
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତିଙ୍କ କମ୍ପ୍ୟୁଟରକୁ ତଦନ୍ତକାରୀ ସଂସ୍ଥା ଛାନଭିନ୍ କରିପାରିବେ ବୋଲି କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏହା ବିରୋଧରେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏହାର ଜବାବ ୬ ସପ୍ତାହ ମଧ୍ୟରେ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ଜାତୀୟ ନିରାପତ୍ତା, ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗୁରୁତର ଅପରାଧ ମାମଲାରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ, ଏନ୍ଆଇଏ, କ୍ୟାବିନେଟ୍ ସଚିବ(ର’), ଡିରେକ୍ଟରେଟ୍ ଅଫ୍ ସିଗନାଲ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍ କମିଶନର ଯେ କୌଣସି ବ୍ୟକ୍ତି କିମ୍ବା ସର୍ଭିସ ପ୍ରୋଭାଇଡରଙ୍କ କମ୍ପ୍ୟୁଟର ଚାହିଁଲେ ଯାଞ୍ଚ କରିପାରିବ। ଏଥିସହ ଏଥିରେ ଥିବା ତଥ୍ୟକୁ ତର୍ଜମା କରିପାରିବେ କିମ୍ବା ନିଜ ପାଖକୁ ଆଣିପାରିବେ ବୋଲି ଏକ ବିଜ୍ଞପ୍ତି ଜାରି କରିଥିଲେ।
ଯାଞ୍ଚ ବେଳେ ସଂପୃକ୍ତ ବ୍ୟକ୍ତି ଏବଂ ସର୍ଭିସ ପ୍ରୋଭାଇଡର ସମସ୍ତ ପ୍ରକାରର ବୈଷୟିକ ସହାୟତା କରିବେ। ଯଦି କେହି ଏଥିରେ ଅସହଯୋଗ କରେ, ତା’ହେଲେ ତାଙ୍କୁ ୭ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ତେବେ କମ୍ପ୍ୟୁଟର ଯାଞ୍ଚ କରିବା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏଥିପାଇଁ ଅନୁମତି ଦେବା ଦରକାର। ସେହିପରି ଲାଇଭ୍ ଫୋନ୍ କଲ୍ ଏବଂ ମେସେଜ୍ ଉପରେ କୌଣସି ନଜର ରଖାଯିବ ନାହିଁ ଏବଂ ଏହା କେବଳ ଷ୍ଟୋର୍ କରାଯାଇଥିବା ଡାଟା ପାଇଁ ପ୍ରଯୁଜ୍ୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା।
ତେବେ ବରିଷ୍ଠ ଓକିଲ ମନୋହର ଲାଲ ଶର୍ମା ଏଭଳି ବିଜ୍ଞପ୍ତିକୁ ବେଆଇନ୍ ଓ ଅସାମ୍ବିଧାନିକ ବୋଲି ଯୁକ୍ତି ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଆଇଟି ଆକ୍ଟ ଅନୁସାରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା, ତଦନ୍ତ କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ଆବେଦନରେ ଦର୍ଶାଇଥିଲେ।
ଏଭଳି ବିଜ୍ଞପ୍ତି ଦ୍ୱାରା ରାଜନୀତିକ ଦୃଷ୍ଟିକୋଣରୁ କ୍ଷମତାସୀନ ସରକାର ବିରୋଧୀଙ୍କ କାର୍ଯ୍ୟକାଳାପ ଉପରେ ନଜର ରଖିବା ସହ ନିଜ ସ୍ୱାର୍ଥ ପାଇଁ ଏହାକୁ ବ୍ୟବହାର କରିପାରିବାର ଆଶଙ୍କା ରହିଛି ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ।
from Odisha Reporter http://bit.ly/2Cljfx3
No comments:
Post a Comment