ମଲ୍ଲିକାଶପୁରର ‘ବ୍ରଜ ମୋହନ’ ଏମିତି ହେଲେ ‘ବ୍ୟାସକବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ମଲ୍ଲିକାଶପୁରର ‘ବ୍ରଜ ମୋହନ’ ଏମିତି ହେଲେ ‘ବ୍ୟାସକବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ମଲ୍ଲିକାଶପୁର। ଛୋଟିଆ ଗାଁଟିଏ। ତତ୍କାଳୀନ ଓଡ଼ିଶାର ଏହି ଅକ୍ଷାତ ପଲ୍ଲୀ ଦିନେ ଓଡ଼ିଆ ସାହିତ୍ୟ ପାଇଁ ଏକ ଆଲୋକ ବର୍ତ୍ତିକା ହେବ ହୁଏତ ଏ କଥା ସେତେବେଳେ କେହି ଜାଣି ନ ଥିଲେ। ୧୩ ଜାନୁଆରୀ ୧୮୪୩ ମସିହା। ପବିତ୍ର ମକର ସଂକ୍ରାନ୍ତି। ଭୂମିଷ୍ଟ ହୋଇଥିଲେ ଓଡ଼ିଆ ଗଳ୍ପ ସାହିତ୍ୟର ସେନାପତି ଫକୀର ମୋହନ। ବ୍ୟାସକବି ଫକୀର ମୋହନ ସେନାପତି। ଆଜି ହେଉଛି ସେହି ମହାନ୍‌ ଯୋଗଜନ୍ମା ଓଡ଼ିଆ ପୁଅର ୧୭୬ ତମ ଜନ୍ମବାର୍ଷିକୀ। ଆସନ୍ତୁ ଜାଣିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ କିଛି।

ନିଜ ଗାଁରୁ ଆରମ୍ଭ ହୋଇଥିଲା ତାଙ୍କ ଶିକ୍ଷାଗତ ଜୀବନ। ଉଚ୍ଚ ଶିକ୍ଷା ହାସଲ କରିବା ପରେ ସେ ପହଞ୍ଚିଥିଲେ, ସଂସ୍କୃତିର ସହର କଟକରେ। ଛୋଟ ବେଳୁ ତାଙ୍କର ଓଡ଼ିଆ ଭାଷା ପ୍ରତି ଥିଲା ଅହେତୁକ ପ୍ରେମ। ଇଂରାଜୀ, ବଙ୍ଗଳା, ସଂସ୍କୃତ ଭାଷା ଶିକ୍ଷା ଲାଭ ପରେ ମଧ୍ୟ ଓଡ଼ିଆ ଭାଷାକୁ ଏକ ନୂଆ ଦିଗ ଦେବା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ।

ନିଜ ଭିତରେ ଥିବା ଓଡ଼ିଆ ଅସ୍ମିତାକୁ ସେ କେବେ ହେଲେ ମରିବାକୁ ଦେଇ ନ ଥିଲେ। ବାଲେଶ୍ୱର ପ୍ରତି ଅତ୍ୟାଧିକ ମାତ୍ରାରେ ବଙ୍ଗଳାର ପ୍ରଭାବ ରହିଥିଲେ ମଧ୍ୟ ସେ କେବେହେଲେ ବଙ୍ଗଳା ଭାଷାର ପ୍ରଭାବରେ ନିଜକୁ ନିଷ୍ପ୍ରଭ ହେବାକୁ ଦେଇ ନ ଥିଲେ। ନିଜକୁ ଜଣେ ଓଡ଼ିଆ ବୋଲି କହି ସବୁବେଳେ ଗର୍ବ ଅନୁଭବ କରୁଥିଲେ।

