
ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆଜି ଜମ୍ମୁ-କଶ୍ମୀରର ପୁଲୱାମାରେ ଅତି ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି। ଏଥିରେ ୩୦ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଗୁରୁତର ଆହତ ୪୫ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଜୈଶ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିବା ସହ ସଂଗଠନର ଜଣେ ମାତ୍ର ସଦସ୍ୟ ଏତେ ସଂଖ୍ୟକ ଯବାନଙ୍କ ଜୀବନ ନେବାକୁ ସକ୍ଷମ ହୋଇଛି ବୋଲି କହିଛି।
୨୦୧୬ରେ ଦେଶକୁ ଦୋହଲାଇ ଦେଇଥିବା ଉରି ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଠାରୁ ଏହା ଅଧିକ ବଡ଼ ଓ ଭୟଙ୍କର ଆକ୍ରମଣ। ଉରି ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ।
ଆଜି ପୁଲୱାମା ଜିଲ୍ଲା ଅୱିନ୍ତିପୁରା ସ୍ଥିତ ଗୋରିପୁରା ଅଞ୍ଚଳ ଦେଇ ସିଆରପିଏଫ୍ ଯବାନମାନେ ପାଖାପାଖି ୭୦ଟି ଗାଡ଼ିରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏଥିରେ ଯବାନମାନଙ୍କ ବସ୍, କାର୍ ଓ ଟ୍ରକ୍ ରହିଥିଲା। ଏହି ସମୟରେ ଏକ ବିସ୍ଫୋରକ ଭରା କାର୍ ହଠାତ୍ ଯବାନଙ୍କ କନଭୟ ନିକଟରେ ପହଞ୍ଚିଥିଲା।
ଏହି କନଭୟରେ ୨୫ଶହରୁ ଅଧିକ ଯବାନ ରହିଥିଲେ। ତେବେ ବିସ୍ଫୋରକ ଖଚିତ କାର୍ଟି ସିଧା ସଳଖ ଦୁଇଟି ବସ୍କୁ ଧକ୍କା ଦେଇଥିଲା। ବସ୍ ସହ ଧକ୍କା ଖାଇବା ପରେ କାର୍ରେ ଥିବା ବିସ୍ଫୋରକ ଗୁଡ଼ିକ ଫୁଟିବା ଆରମ୍ଭ କରିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ବସ୍ ପୂରା ଛିନଛତର ହୋଇଯାଇଥିଲା। ଘଟଣା ସ୍ଥଳରେ ୧୨ ଜଣ ଯବାନ ସହିଦ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅନେକ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଅପରାହ୍ଣ ପ୍ରାୟ ୩.୨୦ରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଏଭଳି ଆତ୍ମଘାତୀ ହମ୍ଲା ହୋଇଛି। ୭୦ଟି ଗାଡ଼ିରେ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ। ହମ୍ଲାଟି ଜାତୀୟ ରାଜପଥରେ ହୋଇଥିବାରୁ ଏଥିରେ କିଛି ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆତଙ୍କୀମାନେ ୭୯ ବ୍ୟାଟାଲିୟନର ବସ୍କୁ ହିଁ ଟାର୍ଗେଟ କରିଛନ୍ତି। ଏଥିରେ ପ୍ରାୟ ୩୯ ଜଣ ଯବାନ ଥିଲେ। ଆତ୍ମଘାତୀ ଆକ୍ରମଣ ପରେ ଲୁଚି ରହିଥିବା କିଛି ଆତଙ୍କବାଦୀ କନଭୟ ଉପରକୁ ମଧ୍ୟ ଗୁଳି ମାଡ଼ କରିଥିବା କୁହାଯାଉଛି। ହେଲେ ଏଯାଏ ଏ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ଏହି ହମ୍ଲା ପଛରେ ଅଦିଲ ଅହମ୍ମଦ ରହିଛି। ତା’ ଘର ପୁଲୱାମାର କାକାପୁରାରେ। ସେ ୨୦୧୮ରେ ଜୈଶ ସଂଗଠନରେ ସାମିଲ ହୋଇଥିଲା। ଆଜି ସେ ମହିନ୍ଦ୍ରା ସ୍କର୍ପିଓରେ ୩୫୦ କେଜିରୁ ଅଧିକ ଓଜନର ବିସ୍ଫୋରକ ଲଦି ଏଭଳି ଆତ୍ମଘାତୀ ହମ୍ଲା କରିଛି। ଅଦିଲ ଏହି କାଣ୍ଡ ଘଟାଇବା ପରେ ଜୈଶ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଅଦିଲ ହାତରେ ବନ୍ଧୁକ ଧରିଛି ଏବଂ ତା’ ପଛରେ ଜୈଶର ପତାକା ରହିଛି।
ଆକ୍ରମଣରେ ଆହତ ଯବାନଙ୍କୁ ବାଦାମୀ ବାଗ ସ୍ଥିତ ୯୨ ବେସ୍ କ୍ୟାମ୍ପ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଓ ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଆକ୍ରମଣ ପରେ ବସ୍ଟି ଜାତୀୟ ରାଜପଥରେ ପୂରା ଛିନଛତର ହୋଇ ପଡ଼ି ରହିଥିଲା। ସାରା ପରିବେଶ କଳାଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା।
୨୦୧୬ରେ ୪ ଜଣ ଜୈଶ ଆତଙ୍କବାଦୀ ଉରି ସେନା କ୍ୟାମ୍ପରେ ହମ୍ଲା କରିଥିଲେ। ଏଥିରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ଏହାର ବଦ୍ଲା ନେବାକୁ ଭାରତ ସରକାର ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ।
from Odisha Reporter http://bit.ly/2tjRKQu
No comments:
Post a Comment