ଓଡ଼ିଶାରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ : ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଓଡ଼ିଶାରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ : ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ । କଂଗ୍ରେସ ଯେଉଁ ଭୁଲ୍ ଅତୀତରେ କରିଥିଲା ଏବେ ସେହି ଭୁଲ୍ ବିଜେପି ଓଡ଼ିଶାରେ କରୁଛି। ତେଣୁ ବିଜେପି କିମ୍ବା କଂଗ୍ରେସରେ ସାମିଲ ହେବା ପରିବର୍ତ୍ତେ ଏକ ନୂଆ ଦଳ ଗଠନ ଓ କୌଣସି ଏକ କେନ୍ଦ୍ରୀୟ ଦଳ ସହ ମେଣ୍ଟ କରିବାର ସମ୍ଭାବନା ଉପରେ ସେ ବିଚାର କରୁଛନ୍ତି ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ରାଜନୀତିରେ ନିଜର ଭୂମିକାକୁ ନେଇ ଏପର୍ଯ୍ୟନ୍ତ କାର୍ଡ ଖୋଲିନଥିବା ଶ୍ରୀ ପଣ୍ଡା ଏକ ପ୍ରତିଷ୍ଠିତ ଜାତୀୟ ଇଂରାଜୀ ସମ୍ବାଦପତ୍ରକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବାର ପ୍ରାୟ ୭ମାସ ପରେ ମଧ୍ୟ ସେ କୌଣସି ରାଜନୀତିକ ଦଳ ସହ ଜଡ଼ିତ ହୋଇନଥିବାବେଳେ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ରହିଛି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯ବର୍ଷ ଧରି ବିଜେଡି ଉଭୟ କଂଗ୍ରେସ ଓ ବିଜେପିକୁ ମ୍ୟାନେଜ୍ କରିବାରେ ସଫଳ ହୋଇଛି। ଭବିଷ୍ୟତରେ ବିଜେଡି ସେମାନଙ୍କୁ ସହାୟତା ଦେବ ଭାବି ସେମାନେ ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେବା ଉଚିତ୍ ନୁହେଁ ବୋଲି ଧରିିନେଲେ। ଯାହାଫଳରେ କଂଗ୍ରେସ ନିଜର କ୍ଷତି କଲା ଓ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ଆସିଲା। ଆଉ ବିଜେପି ଓଡ଼ିଶାରେ ଦ୍ୱିତୀୟ ସ୍ଥାନକୁ ଉଠିଲା କିନ୍ତୁ ଏବେ ସେ ଦଳ ମଧ୍ୟ ସମାନ ଭୁଲ୍ କରିବାରେ ଲାଗିଛି। ତେଣୁ ଅନ୍ୟମାନେ ତାଙ୍କୁ ନୂଆ ଦଳ ଗଠନ କରିବାକୁ ପରାମର୍ଶ ଦେଉଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ପାଇଁ ବାସ୍ତବରେ ଯିଏ ନିଷ୍ଠାର ସହ ଚାହୁଁଥିବ ସେଭଳି ଲୋକଙ୍କୁ ସେ ସହଯୋଗ କରିବେ ଅଥବା ତାଙ୍କ ସହ ମେଣ୍ଟ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ଅଧପନ୍ତରିଆ ଭାବେ ସେ କିଛି କରିବେ ନାହିଁ ଓ ଏବେ ସେ ନିଷ୍ପତ୍ତି ନେବାର ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି।

 

ରାଜ୍ୟରେ ବିଜେପି କ’ଣ ଭୁଲ୍ କରୁଛି ସେ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ, କଂଗ୍ରେସର ଭୁଲ୍ ପୁରୁଣା। ୨୦ବର୍ଷ ପୂର୍ବରୁ କଂଗ୍ରେସ ଯେଉଁସବୁ ଭୁଲ୍ କରିଥିଲା, ତାହା ଜାରି ରଖୀଥିଲା। କିନ୍ତୁ ଏବେ ଉଭୟ ଜାତୀୟସ୍ତରରେ ଓ ଓଡ଼ିଶାରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଛି। ବିଜେପିର ଉପସ୍ଥିତି ଓଡ଼ିଶାରେ ବୃଦ୍ଧି ପାଉଥିଲା କିନ୍ତୁ ଏବେ ସେମାନେ ସେହି ଭୁଲ୍ କରିବା ଆରମ୍ଭ କରିଛନ୍ତି ଯାହା ପୂର୍ବରୁ କଂଗ୍ରେସ କରୁଥିଲା। ଦୁଇ ପ୍ରମୁଖ ଜାତୀୟ ଦଳ ଓଡ଼ିଶାରେ ଦୁର୍ନୀତି, ଅପରାଧ ଓ ବେକାର ସମସ୍ୟା କଥା କହୁଛନ୍ତି , ପରିବର୍ତ୍ତନ କଥା କହୁଛନ୍ତି, କିନ୍ତୁ ସେମାନେ କେତେ ପରିମାଣରେ ସିରିୟସ ଅଛନ୍ତି ତାକୁ ନେଇ ସେ ନିଶ୍ଚିତ ନୁହନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦୁଇଟି ର‌୍ୟାଲି କରିବା ସତ୍ତ୍ୱେ ନବୀନ ପଟ୍ଟନାୟକ କିମ୍ବା ବିଜେଡି ବିରୋଧରେ କିଛି ନକହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ, ଯଦି ସେମାନେ ସିରିୟସ ଥାନ୍ତେ ତା’ହେଲେ ରାଜ୍ୟରେ ଏକ ନମ୍ବର ଦଳକୁ ଚ୍ୟାଲେଞ୍ଜ କରୁଥାନ୍ତେ। ମାତ୍ର ସେମାନେ ରାଜ୍ୟରେ ୩ ନମ୍ବର ସ୍ଥାନରେ ଥିବା ଦଳ(କଂଗ୍ରେସ)କୁ ଚ୍ୟାଲେଞ୍ଜ କରୁଛନ୍ତି। ଯାହାକି ଓଡ଼ିଶାରେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି। ଦୁଇ ନମ୍ବର ସ୍ଥାନରେ ଥିବା ଦଳ ଏକ ନମ୍ବର ଦଳ ପ୍ରତି କଠୋର ଆଭିମୁଖ୍ୟ ପୋଷଣ ନକରି ତିନି ନମ୍ବର ସ୍ଥାନରେ ଥିବା ଦଳକୁ ସମାଲୋଚନା କରୁଛି। ତେଣୁ ଏହା ହିଁ ଓଡ଼ିଶାରେ ବିଜେପିର ଅସ୍ପଷ୍ଟ ଆଭିମୁଖ୍ୟକୁ ପଦାରେ ପକାଇଛି।

“କିନ୍ତୁ ସଚ୍ଚୋଟ ଭାବେ କହିବାକୁ ଚାହୁଁଛି କି ଯେବେଠୁ ରାଜନୀତି ସହ ସମ୍ପୃକ୍ତ ହେଲିଣି ନିଜକୁ ସମସ୍ତ ପାରିବାରିକ ବ୍ୟବସାୟଠୁୁ ବହୁ ଦୂରରେ ରଖିଛି।”

ତା’ଛଡ଼ା ବିଜେପିର ଶୀର୍ଷସ୍ତରର ଜାତୀୟ ନେତାମାନେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରୁନାହାନ୍ତି। ଅନେକ ବିଶ୍ଲେଷକ ଓ ଗଣମାଧ୍ୟମ ରିପୋର୍ଟଗୁଡ଼ିକରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କିଛି ଗୁପ୍ତ ବୁଝାମଣା ରହିଛି ବୋଲି ମତ ପ୍ରକାଶ ପାଉଛି। ତେଣୁ ଏହା ବି ଗୋଟିଏ ଭୁଲ। ଯଦି ଗୁପ୍ତ ବୁଝାମଣା ରହିଛି ତା’ହେଲେ ନିଜର ଅଭିବୃଦ୍ଧି ପ୍ରଭାବିତ ହେବ। ତେଣୁ ମୁଁ ସେଇଥିପାଇଁ କହୁଛି ଯେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଯେଉଁ ଦଳର ସ୍ପଷ୍ଟ ଆଭିମୁଖ୍ୟ ରଖିବ ତା’ ସପକ୍ଷରେ ରହିବି। ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ଦେଇ ବହୁ ଲୋକେ ମୋତେ ସମର୍ଥନ କରୁଛନ୍ତି। ବିରୋଧୀ ଦଳରେ ଥିବା ରାଜନୀତିକ ଦଳଗୁଡ଼ିକ ଏନେଇ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିବା କଥା, ଯାହା ସେମାନେ କରୁନାହାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ପ୍ରତିଷ୍ଠା ଦିନରୁ ସେ ଦଳ ସହ ଜଡ଼ିତ ଥିଲେ। କିନ୍ତୁ ଏବେ ସେହି ଦଳ ଏକ ନୂଆ କୋଟେରୀର କବଜାରେ ରହିଛି ଓ ନିଜର ମୌଳିକ ଆଦର୍ଶରୁ ଓହରି ଯାଇଛି। ଦଳକୁ ତା’ର ମୌଳିକ ଆଦର୍ଶକୁ ଫେରାଇ ଆଣିବା ପାଇଁ ସେ ପ୍ରୟାସ କରିଥିଲେ କିନ୍ତୁ ତାହା ସମ୍ଭବପର ହୋଇନଥିଲା ଓ ଯାହାଫଳରେ ସେ ନୀତି ଓ ନୈତିକତା ଆଧାରରେ ଦଳ ଛାଡ଼ିଥିଲେ। ତେଣୁ କୌଣସି ନୂଆ ଦଳରେ ତାଙ୍କର ସାମିଲ ହେବା ମଧ୍ୟ ନୀତି ଆଧାରିତ ହେବ। ଯେଉଁମାନେ ବାସ୍ତବରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଗୁରୁତ୍ୱର ସହ ଇଚ୍ଛୁକ ଥିବେ ସେମାନଙ୍କୁ ସହଯୋଗ କରିବାକୁ ସେ ଇଚ୍ଛୁକ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେ ଜଣେ ରାଜନେତା ଓ ରାଜ୍ୟର ସର୍ବବୃହତ୍ ମିଡିଆ ହାଉସର ମାଲିକାନା ତାଙ୍କ ହାତରେ ରହିଛି, ଏହା କ’ଣ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନୁହେଁ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସେ ଗୋଟିଏ ବ୍ୟବସାୟିକ ପରିବାରରୁ ଆସିଛନ୍ତି ଯାହାର ବହୁ ପ୍ରକାରର ବ୍ୟବସାୟ ରହିଛି। “କିନ୍ତୁ ସଚ୍ଚୋଟ ଭାବେ କହିବାକୁ ଚାହୁଁଛି କି ଯେବେଠୁ ରାଜନୀତି ସହ ସମ୍ପୃକ୍ତ ହେଲିଣି ନିଜକୁ ସମସ୍ତ ପାରିବାରିକ ବ୍ୟବସାୟଠୁୁ ବହୁ ଦୂରରେ ରଖିଛି।” ଶ୍ରୀ ପଣ୍ଡା କହିଛନ୍ତି, ଦିଲ୍ଲୀ କିମ୍ବା ଓଡ଼ିଶାରେ କେହି ଜଣେବି କହିପାରିବେ ନାହିଁ ଯେ ନିଜର ପାରିବାରିକ ବ୍ୟବସାୟ ପ୍ରତି ଅନୁକମ୍ପା ଦେଖାଇବାକୁ ସେ ରାଜନୀତିକ ପଦପଦବୀର ଉପଯୋଗ କରିଛନ୍ତି।



from Odisha Reporter http://bit.ly/2sDevP9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages