
ଅହମଦାବାଦ୍: ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି। ଏଥିପାଇଁ ତାଙ୍କ ପରିବାର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି।
ଏଭଳି ସ୍ଥିତିରେ ଏହି କ୍ରିକେଟରଙ୍କ ପତ୍ନୀ ବିସିସିଆଇକୁ ସାହାଯ୍ୟ ମାଗିଥିଲେ। ଏହାପରେ ବିସିସିଆଇ ପକ୍ଷରୁ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଇଛି। ବିସିସିଆଇର ପୂର୍ବତନ ସଚିବ ତଥା ବଡ଼ୋଦରା କ୍ରିକେଟ୍ ସଂଘର ସଚିବ ସଞ୍ଜୟ ପଟେଲ ମଧ୍ୟ ତାଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି।
ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଜ୍ୟାକବ୍ ମାର୍ଟିନ୍। ଗତ ଡିସେମ୍ବର ୨୮ ତାରିଖରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ବାଇକ୍ରେ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଏଥିରେ ତାଙ୍କର ଫୁସ୍ଫୁସ୍ ଓ ଲିଭର (ଯକୃତ) କ୍ଷତିଗ୍ରସ୍ତ ହୋଇଛି। ତାଙ୍କୁ ବଡ଼ୋଦରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଜ୍ୟାକବ୍ ଭାରତ ପକ୍ଷରୁ ୧୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ସୌରଭ ଗାଙ୍ଗୁଲି ଭାରତର ଅଧିନାୟକ ଥିଲେ। ଜ୍ୟାକବ୍ଙ୍କ ନେତୃତ୍ୱରେ ୨୦୦୦-୨୦୦୧ ସିଜିନ୍ରେ ବଡ଼ୋଦରା ରଣଜୀ ଟ୍ରଫି ଜିତିଥିଲା।
from Odisha Reporter http://bit.ly/2RBX0xm
No comments:
Post a Comment