୍ତ ବାଟେଇ ଦେଇ ଆସିଥିଲେ। ଆଉ ତ୍ରିଭଙ୍ଗୀ ଠାଣିରେ ମୟୂର ଚୁଳିଆ କଳା କାହ୍ନୁ ମୁରଲି ଫୁଙ୍କି ଅଧା ଅଧା ନାଲି ହସ ହସି ଚାଲି ଯାଇଥିଲେ ମଥୁରା ନଗରୀ।
ସୂଚନାଯୋଗ୍ୟ, ଧନୁଯାତ୍ରା ପାଇଁ ଆମ୍ବାପାଲି ଗାଁ ଗୋପପୁର ସାଜିଛି।
ଅନ୍ୟପକ୍ଷରେ କୃଷ୍ଣ ଓ ବଳରାମ ମଥୁରା ନଗରୀରେ ପହଞ୍ଚି ସାରିଥିବା ନେଇ ମହାରାଜ କଂସଙ୍କ ନିଟକରେ ଖବର ପହଞ୍ଚି ସାରିଛି। ଅକୃର ତାଙ୍କୁ ଏହି ସୂଚନା ଦେଇଛନ୍ତି। ଶତ୍ରୁଙ୍କ ଆଗମନରେ ମହାରାଜ କଂସ ଯେତିକି ଖୁସି ଅଛନ୍ତି ସେତିକି ଭୟାତୁର ମଧ୍ୟ ଅଛନ୍ତି।
from Odisha Reporter http://bit.ly/2ATF1rP
No comments:
Post a Comment