
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା। ଏହି ଦୁଇ ସହିଦ୍ଙ୍କ ପରିବାର ପାଇଁ ଗତକାଲି ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ। ତେବେ ସରକାରଙ୍କ ଏ ସହାୟତାକୁ ମନୋଜଙ୍କ ଗାଁ ଲୋକେ ନାପସନ୍ଦ କରିଛନ୍ତି।
ରତନପୁରବାସୀ କହିଛନ୍ତି, ମନୋଜଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯାଉ। ତା’ସହିତ ତାଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯାଉ।
ଗ୍ରାମବାସୀ କହିଛନ୍ତି, ଅନ୍ୟ ରାଜ୍ୟମାନେ ସହିଦଙ୍କୁ ଢେର୍ ଅଧିକ ସହାୟତା ଦେଉଛନ୍ତି। ଉତ୍ତର ପ୍ରଦେଶ ସରକାର ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ମହାରାଷ୍ଟ୍ର ସରକାର ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଓଡ଼ିଶାରେ କ’ଣ ଅଭାବ ଅଛି? ଆମ ରାଜ୍ୟ ଖଣି ଓ ପାଣିରେ ଭର୍ତ୍ତି ହୋଇଛି। ତେଣୁ ରାଜ୍ୟ ସରକାର ମନୋଜଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ୫୦ ଲକ୍ଷ ସହିତ ତାଙ୍କ ପରିବାରର ଜଣଙ୍କୁ ଚାକରି ବି ଦିଆଯାଉ।
ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ପାଖାପାଖି ୨୫୦୦ରୁ ଅଧିକ ଯବାନ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଗୋଟିଏ ଗାଡ଼ିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। IED ବିସ୍ଫୋରକ ଭରା ଏକ ଭ୍ୟାନ୍କୁ ଯବାନ ବସିଥିବା ବସ୍ରେ ମାଡ଼ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏଥିରେ ଗାଡ଼ି ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିଲା।
from Odisha Reporter http://bit.ly/2GrN57H
No comments:
Post a Comment