
କୋଚି: ପଛରୁ ପଡୁଥିଲା ଗୋଇଠା, ବିଧା। ତଥାପି ନିଜ କର୍ମରୁ ବିରତ ହୋଇ ନ ଥିଲେ ସେମାନେ। ମୁଣ୍ଡ ଓ ବେକରେ ଆଘାତ ପାଇବା ପରେ ମଧ୍ୟ କ୍ୟାମେରାରେ ଶୁଟ୍ କରିବା ବନ୍ଦ କରି ନ ଥିଲେ। ବାରମ୍ବାର ଧମକ୍ପୂର୍ଣ୍ଣ ସ୍ୱରରେ କିଛି ଲୋକ ଯେତେବେଳେ କ୍ୟାମେରା ବନ୍ଦ କରିବାକୁ କହୁଥିଲେ ସେତେବେଳେ ସେମାନେ ଦୌଡୁଥିଲେ ହେଲେ କ୍ୟାମେରା ଛାଡୁ ନ ଥିଲେ। ହତ୍ୟା ଧମକ ମଧ୍ୟ ସେମାନଙ୍କୁ ମିଳିଥିଲା। ତଥାପି ନିଜ କର୍ମ ପଥରୁ ସେମାନେ ବିଚ୍ୟୁତ ହୋଇ ନ ଥିଲେ। ଆମେ କହୁଛୁ କେରଳ ସାବରୀମାଳା ମନ୍ଦିରରେ ଘଟିଥିବା ହିଂସାକାଣ୍ଡ କଥା। ଯାହାକୁ ନେଇ ସାରା ଦେଶ ଏବେ ଉଠୁଛି ପଡୁଛି।
ଏକ ଖବରକାଗଜରେ ଉକ୍ତ ଘଟଣା ନେଇ ପ୍ରକାଶିତ ଖବରରେ ଜଣେ ମହିଳା କ୍ୟାମେରାମ୍ୟାନ୍ କାନ୍ଦି କାନ୍ଦି ଭିଡିଓ ଶୁଟ୍ କରୁଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ଖବର ସଂଗ୍ରହ କରୁଥିବା ଉକ୍ତ କ୍ୟାମେରା ପର୍ସନ୍ଙ୍କୁ ସାବାସୀ ନ ଦେଇ ରହି ପାରିବେନି।
ଉକ୍ତ ମହିଳା ଜଣଙ୍କ ହେଉଛନ୍ତି କେରଳର ଏକ ଆଞ୍ଚଳିକ ନ୍ୟୁଜ୍ ଚ୍ୟାନେଲ୍ର କ୍ୟାମେରା ପର୍ସନ୍ ଶାଜିଲା ଅବ୍ଦୁଲ୍ଲା ରେହମାନ୍। ସାବରିମାଳାରେ ଚାଲିଥିବା ହିଂସାକାଣ୍ଡର ସେ ଭିଜୁଆଲ୍ ରେକର୍ଡିଂ ପାଇଁ ଯାଇଥିଲେ। କିନ୍ତୁ ସେଠାକାର ହିଂସାକାଣ୍ଡରେ ସେ ନିଜେ ଫସିଯାଇଥିଲେ।
ନିକଟରେ ତାଙ୍କର ଏକ ଫଟୋ କେରଳର ଆଞ୍ଚଳିକ ଖବରକାଗଜ ‘ମାତୃଭୂମି’ରେ ଛପା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଫଟୋରେ ଶାଜିଲା କାନ୍ଦୁଥିବା ଅବସ୍ତାରେ ହାତରେ କ୍ୟାମେରା ଧରି ଶୁଟିଂ କରୁଛନ୍ତି।
ସୂଚନା ଅନୁଯାୟୀ, ଶାଜିଲା ରେହମାନଙ୍କ ଉପରେ ହିନ୍ଦୁ ସଂଗଠନ ହାମଲା କରିଥିଲା।
ଶାଜିଲାଙ୍କ କହିବା ଅନୁଯାୟୀ, “ସାବରିମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ପରେ ହିନ୍ଦୁବାଦୀ ସଂଗଠନ ଦ୍ୱାରା ବନ୍ଦ ଡାକରାର କଭରେଜ୍ ପାଇଁ ମୁଁ ଯାଇଥିଲି। ସେଠାରେ ଭିଡିଓ ରେକର୍ଡିଂ କରିବା ସମୟରେ କିଛି ଯୁବକ ମତେ ଘେରି ନେଇଥିଲେ। ସେମାନେ ମତେ ପଛରୁ ବାରମ୍ବାର ଗୋଇଠା ମାରୁଥିଲେ। ମୁଁ ସେତେବେଳେ ଭିଡିଓ ଶୁଟ୍ କରୁଥିଲି। ଏହାପରେ ସେମାନେ ମୋ ମୁଣ୍ଡ ଏହଂ ବେକ ଉପରେ ଆକ୍ରମଣ କରିଥିଲେ। ତଥାପି ମୁଁ ଶୁଟିଂ ବନ୍ଦ କରି ନ ଥିଲି। ମୋ ବେକରେ ଟିକେ ଆଘାତ ଲାଗିଥିଲା । ଏହାପରେ ସେମାନେ ମୋ କ୍ୟାମେରା ଛଡାଇକୁ ଚେଷ୍ଟା କଲେ। ରେକର୍ଡ ହୋଇଥିବା ଭିଡ଼ିଓକୁ ଡିଲିଟ୍ କର ନ ହେଲେ ଜୀବନରୁ ମାରିଦେବାର ଧମକ ଦେଲେ। କିନ୍ତୁ ମୁଁ ତାଙ୍କ କଥା ଆଦୌ କର୍ଣ୍ଣପାତ କଲିନାହିଁ। ମୁଁ ମୋ କାମ କରିଚାଲିଲି।”
ଶାଜିଲା ଯନ୍ତ୍ରଣାରେ ରେକର୍ଡିଂ ସମୟର ଫଟୋକୁ ଜଣେ ପଟୋ ସାମ୍ବାଦିକ କ୍ୟାପଚର୍ କରି ଖବରକାଗଜରେ ବାହାର କରିଥିଲେ। ସେପଟେ ଶାଜିଲାଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ କେରଳ ପତ୍ରକାର ସଂଗଠନ ଥାନାରେ ଅଭିଯୋଗ କରିଛି।

from Odisha Reporter http://bit.ly/2F9jX3v
No comments:
Post a Comment