ନବୀନଙ୍କ ସମଦୂରତ୍ୱ ଥିଓରୀ: ସୁବିଧାବାଦୀ ରାଜନୀତି ନା ବାଧ୍ୟବାଧକତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ନବୀନଙ୍କ ସମଦୂରତ୍ୱ ଥିଓରୀ: ସୁବିଧାବାଦୀ ରାଜନୀତି ନା ବାଧ୍ୟବାଧକତା

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆସନ୍ତାକାଲି କୋଲକାତାରେ ହେବାକୁ ଥିବା ଏନଡିଏ ବିରୋଧୀ ମହାର‌୍ୟାଲିରୁ ବିଜେଡି ଦୂରେଇ ରହିବ। ସାଧାରଣ ନିର୍ବାଚନ ପୂର୍ବରୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିଜେପି ବିରୋଧୀ ୨୦ରୁ ଅଧିକ ଦଳକୁ ମମତା ଆସନ୍ତାକାଲି କୋଲକାତାରେ ଏକଜୁଟ କରି ଜାତୀୟ ରାଜନୀତିରେ ଏକ କମ୍ପନ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ‘ସଂଯୁକ୍ତ ବିରୋଧୀ ର‌୍ୟାଲି’ ବିଜେପି ପାଇଁ ‘ମୃତ୍ୟୁ ନାଦ’ ହେବ ବୋଲି ଏନଡିଏବିରୋଧୀ ଦଳଗୁଡ଼ିକ କହୁଥିଲେ ମଧ୍ୟ ଓଡ଼ିଶାରେ ବିଜେପିର କଟ୍ଟରବିରୋଧୀ ପାଲଟିଥିବା ବିଜେଡି ସେଥିରେ ସାମିଲ ନହେବା ଦଳର ରାଜନୀତିକ ବାଧ୍ୟବାଧକତାକୁ ଇଙ୍ଗିତ କରୁଛି। ଏହାସହିତ ପୁଣିଥରେ ବିଜେଡିର ସୁବିଧାବାଦୀ ରାଜନୀତିକ ଆଭିମୁଖ୍ୟକୁ ମଧ୍ୟ ପଦାରେ ପକାଇଛି।

ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତାକାଲିର ର‌୍ୟାଲିରେ ସାମିଲ ହେବା ପାଇଁ ବିଜେଡିକୁ କୌଣସି ନିମନ୍ତ୍ରଣ ମିଳିନାହିଁ। ତା’ଛଡ଼ା ବିଜେଡି ଏବେ ବିି ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ନୀତିରେ କାଏମ ରହିଛି। ଓଡ଼ିଶାର ସ୍ୱାର୍ଥକୁ ନେଇ ବିଜେଡି ଲଢ଼େଇ କରୁଛି ଓ ଦଳ ରାଜ୍ୟ ରାଜନୀତିକୁ ପ୍ରାଥମିକତା ଦେଉଛି। ଭବିଷ୍ୟତରେ କ’ଣ ଚିତ୍ରପଟ୍ଟ ହେବ ତାକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ।

ବିଜେଡିର ଏହି ବୟାନରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ବିଜେଡି ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପି ସହ ମୁକାବିଲା କରୁଥିଲେ ମଧ୍ୟ ଜାତୀୟ ରାଜନୀତିରେ ନିଜର ସୁବିଧା ଅନୁସାରେ ଗୋଟିଚାଳନାକୁ ପ୍ରାଥମିକତା ଦେଉଛି। ୟୁପିଏ ସରକାର ଅମଳରେ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥିବା ବିଜେଡି ମଧ୍ୟ ଏବେ ଏନଡିଏ ସରକାର ଅମଳରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ସହଯୋଗର ହାତ ବଢ଼ାଇଛି।

ମମତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ନେତୃତ୍ୱରେ ଆସନ୍ତାକାଲି କୋଲକାତାରେ ବିରୋଧୀ ଦଳଗୁଡ଼ିକର ସମାବେଶରେ କଂଗ୍ରେସ ସାମିଲ ହୋଇ ବିଜେପି ବିରୋଧୀ ଶକ୍ତି ମଧ୍ୟରେ ଏକଜୁଟତା ଥିବା ଦର୍ଶାଇବାକୁ ପ୍ରୟାସ କରିଛି। ମାତ୍ର ନବୀନଙ୍କ ବିଜେଡି ଏହି ସମାନ ଫର୍ମୂଲାରେ ବିଜେପିକୁ ବିରୋଧ କରିବାର ସାହସ ଜୁଟାଇ ପାରିନି। ଦଳ ସମଦୂରତ୍ୱ ଆଭିମୁଖ୍ୟର କାର୍ଡ ଖେଳି ସୁବିଧାବାଦୀ ରାଜନୀତିକୁ ପ୍ରାଥମିକତା ଦେଇଛି।

ଅବଶ୍ୟ, ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରର ସହଯୋଗୀ ତାଲିକାରୁ ଏବେ ଗୋଟିଏ ପରେ ଗୋଟିଏ ଦଳ ବାଦ୍ ପଡ଼ୁଥିଲେ ମଧ୍ୟ ବିଜେପି ଜାତୀୟ ନେତୃତ୍ୱ ତେଲେଙ୍ଗାନାରେ ଟିଆରଏସ୍ , ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ଏବଂ ଓଡ଼ିଶାରେ ବିଜେଡି ଭଳି ବିଶ୍ୱସ୍ତ ସହଯୋଗୀଙ୍କ ମାଧ୍ୟମରେ ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀ ଦଖଲର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇସାରିଛି। ଯେଉଁଥିପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ତେଲଗୁଦେଶମ ପାର୍ଟ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନିମନ୍ତେ ହୋଇଥିବା ପ୍ରୟାସରୁ ବିଜେଡି ଦୂରେଇ ରହିଥିଲା।

ଅପରପକ୍ଷରେ ବିଜେପିକୁ ପରୋକ୍ଷରେ ସୁହାଇବା ଭଳି ମେଣ୍ଟ (ଟିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ) ପ୍ରତି ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ବିଜେଡି ପଛାଇ ନଥିଲା। ଶ୍ରୀ ରାଓଙ୍କୁ ଗତମାସରେ ଓଡ଼ିଶାରେ ସ୍ୱାଗତ କରି ନବୀନ ନିବାସରେ ଏକାନ୍ତ ଆଲୋଚନା କରିଥିବା ନବୀନ ଗଣମାଧ୍ୟମ ଆଗରେ ସମଦୂରତ୍ୱର ସ୍ଲୋଗାନକୁ ଦୋହରାଇଥିଲେ ମଧ୍ୟ ଟିଆରଏସ ମାର୍ଗରେ ବିଜେଡି ସହଯୋଗୀ ହେବ ବୋଲି ଆଶ୍ୱସ୍ତ କରିଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଏବେ ନବୀନ ବିଜେପି ଜାତୀୟ ନେତୃତ୍ୱଙ୍କୁ ମ୍ୟାନେଜ୍ କରି ବିଜେଡିର ପ୍ରଭାବ ବୃଦ୍ଧି କରିବା ସହ ରାଜ୍ୟରେ ବିଜେପିକୁ ତଳିତଳାନ୍ତ କରିବାର ରଣନୀତିରେ ପ୍ରାୟ ସଫଳ ହୋଇଥିବାବେଳେ ଆଗାମୀ ନିର୍ବାଚନରେ କଂଗ୍ରେସ ସମେତ ଛୋଟ ଛୋଟ ଦଳଗୁଡ଼ିକ ବିଜେଡି ପାଇଁ ମୁଖ୍ୟତଃ ଚ୍ୟାଲେଞ୍ଜ ହେବେ। ୨୦୧୯ ସାଧାରଣ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁଦେଶମ ପାର୍ଟି ଓ ଉତ୍ତର ଓଡ଼ିଶାରେ ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ଏହି ଦୁଇ ଦଳର ପ୍ରଭାବ ମଧ୍ୟ ରହିଛି। ଏପଟେ ରାଜ୍ୟର ସବୁ ଭାଗରେ ବିଜେଡିର ନିଜସ୍ୱ ସଂଗଠନ ଥିବାରୁ ଏହି ଦୁଇ ବାହାର ରାଜ୍ୟର ଦଳ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ସିଧାସଳଖ ଚ୍ୟାଲେଞ୍ଜ ହେବେ। ଏହି ଦୁଇ ଅଣକଂଗ୍ରେସ ଦଳ ମୁଖ୍ୟତଃ ବିଜେଡିର ଭୋଟବ୍ୟାଙ୍କରେ ଛିଦ୍ର କରିବେ। ଯଦିଓ ଏହି ଭୋଟ୍ ପ୍ରତିଶତ ବେଶ ନଗଣ୍ୟ, ତଥାପି ରାଜ୍ୟରେ କ୍ଷମତାବିରୋଧୀ ହାୱା ମଧ୍ୟରେ କଂଗ୍ରେସ-ବିଜେପି ଓ ବିଜେଡିର ତ୍ରିମୁଖୀ ଲଢ଼େଇରେ କୌଣସି ପ୍ରାର୍ଥୀଙ୍କୁ ପରାଜିତ କରିବାରେ ତେଲଗୁଦେଶମ ପାର୍ଟି ଓ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି।

ବିଜେଡି ଏହି ଦୁଇ ଦଳ ସହ ରାଜନୀତିକ ବୁଝାମଣା କରି ସେସବୁ ଜିଲ୍ଲାରେ ନିଜର ସଂଗଠନକୁ ଦୁର୍ବଳ କରିବାକୁ ଚାହୁଁନଥିବାରୁ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆସନ୍ତାକାଲି ହେଉଥିବା ମହାର‌୍ୟାଲିରେ ସାମିଲ ନହେବା ଏକପ୍ରକାର ବାଧ୍ୟବାଧକତା ବୋଲି କୁହାଯାଇପାରେ। ତେବେ ଏପରି ନୀତି ବଳରେ ଦଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱର କୋପଦୃଷ୍ଟିରୁ ବର୍ତ୍ତିବା ସଙ୍ଗେସଙ୍ଗେ ରାଜ୍ୟ ବିଜେପିକୁ ମଧ୍ୟ ଚେକ୍ ଦେଇପାରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from Odisha Reporter http://bit.ly/2Mhc3qy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages