ରାଜନୀତିକ ଦଳର ଇସାରାରେ ୧୨ ଲକ୍ଷ ପରିବାରକୁ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତି ନିର୍ବାଚନ କମିଶନ : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ରାଜନୀତିକ ଦଳର ଇସାରାରେ ୧୨ ଲକ୍ଷ ପରିବାରକୁ ଭୋଟର ତାଲିକାରୁ ବାଦ୍ ଦେଇଛନ୍ତି ନିର୍ବାଚନ କମିଶନ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଦେଶ କଂଗ୍ରେସ ଆଜି ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛି। ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟର ୧୨ଲକ୍ଷ ପରିବାରକୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ହାତବାରିସୀ ହୋଇ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି ବୋଲି ଦଳ କହିଛି।

ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ଆଜି ପିସିସି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଅଭିଯୋଗ ଆଣି କହିଛନ୍ତି ଯେ, ନିର୍ବାଚନ ଆୟୋଗ ଗତମାସରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେଥିରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରୁ ଏକ ବୃହତ୍ ଅଂଶର ଭୋଟରଙ୍କ ନାଁକୁ ତାଲିକାରୁ ବାଦ୍ ଦେଇଛନ୍ତି। ଏହି ସଂଶୋଧିତ ଭୋଟର ତାଲିକାରେ ଓଡିଶାର ୧୨ ଲକ୍ଷ ଯୋଗ୍ୟ ପରିବାରର ନାଁ ପ୍ରକାଶ ପାଇନାହିଁ। ତେଣୁ ନିର୍ବାଚନ ଆୟୋଗ କାହା ପ୍ରରୋଚନାରେ ଏଭଳି ଏକ ସମ୍ବିଧାନବିରୋଧୀ କାର୍ଯ୍ୟ କରି ନାଗରିକଙ୍କର ଭୋଟ ଦେବା କ୍ଷମତାକୁ ଛଡାଇ ନେଲେ ସେ ନେଇ କଂଗ୍ରେସ ପ୍ରଶ୍ନ କରିଛି।

ଏଥିପାଇଁ କଂଗ୍ରେସ ଆଜି ସିଧାସଳଖ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଦାୟୀ କରିଛି। କଂଗ୍ରେସ ଏକ ସଙ୍ଗିନ ଘଟଣାର ପର୍ଦ୍ଦାଫାସ କରିବା ସହିତ କିଭଳି ଭାବରେ ରାଜ୍ୟର ଭୋଟରମାନଙ୍କୁ ଜାଣିଶୁଣି ସେମାନଙ୍କର ନାମ ସଂଶୋଧିତ ଭୋଟର ତାଲିକାରୁ ବାଦ ଦିଆଯାଇଛି ତା’ର ତଥ୍ୟ ପ୍ରଦାନ କରିଛନ୍ତି।

ସେହିପରି ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ରାଜ୍ୟର ସମସ୍ତ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ପରିସଂଖ୍ୟାନ ଦେଇଛନ୍ତି। ନିର୍ବାଚନ କମିଶନ ଓ ରାଜ୍ୟ ସରକାର ମଧ୍ୟରେ ଭିତିରି ବୁଝାମଣା ଯୋଗୁ ଏହି ୧୨ଲକ୍ଷ ପରିବାରକୁ ଭୋଟଦାନରୁ ବଞ୍ଚିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ପକ୍ଷରୁ ଜାରି ତାଲିକା ଅନୁସାରେ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୮,୭୨୪ ପରିବାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବାବେଳେ ସୁନ୍ଦରଗଡ଼ ଲୋକସଭା ଆସନରେ ୭୧,୮୧୬ ପରିବାର, ସମ୍ବଲପୁରରେ ୬୧,୭୮୦, କେନ୍ଦୁଝର ୪୭,୬୦୬ ପରିବାର, ମୟୁରଭଞ୍ଜ ୪୪,୬୨୦, ବାଲେଶ୍ୱର ୪୦,୫୯୪ ପରିବାର, ଭଦ୍ରକରେ ୨୯,୦୭୮, ଯାଜପୁରରେ ୩୫,୪୦୦,ଢ଼େଙ୍କାନାଳରେ ୪୨,୧୫୬, ବଲାଙ୍ଗୀରରେ ୬୧,୫୦୯, କଳାହାଣ୍ଡିରେ ୬୮,୦୮୧,ନବରଙ୍ଗପୁର ୬୬,୫୨. କନ୍ଧମାଳରେ ୬୧,୧୯୯, କଟକରେ ୪୭,୦୨୭,କେନ୍ଦ୍ରାପଡ଼ାରେ ୪୩,୬୮୧, ଜଗତସିଂହପୁରରେ ୪୫,୪୨୯, ପୁରୀରେ ୫୬,୮୬୦,ଭୁବନେଶ୍ୱରରେ ୧,୫୧୭୭୯, ଆସ୍କାରେ ୫୭,୧୮୯, ବ୍ରହ୍ମପୁରରେ ୬୦,୪୬୩ ଓ କୋରାପୁଟରେ ୯୪,୩୩୫ଟି ପରିବାର ଭୋଟ ଦେବାର ଅଧିକାର ହରାଇଛନ୍ତି।

ଏହି ସମସ୍ତ ବାଦ ପଡ଼ିଥିବା ପରିବାରକୁ ତୁରନ୍ତ ଭୋଟର ତାଲିକାରେ ସାମିଲ୍ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ଦାବି କରିବା ସହ ଏହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବ ତଥା ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ ବୋଲି ଦଳ କହିଛି। ଏହାସହିତ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସି ନସାଜି ନିଜର ସାମ୍ବିଧାନିକ ଦାୟିତ୍ୱ ଏବଂ ପଦମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ଚେତାବନୀ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବରିଷ୍ଠ କଂଗ୍ରେସ ନେତା ଉତ୍କଳ କେଶରୀ ରାଉତରାୟ, ବିଶ୍ୱଜିତ୍ ଦାସ ଓ ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2XiHFRA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages