କଳାହାଣ୍ଡିରୁ ମିଳିଲା ଏକ ପ୍ରାଚୀନ ସଭ୍ୟତାର ଅବଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

କଳାହାଣ୍ଡିରୁ ମିଳିଲା ଏକ ପ୍ରାଚୀନ ସଭ୍ୟତାର ଅବଶେଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଓଡ଼ିଶାର କଳାହାଣ୍ଡି ଜିଲାର ଅସୁରଗଡ଼ ଦୁର୍ଗରୁ ପ୍ରାଚୀନ ସଭ୍ୟତାର ବହୁ ଆକର୍ଷଣୀୟ କଳାକୃତି ଓ ଅନ୍ୟ ଧ୍ୱଂସାବେଶେଷର ସନ୍ଧାନ ପାଇଛି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ଅନୁସାରେ, ପାଖାପାଖି ୨୩୦୦ ବର୍ଷ ପୂର୍ବରୁ ମୌର୍ଯ୍ୟ ଓ କୁଷାଣ ଯୁଗର କେତେକ ଦ୍ରବ୍ୟ ଓ କଳାକୃତି ଏଠାରୁ ଉଦ୍ଧାର କରାଯାଇଛି। ଏହି ସମସ୍ତ କଳାକୃତିରୁ ସେହି ସମୟରେ ଏକ ଉନ୍ନତ ସଭ୍ୟତାସମ୍ପନ୍ନ ଲୋକ ଏଠାରେ ବସବାସ କରୁଥିବାର ସଙ୍କେତ ମିଳୁଛି।

ସେଠାରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ମଧ୍ୟରେ କାନ ଝୁମୁକା, ଗୋଡ଼ ମୁଦି ପରି ରୂପା ଓ ତମ୍ୱାର ଆଭୂଷଣ ରହିଛି। ଏଥିରେ ଏଗେଟ୍‌ (agate), ବେରିଲ୍‌ (beryl), କାର୍ନେଲିଅନ୍‌ (carnelian), କୋରାଲ୍‌ (coral), ଗାର୍ନେଟ୍‌ (garnet)ଏବଂ ଜାସପର୍‌ (jasper) ପରି ରଙ୍ଗୀନ୍‌ ରତ୍ନପଥର ଖଚିତ ଚୁଡ଼ି ରହିଛି।ଏହା ବ୍ୟତୀତ ଚକା ଆକାରର ଲୁହା ଉପକରଣ, ତୀରର ମୁନ, ଜିନିଷ ଗୁଣ୍ଡ କରିବା ବା ବାଟିବା ପାଇଁ ଲୁହାର ପିଟଣ ଓ ବାଟୁଳି ଖଡ଼ା ଆଦି ରହିଛି। ତେବେ ଏ ନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧ୍ୟକ୍ଷ ତଥା ପ୍ରତ୍ନତତ୍ତ୍ୱବିତ୍‌ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, “ଖନନ ପରେ ଜଣାପଡୁଛି ଯେ, ଏଠାରେ ମୌର୍ଯ୍ୟ ଓ କୁଷାଣ ଶାସନ ସମୟରେ ଏକ ସହରୀ ବସ୍ତି ରହିଥିଲା। ଯାହା କି ପାଖାପାଖି ୨୩୦୦ ବର୍ଷ ପୁରୁଣା। କାହିଁକି ନା ମୌର୍ଯ୍ୟ ଶାସନ ସମୟରେ ପ୍ରଚଳିତ ପଞ୍ଚ୍‌ ଚିହ୍ନ ଥିବା ମୁଦ୍ରା ଏଠାରୁ ମିଳିଛି।“

ସେ ଆହୁରି ମଧ୍ୟ କହିଛନ୍ତି “ ମିଳିଥିବା ରଙ୍ଗବେରଙ୍ଗର ରତ୍ନଖଚିତ ଚୁଡ଼ିକୁ ଦେଖିଲେ ଲାଗୁଛି ସେହି ସଭ୍ୟତାର ଲୋକଙ୍କର କଳାତ୍ମକ ପ୍ରତିଭା ରହିଥିଲା। ପୋହଳା, ମୋତି ଓ ଇମ୍ପେରିଆଲ୍ ସିଲ୍ଭର୍ ପଞ୍ଚ୍ ଥିବା କଏନ୍‌ରୁ ଜଣା ପଡ଼ୁଛି ଯେ, ସ୍ଥାନୀୟ ଲୋକଙ୍କର ସାମୁଦ୍ରିକ ବାଣିଜ୍ୟ ଓ ଅନ୍ୟ ଉପକୂଳବର୍ତ୍ତୀ ଲୋକଙ୍କ ସହିତ ସମ୍ପର୍କ ରହିଥିଲା। ବାସ୍ତବରେ ସାମୁଦ୍ରିକ ବାଣିଜ୍ୟ ଅଶୋକଙ୍କ ଶାସନ ସମୟରେ ବେଶ ଉନ୍ନତ ଥିଲା। ତେଣୁ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଏହି ବସତି ଆରମ୍ଭ ହୋଇଥିବାର ସଙ୍କେତ ମିଳୁଛି।” 

ଆଭୂଷଣ ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍‌ମାନେ ସେହି ସ୍ଥାନରୁ ଘର ତିଆରିରେ ବ୍ୟବହୃତ ଇଟାର ମଧ୍ୟ ସନ୍ଧାନ ପାଇଛନ୍ତି। ଗୋଲାକାର ଘର ତିଆରି କରିବା ପାଇଁ ଏହି ସବୁ ଇଟାକୁ ଡିଜାଇନ୍‌ କରାଯାଇଛି। ସେହି ସମୟରେ ଅସୁରଗଡ଼ର ଲୋକ ନିଜ ଘର ଓ ସଡ଼କ ନିର୍ମାଣ ପାଇଁ ପଥର ଓ ଟାଇଲ୍‌ର ବ୍ୟବହାର କରୁଥିବା ମଧ୍ୟ ଜଣାପଡୁଛି। ଏସବୁକୁ ଦେଖିଲେ ଲାଗୁଛି ସେହି ସମୟର ଲୋକଙ୍କ ଜୀବନଶୈଳୀ, ସାମାଜିକ ଜୀବନ ଓ ଶିଳ୍ପ ବିଜ୍ଞାନ ଢେର୍‌ ବିକଶିତ ଥିଲା।

ଏହି ଗଡ଼ଟି ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପଟରୁ ସୁରକ୍ଷିତ ରହିଥିଲା। ଏହି ଗଡ଼ର ପଶ୍ଚିମ ପ୍ରାଚୀର ପାଖରେ ଥିବା ସାଣ୍ଡୁଲ୍‌ ନଦୀ ଉତ୍ତର ଆଡ଼କୁ ବହିଛି। ଯାହାଦ୍ୱାରା ଗଡ଼ର ପଶ୍ଚିମପଟରେ ଖାଇ ସୃଷ୍ଟି ହୋଇଛି। ଗଡ଼ର ପୂର୍ବ ପାଖରେ ଏକ ବଡ଼ ହ୍ରଦ ରହିଛି ଏବଂ ଚାରି ଦିଗରେ ଚାରି ବିଶାଳ ଦ୍ୱାର ରହିବା ସହିତ ପ୍ରତ୍ୟେକ ଦ୍ୱାରରେ ଜଣେ ଜଣେ ଅଭିଭାବକ ଦେବତା ରହିଛନ୍ତି। ପୂର୍ବ ଦ୍ୱାରର ନାମ ‘ଗଙ୍ଗା’, ପଶ୍ଚିମର ନାମ ‘କଳାପତ’,ଉତ୍ତରର ନାମ ‘ବୈଷ୍ଣବୀ’ ଓ ଦକ୍ଷିଣ ଦ୍ୱାରର ନାମ ‘ଡୋକରୀ’ ରଖାଯାଇଥିଲା।

ସାଂସ୍କୃତିକ ମହତ୍ତ୍ୱ ଥିବା ପ୍ରାଚୀନ ଓଡ଼ିଶାର ଏହି ଗଡ଼ ବିଷୟରେ ଜାଣିବା ପାଇଁ ୨୦୧୮ ନଭେମ୍ୱରରୁ କଳାହାଣ୍ଡିର ଅସୁରଗଡ଼ ଦୁର୍ଗରେ ଖନନ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି।

ମୌର୍ଯ୍ୟ ଓ କୁଷାଣ ସଭ୍ୟତା ସମୟର ମିଳିଥିବା ଏହି ଭଗ୍ନାବଶେଷରୁ ପ୍ରାଚୀନ ଭାରତର ବିଭିନ୍ନ ସଭ୍ୟତା ସମ୍ପର୍କରେ ଆହୁରି ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି।



from Odisha Reporter http://bit.ly/2B0FEA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages