
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି ଚାଷୀ। ସେମାନଙ୍କ ଚାଉଳରେ ମହାପ୍ରସାଦ ତିଆରି ହେଉଛି। ଆପଣ(ଚାଷୀ) ଦେଉଥିବା ପରିବା ମହାପ୍ରସାଦରେ ଲାଗୁଛି। ଏପରି ମହାନ୍ କାର୍ଯ୍ୟ ଆପଣମାନେ କରୁଛନ୍ତି। ସେଥିପାଇଁ ଯୋଜନାର ନାଁ ‘କାଳିଆ’ ରଖାଯାଇଛି। ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ କହିଛନ୍ତି-“ମୁଁ ଚାହେଁ ଅନ୍ନଦାତାମାନେ ଭଲରେ ରୁହନ୍ତୁ। କେବଳ ଗୋଟିଏ ଥର ସାହାଯ୍ୟ କଲେ, ସେମାନଙ୍କ ସମସ୍ୟା ଦୂର ହେବନାହିଁ। ତେଣୁ ଏପରି ଯୋଜନା ହେବା ଦରକାର, ଯେପରି ଆପଣମାନେ ସବୁ ଫସଲରେ ସବୁ ଋତୁରେ ସାହାଯ୍ୟ ପାଇପାରିବେ। ସେଥିପାଇଁ ଏହି ‘କାଳିଆ’ ଯୋଜନା କରାଯାଇଛି। ଆପଣମାନେ ୩ ବର୍ଷରେ ୬ଟି ଋତୁରେ ସାହାଯ୍ୟ ପାଇବେ।
‘କାଳିଆ’ ଯୋଜନାରେ ରାଜ୍ୟର ସବୁ ଚାଷୀ, ବିଶେଷକରି ଛୋଟ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକ ସମସ୍ତେ ସୁବିଧା ପାଇବେ। ଆପଣଙ୍କୁ ଖରିଫ୍ ପାଇଁ ଅକ୍ଷୟ ତୃତୀୟା ଦିନ ମିଳିବ ୫୦୦୦ ଟଙ୍କା। ରବି ପାଇଁ ନୂଆଖାଇ ଦିନ ମିଳିବ ୫୦୦୦ ଟଙ୍କା। ଏ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆପଣମାନେ ଜାଣି ରଖନ୍ତୁ, କାଳିଆକୁ କେହି ରୋକି ପାରିବେ ନାହିଁ। ‘କାଳିଆ’ ଯୋଜନାରୁ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକାର ପାଇବେ। ଏଥିପାଇଁ ‘କାଳିଆ’ ଯୋଜନାକୁ ଆଜି ସାରା ଦେଶାରେ ସମସ୍ତେ ଭଲ ଯୋଜନା ଭାବରେ ପ୍ରଶଂସା କରାଯାଇଛି।”
ସେ କହିଛନ୍ତି-“ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ କାଳିଆ ଯାତ୍ରା ମୁଁ ଆରମ୍ଭ କଲି। କାଳିଆ ଯାତ୍ରାକୁ କେହି ରୋକି ପାରିବେ ନାହିଁ। ଓଡ଼ିଶାର ଅର୍ଥନୀତିର ବିକାଶରେ ଏହା ଏକ ମାଇଲ୍ଖୁଣ୍ଡ ହୋଇଯିବ। ‘କାଳିଆ’ ଯୋଜନା ଦ୍ୱାରା ଆପଣମାନଙ୍କର ଚାଷବାସ ଭଲ ହେବ। ଆପଣଙ୍କ ପରିବାରର ଉନ୍ନତି ହେବ ଓ ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ।”
ମାଳତୀପାଟପୁରରେ ଆୟୋଜିତ ଏହି ଚାଷୀ ମହାସମାବେଶରେ ରାଜ୍ୟର ୩୧୪ ବ୍ଲକରୁ ଲକ୍ଷାଧିକ ଚାଷୀ ଯୋଗଦେଇଛନ୍ତି। ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟୟରେ ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ‘କାଳିଆ’ ଯୋଜନାର ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।
from Odisha Reporter http://bit.ly/2Dyl0J9
No comments:
Post a Comment