କଟକରେ ପହଞ୍ଚି ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷକତା ଜୀବନ। ଅନେକ ଲୋକଙ୍କ ସହିତ ମିଶିଥିଲେ। କିନ୍ତୁ ଗୋଟିଏ ଜିନିଷ ତାଙ୍କ ମନକୁ କଷ୍ଟ ଦେଇଥିଲା। ସବୁ ସ୍ଥାନରେ ସେ ଓଡ଼ିଆ ଭାଷା ବଦଳରେ ବଙ୍ଗଳା ଭାଷାର ଛାପା ବହି ଦେଖିବାକୁ ପାଇଥିଲେ। ସତେ ଯେମିତି ମୁଣ୍ଡ ନଇଁଗଲା ଭଳି ଲାଗୁଥିଲା ତାଙ୍କୁ। ଓଡ଼ିଶାରେ ରହି ମଧ୍ୟ ଓଡ଼ିଆମାନେ ବଙ୍ଗଳା ଭାଷାରେ ପାଠ ପଢ଼ିବା ତାଙ୍କ ମନକୁ ଗଭୀର ଆଘାତ ଦେଇଥିଲା।

ସେହିଠାରୁ ସେ ନିଷ୍ପତ୍ତି ନେଲେ, ଲୁକାୟିତ ହୋଇ ରହିଥିବା ଓଡ଼ିଆ ଭାଷାକୁ ଏକ ନୂଆ ଦିଗ ଦେଇ ଏହାକୁ ଉତ୍କଳର ଭାଷା ରୂପେ ପରିଚିତ କରାଇବେ। ସେହିଦିନଠାରୁ ସେ ନିଜସ୍ୱ ଚେଷ୍ଟାରେ ଅନେକ ଓଡ଼ିଆ ଭାଷାରେ ପୁସ୍ତକ ଓ ଗଳ୍ପ, କବିତା ରଚନା ଆରମ୍ଭ କରିଥିଲେ। ବଙ୍ଗଳାରେ ଲିଖିତ ପାଠ୍ୟପୁସ୍ତକ ସବୁକୁ ସେ ଓଡ଼ିଆରେ ଅନୁବାଦ କରି ଓଡ଼ିଶା ଏବଂ ଓଡ଼ିଆ ଭାଷାର ସମ୍ମାନ ଦ୍ୱିଗୁଣିତ କରିଥିଲେ।

ବ୍ୟାସକବିଙ୍କ ବାଲ୍ୟଜୀବନ

ଫକୀରମୋହନ ୧୩ ଜାନୁଆରୀ ୧୮୪୩ ମସିହାରେ ଜନ୍ମ ନେଇଥିଲେ। ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ହୋଇଥିବା ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ଈହଧାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ପଡ଼ିଥିଲା ଜେଜେମା’ଙ୍କ କାନ୍ଧରେ।

ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ ସେନାପତି । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେମା’ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ। ଓଡିଆ ଘର ପରମ୍ପରା ମୁତାବକ ତାଙ୍କୁ ସେହି ଫକୀରମାନଙ୍କୁ ବିକ୍ରି କରିଦିଆ ଯାଇଥିଲା। ଫଳରେ ପ୍ରକାରାନ୍ତରେ ତାଙ୍କ ନାଁ ହୋଇ ଯାଇଥିଲା ଫକୀର ମୋହନ ।

ଛୋଟବେଳୁ ପିତାଙ୍କ ମୃତ୍ୟୁ ଯୋଗୁ ଏପରି ସମୟରେ ପାଠ ପଢ଼ିବା ପାଇଁ ଫକୀରମୋହନଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ିଥିଲା। ଅସୁସ୍ଥତା କାରଣରୁ ବିଳମ୍ବରେ ପାଠ ପଢା ଆରମ୍ଭ ହୋଇଥିଲା। ୯ବର୍ଷ ବୟସରେ ସେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ ଫକୀରମୋହନ।

ପାଠ ପଢାର ଆଗ୍ରହ ଯୋଗୁ ସେ ଓଡ଼ଆ ସହ ପ୍ୟାରିସ୍‌ ଭାଷା ମଧ୍ୟ ଶିଖି ପାରିଥିଲେ। ପିଲାଦିନେ ସେ ଶ୍ରମିକ ଭାବେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ଶିକ୍ଷା କରିଥିଲେ। ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ କିରାଣି ଚାକିରି କରିଥିଲେ। ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କଲେ।

୨୩ ବର୍ଷ ବୟସରେ ସେ ଇଂରାଜୀ ଭାଷା ଶିଖି ବ୍ରିଟିଶ୍‌ମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଓଡ଼ିଆ ଭାଷା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଯୋଗୁ ସେ ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସୃଜନାତ୍ମକ କାର୍ଯ୍ୟ କରିଛନ୍ତି।

ଫକୀରମୋହନଙ୍କୁ ଓଡ଼ିଆ ଗଦ୍ୟ ସାହିତ୍ୟର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ‘ଛ’ ମାଣ ଆଠ ଗୁଣ୍ଠ’, ‘ମାମୁଁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ତତ୍କାଳୀନ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ।

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। କେବଳ ଗଳ୍ପ ଓ ଉପନ୍ୟାସ ନୁହେଁ, ସେ ଅନେକ କବିତା ମଧ୍ୟ ଲେଖିଛନ୍ତି।

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ‘ପୁଷ୍ପମାଳା’, ‘ଉପହାର’, ‘ପୂଜା ଫୁଲ’, ‘ପ୍ରାର୍ଥନା’ ଓ ‘ଧୂଳି’ ହେଉଛି ପ୍ରମୁଖ।  ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ। ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ କରିଥିଲେ।

ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ୍‌ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଥିଲା। ତତ୍କାଳୀନ ବାମରାର ରାଜାଙ୍କଦ୍ୱାରା ସେ “ସରସ୍ୱତୀ” ଉପାଧିରେ ମଧ୍ୟ ଭୂଷିତ ହୋ‍ଇଥିଲେ।

୧୮୬୮ରେ ନିଜସ୍ୱ ପ୍ରଚେଷ୍ଟାରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ୍‌’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା। ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କରୁଥିଲେ। ଏଥିମଧ୍ୟରୁ “ବୋଧଦାୟିନୀ”, “ନବସମ୍ବାଦ” ଓ “ସମ୍ବାଦ ବାହିକା” ଆଦି ପ୍ରଧାନ। ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଏବଂ ମାଲିକ ଥିଲେ। ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ମଧ୍ୟ ଲେଖୁଥିଲେ।

ବିବାହ ଓ ପରିବାର

କୀରମୋହନ ୧୮୫୬ରେ ବିବାହ କରିଥିଲେ। ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ। ତାଙ୍କର ପ୍ରଥମ ପୁତ୍ର ୧୮୭୭ରେ ମାତ୍ର ୬ ବର୍ଷ ବୟସରେ ଅକାଳ ମୃତ୍ୟୁବରଣ କରିଥିଲେ। ଏହାପରେ ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା। ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କର ମଧ୍ୟ ୧୮୯୪ରେ ହଇଜାରେ ମୃତ୍ୟୁ ଘଟିଥିଲେ। ଧିରେଧିରେ ପାରିବାରିକ ଜୀବନ ବିଶୃଙ୍ଖଳିତ ହୋଇପଡିଲା। ପିତା ପୁତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲା ନାହିଁ। 

୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନମାନଙ୍କରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ। ୧୪ ଜୁନ୍, ୧୯୧୮ ମସିହା, ୭୫ ବର୍ଷ ବୟସରେ ଫକୀରମୋହନ ଇହଲୀଳା ସମ୍ୱରଣ କରିଥିଲେ। ଉତ୍କଳର ଏହି ବରପୁତ୍ରଙ୍କୁ ହରାଇ ଏ ଜାତି ଆଜି ବି ତାଙ୍କ ରଚିତ ଲେଖା ମାଧ୍ୟମରେ ସବୁଦିନ ପାଇଁ ତାଙ୍କୁ ସ୍ମରଣ କରୁଛି।



from Odisha Reporter http://bit.ly/2He2olE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages