
ନୂଆଦିଲ୍ଲୀ: ବିଶ୍ୱକପ୍ରେ ଭାରତ–ପାକିସ୍ତାନ ମ୍ୟାଚ୍ ହେବ କି ନାହିଁ? ସେଥିପାଇଁ ସରକାର ଓ ବିସିସିଆଇ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, “ପାକିସ୍ତାନ ସହ ମ୍ୟାଚ୍ ହେବ କି ନାହିଁ, ସେକଥା ସରକାର ଓ ବିସିସିଆଇ ମିଳିତ ଭାବେ ନିଷ୍ପତ୍ତି ନେବେ। ସରକାର ଓ ବିସିସିଆଇ ଯାହା ବି ନିଷ୍ପତ୍ତି ନେବେ, ଟିମ୍ ଇଣ୍ଡିଆର ସଦସ୍ୟମାନେ ଅନୁରୂପ କାର୍ଯ୍ୟ କରିବେ। ଆମେ ସର୍ବଦା ଦେଶ ସହ ରହିଛୁ।”
ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ କଳା ବାଦଲ ଘୋଟେଇ ଆସିଛି। ଜୁନ୍ ୧୬ରେ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର କାର୍ଯ୍ୟସୂଚୀ ରହିଛି। କିନ୍ତୁ ଭାରତ କୌଣସି ବି ପରିସ୍ଥିତିରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା କଥା ନୁହେଁ ବୋଲି ଦାବି ଉଠିଛି। ଏହାକୁ ନେଇ ବିସିସିଆଇ ଓ ସିଓଏ ମଧ୍ୟରେ ଘନଘନ ବୈଠକ ବିସିଥିଲେ ହେଁ ଏଯାଏ କୌଣସି ନିଷ୍କର୍ସ ବାହାରି ପାରିନାହିଁ।
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟନମ୍ଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ସାମ୍ବାଦିକଙ୍କ ମାନଙ୍କୁ ସୂଚନା ଦେଇ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କହିଛନ୍ତି, “ପୁଲୱାମା ଆତଙ୍କୀ ହମ୍ଲାରେ ସହିଦ ଯବାନଙ୍କୁ ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଦେଶ ବର୍ତ୍ତମାନ ପରିସ୍ଥିତିରେ ଯାହା ଚାହିଁବ ଆମେ ସେଇଆ କରିବୁ। ସେହିପରି ବିସିସିଆଇ ଓ ଭାରତ ସରକାର ଯାହା କହିବେ, ଆମେ ସେହି ଅନୁସାରେ କାର୍ଯ୍ୟ କରିବୁ।”
ଭାରତ ବିଶ୍ୱକପ୍ରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ ବୋଲି କିଛି ପୂର୍ବତନ ଖେଳାଳି ଓ କ୍ରିକେଟ ପଣ୍ଡିତମାନେ କହୁଥିବା ବେଳେ ଆଉ କିଛି ପାକିସ୍ତାନକୁ ବିଶ୍ୱକପରୁ ବିଦା କରିବାକୁ ବିସିସିଆଇ ଆଇସିସିକୁ କହୁ ବୋଲି ମତ ଦେଇଛନ୍ତି। ସେହପରି ଆଉ କିଛି ଲୋକ ଭାରତ ବିଶ୍ୱକପ୍ରେ ପାକିସ୍ତାନକୁ ହରାଇ ପଡ଼ିଆରେ ପୁଲୱାମା ହମ୍ଲାର ବଦଲା ନେଉ ବୋଲି କହିଛନ୍ତି।
from Odisha Reporter https://ift.tt/2IxnWug
No comments:
Post a Comment