କାହିଁକି ନବୀନ ଖେଳୁଛନ୍ତି ଆର୍ଥିକ ସ୍ୱାୟତ୍ତତା କାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କାହିଁକି ନବୀନ ଖେଳୁଛନ୍ତି ଆର୍ଥିକ ସ୍ୱାୟତ୍ତତା କାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର କର୍ମୀମାନେ ଦିଲ୍ଲୀରେ ଚାଷୀ ସମାବେଶ କରିଛନ୍ତି। ଏହି ସମାବେଶରେ ନବୀନ ପୁଣିଥରେ ‘ଆର୍ଥିକ ସ୍ୱାୟତ୍ତତା’ ଦାବି ଉଠାଇଛନ୍ତି। ଦଳର ପ୍ରତିଷ୍ଠା ଦିବସ ସମାରୋହ ଓ ଆଜି ଦିଲ୍ଲୀରେ ଚାଷୀ ସମାବେଶରେ ପୁଣିଥରେ ‘ଆର୍ଥିକ ସ୍ୱାୟତ୍ତତା’ ପ୍ରସଙ୍ଗ ଉଠାଇ ନବୀନ ସଂଘୀୟ ବ୍ୟବସ୍ଥାରେ କେବେ ହାସଲ ହୋଇପାରୁନଥିବା ଏକ ନିଷ୍ଫଳ ପ୍ରୟାସ କାହିଁକି କରୁଛନ୍ତି ତାକୁ ନେଇ ଚର୍ଚ୍ଚା।

ଆଜି ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ବିଜେଡିର ଚାଷୀ ସମାବେଶରେ ଶ୍ରୀ ପଟ୍ଟନାୟକ ନିଜ ସରକାରର ‘କାଳିଆ’ ଯୋଜନାକୁ ସବୁଠୁ ଭଲ ବୋଲି କହିବା ସହ ଏମଏସପି ସ୍ଥିର କରିବା ଓ ସ୍ୱାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା ଦାୟିତ୍ୱରୁ କେନ୍ଦ୍ର ସରକାର ଖସିପାରିବେନି ବୋଲି କହିଛନ୍ତି। ରାଜ୍ୟଗୁଡ଼ିକୁ ଅର୍ଥନୀତିକ ସ୍ୱାୟତ୍ତତା ଦେବାକୁ ଦାବି କରି ନବୀନ କହିଛନ୍ତି ଯେ ଏହା ସମ୍ଭବ ହୋଇପାରିଥିଲେ ଆଜି ଚାଷୀଭାଇଙ୍କୁ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା। ଏମଏସପି ଚାଷୀଙ୍କ ହକ୍, କାହାର ଦୟା ନୁହେଁ। ଚାଷୀଙ୍କ ହକ ପାଇଁ ବିଜେଡି ଲଢ଼େଇ ଜାରି ରଖିବ।

ତେବେ ପ୍ରଶ୍ନ ଉଠୁଛି, ଦୀର୍ଘ ଦଶନ୍ଧି ଧରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓ ଏମଏସପି ବୃଦ୍ଧି ଦାବି ପ୍ରସଙ୍ଗ ଉଠାଉଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଏହି ଦୁଇ ମୁଖ୍ୟ ପ୍ରସଙ୍ଗକୁ ଗୌଣ କରି ‘ଆର୍ଥିକ ସ୍ୱାୟତ୍ତତା’କୁ କାହିଁକି ଆଗକୁ ଆଣୁଛି। ୨୦୦୪ ମସିହାରେ କେନ୍ଦ୍ରରେ ୟୁପିଏ ସରକାର କ୍ଷମତାକୁ ଆସିବା ପରଠୁ ନବୀନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଉଠାଇ ଆସୁଥିଲେ। ଏଥିପାଇଁ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ବିଜେଡି କରିବା ସହ ୨୦୧୩ ଜୁନ ମାସରେ ଦିଲ୍ଲୀରେ ମଧ୍ୟ ସ୍ୱାଭିମାନ ସମାବେଶ କରିଥିଲା। ଏପରିକି ୨୦୧୪ ନିର୍ବାଚନୀ ଇସ୍ତାହାରରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି’ ହାସଲ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ରଘୁରାମ ରାଜନ କମିଟି ସୁପାରିସ୍ ଓ ଅର୍ଥ କମିଶନ ସୁପାରିସ ପରେ ବିଜେଡି ନିଜଆଡ଼ୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ’କୁ ଶୀତଳ ଭଣ୍ଡାରରେ ପକାଇ ଦେଇଥିଲା। ସେହିପରି ୨୦୦୭-୦୮ ମସିହାରେ ଗହମ ଭଳି ଧାନର ଏମଏସପି ବୃଦ୍ଧି କରାଯାଉ ବୋଲି ଦର୍ଶାଇ ନବୀନ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେବେଠୁ ଏହି ପ୍ରସଙ୍ଗକୁ ନେଇ ଚୁପଚାପ ବସିଥିବା ନବୀନ ୨୦୧୬ ମସିହାରେ ଏମଏସପି ଦାବିକୁ ବ୍ୟାପକ କରିବା ସହ ବିଧାନସଭାରେ ସଂକଳ୍ପ ଗୃହୀତ କରିଥିଲେ।

ତେବେ ଦୀର୍ଘ ଦଶନ୍ଧି ପୁରୁଣା ଏହି ଦୁଇ ପ୍ରସଙ୍ଗ ସହ ଜାତୀୟ ଦୃଷ୍ଟିକୋଣ ଜଡ଼ିତ ଥିବାରୁ ଏ ଦିଗରେ ସଫଳତା ମିଳିବାର ସମ୍ଭାବନା ବିଲକୁଲ ନାହିଁ କହିଲେ ଚଳେ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପରିବର୍ତ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି ନକରି ନବୀନ ‘ଆର୍ଥିକ ସ୍ୱାୟତ୍ତତା’ ପ୍ରସଙ୍ଗ ଉଠାଇ ରାଜନୀତିକ କାର୍ଡ ଖେଳିବାକୁ ଚାହୁଁଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା। ସେହିପରି ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ ନବୀନ ଅନ୍ୟ ଡିସେଣ୍ଟ୍ରାଲାଇଜଡ୍ ପ୍ରୋକ୍ୟୁଓଅର ଷ୍ଟେଟ୍ (ଡିସିପି) ଅର୍ଥାତ୍ ‘ବିକେନ୍ଦ୍ରୀକୃତ ପ୍ରକ୍ରିୟାକରଣ ରାଜ୍ୟ’ ଭଳି ଚାଷୀଙ୍କ ସ୍ୱାର୍ଥରେ ପଦକ୍ଷେପ ନନେଇ ୨୦୧୪ ମସିହା ପରଠୁ କେବଳ କେନ୍ଦ୍ର ଉପରେ ଦୋଷ ଲଦିବାରେ ଲାଗିଛନ୍ତି।

ଚାଷୀଙ୍କ ଧାନ ଓ ଗହମ ଉପରେ ବୋନସ ଦେବା ଉପରେ ୨୦୧୪ ଜୁଲାଇ ମାସରେ କେନ୍ଦ୍ର ସରକାର କଟକଣା ଜାରି କରିଥିବାର ଆଳ ଦେଖାଇ ଏବେ ନିଜକୁ ଦାୟିତ୍ୱମୁକ୍ତ କରୁଥିବା ନବୀନ ପଟ୍ଟନାୟକ ସରକାର କିନ୍ତୁ ୨୦୧୫ ମସିହା ନଭେମ୍ବରରେ ବରଗଡ଼ର ସୋହଲା ଚାଷୀ ସମାବେଶରେ ଚାଷୀଙ୍କୁ ବୋନସ ଦେବାକୁ ଘୋଷଣା କରିଥିଲେ । ସେତେବେଳେ କେନ୍ଦ୍ରର କଟକଣା କଥାକୁ ନବୀନ ଜାଣିଅଜଣା ହୋଇଥିଲେ ଓ ଚାଷୀ ଠକାମୀର ଶିକାର ହେଲେ।

ଅବଶ୍ୟ ଚାଷୀଙ୍କୁ ବୋନସ ଦେବା ଉପରେ କେନ୍ଦ୍ର ସରକାର କୌଣସି କଟକଣା ଜାରି କରିନାହାନ୍ତି ବୋଲି ୨୦୧୪ ଡିସେମ୍ବର ୧୨ ତାରିଖରେ ରାଜ୍ୟସଭାରେ ତତକାଳୀନ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଏକ ଲିଖିତ ଉତ୍ତରରେ ସ୍ପଷ୍ଟ କରିଥିଲେ । ଏହାଛଡ଼ା ଡିସିପି ରାଜ୍ୟ ଭାବେ ପରିଚିତ ମଧ୍ୟପ୍ରଦେଶ, ବିହାର, କେରଳ,ରାଜସ୍ଥାନ, ତାମିଲନାଡୁ ଆଦି ସରକାର ମଧ୍ୟ ୨୦୧୫ ମସିହାଠୁ କ୍ରମାଗତ ଚାଷୀଙ୍କୁ ବୋନସ ପ୍ରଦାନ କରୁଛନ୍ତି। କିନ୍ତୁ ଓଡ଼ିଶା ଏଭଳି ନକରି କେବଳ କେନ୍ଦ୍ର ଉପରେ ଦୋଷ ଲଦି ଖସିଯିବାକୁ ପ୍ରୟାସ କରିଛି। ଯଦିଓ ପଡ଼ୋଶୀ ଛତିଶଗଡ଼ ସରକାର ଗତମାସରେ ଚାଷୀଙ୍କୁ ୭୫୦ଟଙ୍କା ବୋନସ ଦେବାକୁ ଘୋଷଣା କରିଛି ।

ଚାଷୀ ସମାବେଶ ପରେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇ ନବୀନଙ୍କ ବିଜେଡି ଚିରାଚରିତ ଢଙ୍ଗରେ ନିଜର ରାଜନୀତିକ କାର୍ଡ ଖେଳିଥିଲେ ମଧ୍ୟ ଚାଷୀଙ୍କୁ ବୋନସ ହେଉ କିମ୍ବା କୃଷିଋଣ ଛାଡ଼ କରିବା ଭଳି ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଉଛି। ଯାହାକି ଚାଷୀଙ୍କ ପ୍ରତି ଦଳର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।

ନିର୍ବାଚନୀ ବର୍ଷରେ ନବୀନ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ଏମ୍ଏସପି ବୃଦ୍ଧି ଦାବି ଆଳରେ ଦିଲ୍ଲୀରେ ସମାବେଶ କରିବାର ପୁରୁଣା ଷ୍ଟାଇଲ ଆପଣାଇବା ସହ ଆଗାମୀ ନିର୍ବାଚନରେ ‘ଆର୍ଥିକ ସ୍ୱାୟତ୍ତତା’କୁ ବିଜେଡି ତା’ର ଦଳୀୟ ଇସ୍ତାହାରରେ ସାମିଲ କରିବ ବୋଲି ଆଭାସ ଦେଇଛନ୍ତି। ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି’ ଓ ‘ଏମଏସପି ବୃଦ୍ଧି ଦାବି’ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାସଙ୍ଗିକତା ହରାଇ ସାରିଥିବାରୁ କେନ୍ଦ୍ରୀୟ ଅବହେଳାର ପୁରୁଣା ସ୍ଲୋଗାନକୁ ସତେଜ ରଖିବା ପାଇଁ ନବୀନ ଏବେ ‘ଆର୍ଥିକ ସ୍ୱାୟତ୍ତତା’ କାର୍ଡକୁ ଅସ୍ତ୍ର କରିଛନ୍ତି। ଏହି କାର୍ଡକୁ ନବୀନ ୨୦୧୯ ନିର୍ବାଚନରେ ଦଳୀୟ ଇସ୍ତାହାରରେ ସାମିଲ କରି ନିଜ ଦୋଷ ଘୋଡ଼ାଇବା ପାଇଁ ‘ଢ଼ାଲ’ ଭାବେ ବ୍ୟବହାର କରିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter http://bit.ly/2Ca1tNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages