
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଗତ ୮ ବର୍ଷରେ ଖର୍ଚ୍ଚ କରିଛନ୍ତି ୩୫୦ କୋଟି। ହୋର୍ଡିଂ ଓ ବିଜ୍ଞାପନ ବାବଦକୁ ପାଣି ଭଳି ଟଙ୍କା ବୁହାଇବା ପଛର କାରଣ କଣ ରହିଛି? ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡର ଚମକ କମିବା ନା ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାରୀ ବିରୋଧୀ ପ୍ରସଙ୍ଗ ବଢ଼ିବା ଯୋଗୁ ରାଜ୍ୟ ସରକାର ଓ ବିଜେଡି ପ୍ରଚାରକୁ ଆଶ୍ରା କରିଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୦ ଡିସେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବିଜ୍ଞାପନ ବାବଦକୁ ୩୫୦ କୋଟି ୩୪ଲକ୍ଷ ୮୪ ହଜାର ୫୯୫ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରୁ କେବଳ ପ୍ରିଣ୍ଟ୍ ମିଡିଆରେ ବିଭିନ୍ନ ଯୋଜନା ବିଜ୍ଞାପନ ବାବଦକୁ ୩୧୩ କୋଟି ୭୪ ଲକ୍ଷ ୬୧ ହଜାର ଖର୍ଚ୍ଚ ହୋଇଛି। ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୨୧କୋଟି ୯୫ ଲକ୍ଷ ୯୩ ହଜାର ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଏହାବ୍ୟତୀତ ହୋର୍ଡିଂରେ ଖର୍ଚ୍ଚ ହୋଇଛି ୧୪ କୋଟି ୬୪ଲକ୍ଷ ୨୧ହଜାର।
ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ୨୦୧୮-୧୯ ଅର୍ଥାତ ଚଳିତ ଆର୍ଥିକ ବର୍ଷରେ ସରକାରୀ ବିଜ୍ଞାପନ ବାବଦରେ ୨୨୬ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି।
ବରିଷ୍ଠ ସାମ୍ବାଦିକଙ୍କ ମତରେ ନିର୍ବାଚନୀ ବର୍ଷରେ ଭୟଭୀତ ହୋଇ ମୂଳ ପ୍ରସଙ୍ଗ ଗୁଡ଼ିକରୁ ନଜର ହଟାଇବାକୁ ଏଭଳି ପ୍ରଚାର କରାଯାଉଛି। ଅନ୍ୟପଟେ ପ୍ରଚାର ପ୍ରସାରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ଯୋଜନାରେ ଯଦି ଦମ୍ ଅଛି ତା’ହେଲେ ଲୋକେ ରୋଜଗାର ପାଇଁ କାହିଁକି ଘର ଛାଡ଼ି ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କଂଗ୍ରେସ୍ ପ୍ରଶ୍ନ କରିଛି। ବିଜେପି କହିଛି, ନବୀନଙ୍କ ବ୍ରାଣ୍ଡ ଭାଲ୍ୟୁ କମୁଥିବାରୁ ଏବେ ଦଳ ପାଇଁ ପ୍ରଚାର ପ୍ରସାର ହିଁ ଭରସା। ଏପଟେ ବିଜେଡି ବି ପାଲଟା ଆକ୍ରମଣ କରିଛି ବିଜେପିକୁ।
ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟରେ ଯଦି ବ୍ରାଣ୍ଡ ନବୀନ ଅଛି, ତାହାହେଲେ ଓଡ଼ିଆଙ୍କ ଟିକସ ଅର୍ଥକୁ କାହିଁକି ବିଜ୍ଞାପନରେ ଖର୍ଚ୍ଚ କରାଯାଉଛି? ଏଥିରୁ ଜଣାପଡ଼ୁଛି ନବୀନ ବ୍ରାଣ୍ଡରେ କେଉଁଠି ନା କେଉଁଠି ଉଇ ଲାଗିଲାଣି।” ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି-“ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିଜ ପ୍ରଚାରରେ ଲାଗିଛନ୍ତି। ଯଦି ସେମାନେ ଲୋକପ୍ରିୟ, ତାହାହେଲେ ପ୍ରଚାରରେ ଏତେ ଅର୍ଥ କାହିଁକି ଖର୍ଚ୍ଚ କରୁଛନ୍ତି?”
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ବିରୋଧୀମାନେ ବିଜ୍ଞାପନ ସମ୍ପର୍କରେ କହିବା ହାସ୍ୟାସ୍ପଦ କଥା। ଯେଉଁ ବିଜେପି ଗତ ସାଢ଼େ ୪ ବର୍ଷରେ ସାଢ଼େ ୪ ହଜାର କୋଟି ଟଙ୍କା ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛି, ସେମାନେ ଆଜି ଆମକୁ ପ୍ରଶ୍ନ କରୁଛନ୍ତି। ପ୍ରଚାର ପ୍ରସାର ମାଧ୍ୟମରେ ବିକାଶ କରାଯାଉଥିବା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି।”
from Odisha Reporter http://bit.ly/2MuIvFR
No comments:
Post a Comment