
ବାରିପଦା (ମାଣିକ ଲାଲ ପାଣି ): ବଢ଼ି ଚାଲିଥିବା ମହିଳା ନିର୍ଯାତନା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି। ମହିଳାଙ୍କ ସୁରକ୍ଷାକୁ ନେଇ ସବୁ ଦଳ ଡିଣ୍ଡିମ ପିଟୁଛନ୍ତି। ହେଲେ ବାସ୍ତବରେ ରାଜ୍ୟରେ ନାରୀ କେତେ ସୁରକ୍ଷିତ ଓ ପ୍ରକୃତରେ ଏମାନଙ୍କ ସୁରକ୍ଷା ପାଇଁ କିଏ କେତେ ଚିନ୍ତିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋରଡ଼ା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ଆଶ୍ରମ ସ୍କୁଲରେ ପଢ଼ୁଥିବା ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ମୋରଡ଼ା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ନାବାଳିକା ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।
ଘଟଣା ଜଣାପଡ଼ିବା ପରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିବା ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଏତଲା ପାଇବା ପରେ ପୁଲିସ୍ ସମ୍ପୃକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।
ନାବାଳିକା ଗର୍ଭବତୀ ହେବା ରାଜ୍ୟରେ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଅଭିଯୋଗ ଆସିଛି। ଗତ କିଛିମାସ ମଧ୍ୟରେ କନ୍ଧମାଳ, ଯାଜପୁର, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ଏପରି ଅଭିଯୋଗ ଆସିଛି।
from Odisha Reporter http://bit.ly/2tbLNoC
No comments:
Post a Comment