ବିଜେପିର ଫୋକସରେ ଏବେ ୧୦ରୁ ୧୨ ଲୋକସଭା ସିଟ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ବିଜେପିର ଫୋକସରେ ଏବେ ୧୦ରୁ ୧୨ ଲୋକସଭା ସିଟ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଏବେ ଓଡ଼ିଶାରେ ଅତିକମରେ ୧୦ରୁ ୧୨ଟି ଲୋକସଭା ସିଟ୍ ହାତେଇବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ଦଳ ଏଥିପାଇଁ ନିଜର ପ୍ରସ୍ତୁତି ଜୋରଦାର କରିବା ସହ ପ୍ରାର୍ଥୀ ଚୟନ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେଇଥିବା ସୂଚନା ମିଳିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟର ଫଳାଫଳରେ ଉତ୍ସାହିତ ବିଜେପି ଏବେ ବିଧାନସଭା ତୁଳନାରେ ଅଧିକ ଲୋକସଭା ସିଟ୍ ଜିତିବା ଉପରେ ଧ୍ୟାନକେନ୍ଦ୍ରିତ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଯେଉଁଠି ଦ୍ୱିତୀୟ ସ୍ଥାନରେ ରହିଥିଲା ସେହି ସିଟ୍ ସମେତ କଟକ ଓ ପୁରୀ ଲୋକସଭା ଆସନରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଜେପି ଏବେ ବାଲେଶ୍ୱର, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭୁବନେଶ୍ୱର ସହିତ ସୁନ୍ଦରଗଡ଼, ଭଦ୍ରକ, କଟକ ଓ ପୁରୀ ସିଟକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଓ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଏସବୁ ଆସନରେ ପ୍ରଚାର କରାଇବା ପାଇଁ ଆଣି ଦଳ ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିବାରେ ଲାଗିଛି। ସେପଟେ ବିଜେପିର ସହଯୋଗୀ ସଂଗଠନଗୁଡ଼ିକ ମଧ୍ୟ ଏସବୁ ନିର୍ବାଚନମଣ୍ଡଳୀରେ ନିଜ ନିଜ ସ୍ତରରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି ।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଗତଥର ଭୋଟ୍ ହାର ଓ ଚଳିତଥର ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ହୋଇଥିବା ସର୍ଭେ ରିପୋର୍ଟକୁ ଆଧାର କରି ବିଜେପି ଏବେ ରାଜ୍ୟରେ ୨୦୧୪ ଲୋକସଭା ନିର୍ବାଚନରେ ପାଇଥିବା ଭୋଟ ପରିମାଣକୁ ଦ୍ୱିଗୁଣ କରିବାକୁ ଚାହୁଁଛି। ଏ ଦିଗରେ ଦଳ ନିଜର ତୃଣମୂଳସ୍ତରର କ୍ୟାଡ଼ରକୁ ଉପଯୋଗ କରିବା ସହ ଅନ୍ୟାନ୍ୟ ସଂଗଠନକୁ ମଧ୍ୟ ନିୟୋଜିତ କରିଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଅତିକମରେ ୧କୋଟି ଭୋଟ୍ ପାଇବାକୁ ଟାର୍ଗେଟ୍ ରଖିଛି। ଗତଥର ନରେନ୍ଦ୍ର ମୋଦିଙ୍କ ହାୱା ସତ୍ତ୍ୱେ ବିଜେପି ଲୋକସଭା ନିର୍ବାଚନରେ ୨୧ରୁ ମାତ୍ର ଗୋଟିଏ ସିଟ ଜିତିଥିଲା। ଅବଶ୍ୟ ଦଳକୁ ମୋଟ ୪୬,୩୮,୫୬୫ଟି ଭୋଟ୍ ମିଳିଥିଲା ଯାହାକି ରାଜ୍ୟରେ ଲୋକସଭା ନିର୍ବାଚନରେ ମୋଟ ଭୋଟ ହାରର ୨୧.୮୮ ପ୍ରତିଶତ ଥିଲା। ସେହି ଅନୁପାତରେ ଦେଖିଲେ ବିଜେଡି ୪୪.୭୭ ପ୍ରତିଶତ ଭୋଟ୍ ସହ ମୋଟ ୯୪,୮୯,୯୪୬ଟି ଭୋଟ୍ ପାଇ ୨୦ଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲା।

ବିଜେଡି ଏବେ ସୁନ୍ଦରଗଡ଼, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗିର ଲୋକସଭା ଆସନରେ ତା’ର ଦୁର୍ବଳ ସାଂଗଠନିକ ସ୍ଥିତିକୁ ନେଇ ବ୍ୟାକଫୁଟରେ ଥିବାବେଳେ ସମ୍ବଲପୁର, କେନ୍ଦୁଝର, ବରଗଡ଼ ଓ ଢେଙ୍କାନାଳ ସିଟରେ ଉତ୍କଟ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ରହିଛି। ତା’ ଛଡ଼ା ସ୍ଥାନୀୟ ନେତାମାନଙ୍କ କାର୍ଯ୍ୟଶୈଳୀରେ ସାଧାରଣ ଲୋକେ ଅତିଷ୍ଠ ଅଛନ୍ତି। ଉପକୂଳରେ କଟକ, ଭଦ୍ରକ ଓ ପୁରୀ ଆସନରେ ମଧ୍ୟ ବିଜେଡି ସାଂସଦଙ୍କ କାର୍ଯ୍ୟକଳାପ ଭୋଟରଙ୍କୁ ଅସନ୍ତୁଷ୍ଟ କରି ରଖିଛି। ଏଭଳି ଗୁଇନ୍ଦା ରିପୋର୍ଟ ବିଜେଡିକୁ ମିଳିବା ପରେ ଦଳ ଗୋଟିଏ ଡଜନରୁ ଅଧିକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ବିଜେଡିର ଏଭଳି ସ୍ଥିତିର ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ମଧ୍ୟ ବିଜେପି ଜୋରଦାର ପ୍ରୟାସ କରିବାରେ ଲାଗିଛି।

ଓଡ଼ିଶାରେ ବିଧାନସଭା ନିର୍ବାଚନରେ ‘୧୨୦+’ ସିଟ୍ ହାସଲ କଥା ବିଜେପିର ରାଜ୍ୟ ନେତାମାନେ ଦମ୍ଭୋକ୍ତି ବାଢ଼ୁଥିଲେ ମଧ୍ୟ ବାସ୍ତବ ପକ୍ଷରେ ଦଳର ଶୀର୍ଷ ନେତୃତ୍ୱ ବିଧାନସଭା ଆସନ ତୁଳନାରେ ଅଧିକ ସଂଖ୍ୟକ ଲୋକସଭା ଆସନ ଜିତିବାକୁ ପ୍ରାଥମିକତା ଦେଇ ସେ ଦିଗରେ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପି ସମର୍ଥିତ ଏକ ବୃହତ୍ ଟିମ୍ ଏବେ ଏସବୁ ଲୋକସଭା ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲି ଲୋକମାନଙ୍କ ମୁଡକୁ ପରଖିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି।



from Odisha Reporter http://bit.ly/2tmHvLd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages