
କଟକ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ହତ୍ୟା ମାମଲାରେ ଥାନାରେ ହାଜର ହେବା ପାଇଁ ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ଅଧିକ ମହଲତ ଦେଇଛି ଚାଉଳିଆଗଞ୍ଜ ପୁଲିସ୍। ଏହି ସାତ ଦିନ ମଧ୍ୟରେ ସେମାନେ ଥାନାରେ ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।
ଥାନାରେ ହାଜର ହେବାକୁ ନିକିତାଙ୍କ ଶାଶୂ, ଶ୍ୱଶୁର ୧୫ ଦିନ ସମୟ ମାଗିଥିଲେ। ତେବେ ପୁଲିସ୍ ୭ ଦିନ ସମୟ ଦେଇଛି।
ନିକିତାଙ୍କ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଲିପନ ସାହୁ ଗିରଫ ହୋଇଛନ୍ତି। ତା’ପରେ ଥାନାରେ ହାଜର ହେବାକୁ ପୁଲିସ୍ ତାଙ୍କ ଶାଶୂ, ଶ୍ୱଶୁରଙ୍କୁ ନୋଟିସ୍ କରିଥିଲା। ତେବେ ସେମାନେ ହାଜର ହୋଇ ନଥିଲେ। ଏହା ପରେ ପୁଲିସ୍ ସେମାନଙ୍କ ଘରେ ଲଟ୍କା ଲଗାଇ ଥିଲା। ଏହା ସତ୍ତ୍ୱେ ସେମାନେ ହାଜର ହୋଇ ନଥିଲେ ଏବଂ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ।
୨୦୧୬ ମସିହାରେ ନିକିତା ଓରଫ ଲକ୍ଷ୍ମୀପ୍ରିୟା କଟକର ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ପାରିବାରିକ କଳହ ଯୋଗୁ ନିକିତା ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିଲେ।
ଗତ ୪ ତାରିଖରେ ନିକିତା ବାପଘରେ ଥିବା ବେଳେ ତାଙ୍କ ସ୍ୱାମୀ ଆସିଥିଲେ। କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଉଭୟ ଛାତ ଉପରେ ପାଟିତୁଣ୍ଡ କରୁଥିବା ବେଳେ ଲକ୍ଷ୍ମୀପ୍ରିୟା ପଡ଼ିଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2FR1MjJ
No comments:
Post a Comment