
ସିଡନୀ: ଅଷ୍ଟ୍ରେଲିଆର ତିନି ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର୍ ଓ କାମେରନ୍ ବ୍ୟାନକ୍ରଫ୍ଟ ଗତବର୍ଷ ମାର୍ଚ୍ଚରେ ବଲ୍ ଟ୍ୟାମ୍ପରିଂ ଘଟଣାରେ ଧରାପଡ଼ି ବାସନ୍ଦ ହୋଇଥିଲେ। ସ୍ମିଥ୍ ଓ ୱାର୍ଣ୍ଣର ବର୍ଷକ ପାଇଁ ଏବଂ ବ୍ୟାନକ୍ରଫ୍ଟଙ୍କ ଉପରେ ୯ମାସର ବାସନ୍ଦାଦେଶ ଲାଗିଥିଲା। ଓପ୍ନର ବ୍ୟାନକ୍ରଫ୍ଟ ଚଳିତ ବର୍ଷ ଜାନୁଆରୀରେ ହିଁ ନିଜର ବାସନ୍ଦାଦେଶ ଶେଷ ହେବା ପରେ ମଇଦାନକୁ ଫେରିଥିଲେ। କିନ୍ତୁ ପ୍ରତ୍ୟାବର୍ତ୍ତନ ପରେ ନିଜର ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବା ପାଇଁ ସେ ମଇଦାନକୁ ଓହ୍ଲାଇଥିଲେ। ୨୬ ବର୍ଷୀୟ ବ୍ୟାନକ୍ରଫ୍ଟ ଶେଫିଲ୍ଡ ଶିଲ୍ଡ ମୁକାବିଲାରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ୍ ଓପନ୍ କରିଥିଲେ। ସେ ନ୍ୟୁସାଉଥ୍ ୱେଲ୍ସ ବିପକ୍ଷ ମ୍ୟାଚରେ ସ୍ୟାମ୍ ହ୍ୱାଇଟମ୍ୟାନ (୬୬)ଙ୍କ ସହ ମିଶି ୧୧୯ ରନର ଓପନିଂ ପାର୍ଟନରଶିପ୍ କରିଥିଲେ। ହ୍ୱାଇଟମ୍ୟାନ ଆଉଟ୍ ହୋଇଯିବା ପରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କିନ୍ତୁ ବ୍ୟାନକ୍ରଫ୍ଟ ଏକାକୀ କ୍ରିଜରେ ଜମି ରହି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।
ଏହି ମ୍ୟାଚରେ ବ୍ୟାନକ୍ରଫ୍ଟ ଅପରାଜିତ ୧୩୮ ରନର ଇନିଂସ୍ ଖେଳିଥିଲେ। ଏଥିପାଇଁ ସେ ୩୫୮ ବଲର ସାମ୍ନା କରିଥିଲେ ଏବଂ ୮ ଚୌକା ଓ ୩ ଛକା ମାରିଥିଲେ। ତାଙ୍କର ଏହି ଶତକୀୟ ଇନିଂସ୍ ସତ୍ତ୍ୱେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୨୭୯ ରନରେ ଅଲ୍ ଆଉଟ୍ ହୋଇଥିଲା। ଜବାବରେ ନ୍ୟୁସାଉଥ୍ ୱେଲ୍ସ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୭୭ ରନ୍ କରି ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାନକ୍ରଫ୍ଟ ୮୬ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ, କିନ୍ତୁ ତାଙ୍କ ଟିମ୍ ମାତ୍ର ୧୪୭ ରନରେ ଅଲ୍ ଆଉଟ୍ ହୋଇ ଇନିଂସ୍ ପରାଜୟବରଣ କରିଥିଲା ।
from Odisha Reporter https://ift.tt/2U9JzlE
No comments:
Post a Comment