
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା। ଏହି ଦୁଇ ସହିଦ୍ଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଟେଲିଫୋନ୍ କରି ଦୁଇ ସହିଦ୍ ପରିବାର ଲୋକଙ୍କ ସହିତ କଥା ହୋଇ ସମବେଦନା ଜଣାଇଥିଲେ। ପରେ ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ପାଖାପାଖି ୨୫୦୦ରୁ ଅଧିକ ଯବାନ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଗୋଟିଏ ଗାଡ଼ିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। IED ବିସ୍ଫୋରକ ଭରା ଏକ ଭ୍ୟାନ୍କୁ ଯବାନ ବସିଥିବା ବସ୍ରେ ମାଡ଼ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏଥିରେ ଗାଡ଼ି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା।
from Odisha Reporter http://bit.ly/2S3mUpd
No comments:
Post a Comment