
ନାପିଅର: ରେକର୍ଡ ବ୍ରେକର ଭାବେ ପରିଚିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୪୫ ରନ୍ର ଇନିଂସ୍ ଖେଳିଛନ୍ତି। ତେବେ ଏହି ୪୫ ରନ୍ର ଇନିଂସ୍ ପରେ ବିରାଟ୍ଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି।
ଦିନିକିଆରେ ସର୍ବାଧିକ ରନ୍ ହାସଲକାରୀ ୧୦ ଖେଳାଳିଙ୍କ ମଧ୍ୟରେ ଥିବା ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାୟନ ଲାରାଙ୍କୁ ବିରାଟ ପଛରେ ପକାଇ ଦେଇଛନ୍ତି। ଏଥିସହ ଦିନିକିଆରେ ସର୍ବାଧିକ ରନ୍ ହାସଲକାରୀ ତାଲିକାର ଟପ୍ ଟେନ୍ରେ ମଧ୍ୟ ବିରାଟ୍ ପ୍ରବେଶ କରିଛନ୍ତି।
ପୂର୍ବରୁ ବ୍ରାୟନ ଲାରା ୧୦୪୦୫ ରନ୍ ସହ ୧୦ ନଂ ସ୍ଥାନରେ ଥିଲେ। କିନ୍ତୁ ବିରାଟ୍ ଆଜିର ୪୫ ରନ୍ର ଇନିଂସ୍ ପରେ ଦିନିକିଆରେ ୧୦୪୩୦ ରନ୍ କରିଛନ୍ତି। ତେଣୁ ସେ ଲାରାଙ୍କୁ ହଟାଇ ଟପ୍ ଟେନ୍ରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ବିରାଟ୍ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୧୧୫୭ ରନ୍ କରିଥିଲେ।
ବିରାଟ୍ ମ୍ୟାଚ୍ ଆରମ୍ଭରୁ ଏହି ରନ୍ଠାରୁ ମାତ୍ର ୩ ରନ୍ ଦୂରରେ ରହିଥିଲେ। କିନ୍ତୁ ଆଜି ୪ ରନ୍ କରିବା କ୍ଷଣି ବିରାଟ୍ ସେହୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୧୧୯୮ ରନ୍ କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସର୍ବାଧିକ ରନ୍ ହାସଲକାରୀ ଭାରତୀୟ ଖେଳାଳିଙ୍କ ତାଲିକାରେ ସଚିନ୍ ତେନ୍ଦୁଲକର ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୭୫୦ ରନ୍ କରିଛନ୍ତି।
from Odisha Reporter http://bit.ly/2DugjjA
No comments:
Post a Comment