
ନୂଆଦିଲ୍ଲୀ: ଓଡ଼ିଶା ଓ ସର୍ଭିସେସ୍ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ରଣଜୀ ମୁକାବିଲା ଡ୍ର ଅଭିମୁଖେ ଯାଉଛି। ଓଡ଼ିଶା ତା’ର ପ୍ରଥମ ଇନିଂସ୍ରେ ୧୭୭ ରନ୍ କରିଥିବା ବେଳେ ଏହାର ଜବାବ୍ରେ ସର୍ଭିସେସ୍ ୮ ୱିକେଟ୍ ହରାଇ ୪୧୭ ରନ୍ କରିବା ପରେ ପାଳି ଘୋଷଣା କରିଛି। ଓଡ଼ିଶା ଦ୍ୱିତୀୟ ଇନିଂସ୍ରେ ଭଲ ବ୍ୟାଟିଂ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୬୫ ରନ୍ କରିଛି।
ଶାନ୍ତୁନ ମିଶ୍ର ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଅନ୍ୟତମ ଓପନର୍ ଦେବାଶିଷ ସାମନ୍ତରାୟ ୩୫ ରନ୍ କରି ଅପରାଜିତ ରହିଛନ୍ତି। ତାଙ୍କ ସହ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭ୍ରାଂଶୁ ସେନାପତି ୫ ବଲ୍ ଖେଳି ଖାତା ଖୋଲିନାହାନ୍ତି। ଏବେ ଓଡ଼ିଶାର ଦୁଇ ଇନିଂସର ମୋଟ ସ୍କୋର ପ୍ରତିପକ୍ଷ ସର୍ଭିସେସର ପ୍ରଥମ ଇନିଂସ୍ ସ୍କୋରଠାରୁ ଆହୁରି ୧୭୫ ରନ୍ ପଛରେ ରହିଛି। ଆସନ୍ତାକାଲି ମ୍ୟାଚ୍ର ଶେଷ ଦିନ ହୋଇଥିବାରୁ ଓଡ଼ିଶା ଡ୍ର’ ପାଇଁ ଲକ୍ଷ୍ୟ ରଖିଛି।
ଗତକାଲିର ୧୮୩/୪ରୁ ସର୍ଭିସେସ ଆଜି ଇନିଂସ୍ ଆରମ୍ଭ କରିଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ରଜତ ପଲିୱାଲ ଓ ବିକାଶ ହଥୱାଲା ଦମଦାର ବ୍ୟାଟିଂ କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ରଜତ ନିଜର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିକାଶ ନିଜର ଶତକ ହାସଲ କରିଥିଲେ। ୬୨ ରନ୍ର ଇନିଂସ୍ ଖେଳିଥିବା ରଜତଙ୍କୁ ରାଜେଶ ମହାନ୍ତି ଆଉଟ୍ କରିଥିଲେ।
କିନ୍ତୁ ବିକାଶ ଶେଷ ପର୍ଯ୍ୟନ୍ତ ୧୧୫ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାଲିଦ ଅହମ୍ମଦ ଜୈଦ ୩୪ ରନ୍ କରି ଶାନ୍ତୁନ ମିଶ୍ରଙ୍କ ଶିକାର ହୋଇଥିଲେ। ସେହିପରି ଦେବେନ୍ଦ୍ର ଲୋହଚାବ(୧୫)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍ କରିଥିଲେ। ଅରୁଣ ବମଲା(୧୬)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍ କରିଥିଲେ।
ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
ଏହାର ଜବାବରେ ଓଡ଼ିଶା ବେଶ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶାନ୍ତନୁ ଓ ଦେବାଶିଷ ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ର ଭାଗୀଦାରି କରିଥିଲେ। ତେବେ ୩୦ ରନ୍ କରିଥିବା ଶାନ୍ତୁନଙ୍କୁ ଖାଲିଦ ଆଊଟ କରିଦେଇ ଓଡ଼ିଶାକୁ ପ୍ରଥମ ଝଟ୍କା ଦେଇଥିଲେ। ଏହାପରେ ଦେବାଶିଷ ଓ ଶୁଭ୍ରାଂଶୁ ଖେଳ ଶେଷ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ।
from Odisha Reporter http://bit.ly/2F2zjqO
No comments:
Post a Comment