
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷମୁକ୍ତ କରିଥିଲେ। ଏହା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କୋର୍ଟ ରାୟକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଥିଲେ। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଉଭୟ ଦଳର ମହିଳା ମୋର୍ଚ୍ଚା ମହାରଥୀଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ଉଭୟ ଦଳର ହଜାର ହଜାର ମହିଳା କର୍ମୀ ରାଜରାସ୍ତାକୁ ଓହ୍ଲାଇ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇଥିଲେ। ପ୍ରାୟ ପ୍ରତିଦିନ ଉଭୟ ଦଳର ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିବା ସହ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଅଣ୍ଡା, ବିଲାତି ମାଡ଼ କରିଥିଲେ।
ଚାରିଆଡୁ ଚାପ ପଡ଼ିବା ପରେ ଶେଷରେ ମହାରଥୀଙ୍କୁ ତାଙ୍କ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ।
ସୂଚନାଯୋଗ୍ୟ, ସମାନ ଘଟଣାରେ ୨୦୧୨ ମସିହାରେ ମହାରଥୀ ଇସ୍ତଫା ଦେଇଥିଲେ।
from Odisha Reporter http://bit.ly/2H6mPRE
No comments:
Post a Comment