
ନୂଆଦିଲ୍ଲୀ: ବିଜେପିରେ ଥାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁ ବେଳେ ସମାଲୋଚନା କରି ଆସିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଶତୃଘ୍ନ ସିହ୍ନା। ଶେଷଥର ପାଇଁ ସେ କେବେ ମୋଦିଙ୍କୁ ପ୍ରଶଂସା କରିଥିଲେ, ତାହା ହୁଏତ ବହୁତ କମ୍ ଲୋକ ମନେ ପକାଇ ପାରିବେ। ତେବେ ଗତକାଲି ସେ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି।
ପାଟନା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ସମେତ ୩୩,୦୦୦ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଶତୃଘ୍ନ ସିହ୍ନା ଏହି ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ବିହାରରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।
ଶତୃଘ୍ନ ତାଙ୍କ ଟ୍ୱିଟର୍ ପେଜ୍ରେ ଲେଖିଛନ୍ତି, ପାଟନା ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସ୍ୱାଗତ କରୁଛି। ଏହା ଏକ ବଡ଼ ପଦକ୍ଷେପ। ମେଟ୍ରୋ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ବିହାରର ବିକାଶ ଓ ଅଭିବୃଦ୍ଧିରେ ବେଶ୍ ସହାୟକ ହେବେ। ଏହା ପ୍ରଶଂସନୀୟ ପଦକ୍ଷେପ।
ଗତକାଲି ବିହାରର ବରୌନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୩୩ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ପାଟନା ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ସେ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୩,୩୬୫ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶତୃଘ୍ନ ସିହ୍ନା ଏବେ ପାଟନା ସାହିବ ଲୋକସଭା ଆସନରୁ ସାଂସଦ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଏହି ଆସନରୁ ସାଂସଦ ହୋଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ବି ହୋଇଥିଲେ।
from Odisha Reporter http://bit.ly/2SGKm0B
No comments:
Post a Comment