
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଲାଙ୍କ କାନ୍ଧରୁ ବସ୍ତାନି ବୋଝ କମାଇବା ଓ ସେମାନଙ୍କ ମେଧାର ବିକାଶ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିଲାଗି ୨୦୧୯-୨୦ ଶିକ୍ଷାବର୍ଷରେ ନୂଆ ଗାଇଡଲାଇନ୍ ଲାଗୁ ହେବ।
ସ୍କୁଲ୍ ବ୍ୟାଗରେ ଅତ୍ୟଧିକ ବୋଝ ଯୋଗୁ ପିଲାମାନେ ବିଭିନ୍ନ ଶାରିରୀକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଏହାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଅନ୍ତର୍ଗତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଦେଢ଼କିଲୋରୁ ଅଧିକ ହେବ ନାହିଁ। ସେଥିଲାଗି ସେମାନଙ୍କ ଲାଗି ମାତ୍ର ଦୁଇଟି ବିଷୟ ‘ମାତୃଭାଷା’ ଓ ‘ଗଣିତ’ ରଖିବାକୁ କୁହାଯାଇଛି।
ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବ୍ୟାଗ୍ର ଓଜନ ଦୁଇରୁ ତିନି କିଲୋ ମଧ୍ୟରେ ରହିବ। ଏମାନଙ୍କ ଲାଗି ଗଣିତ, ପରିବେଶ ବିଜ୍ଞାନ, ଇଂଲିଶ ଓ ମାତୃଭାଷା ଆଦି ୪ଟି ବିଷୟ ରହିବ।
ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଚାରି କିଲୋ, ଅଷ୍ଟମ ଓ ନବମ ପିଲାଙ୍କ ବ୍ୟାଗ୍ର ଓଜନ ସାଢେ ଚାରି କିଲୋ ଓ ୧୦ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୫ କିଲୋରୁ ଅଧିକ ହେବନାହିଁ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
ପିଲାଙ୍କୁ ହୋମ୍ୱୱାର୍କ ଦିଆଯିବା ଉପରେ ବି କଟକଣା ଲଗାଯାଇଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଆଦୌ ହୋମୱାର୍କ ଦିଆଯିବ ନାହିଁ। ଅନ୍ୟ ଶ୍ରେଣୀ ଲାଗି ଯେକୌଣସି ବିଷୟର ଏକ୍ସରସାଇଜ୍କୁ କ୍ଲାସ୍ ରୁମ୍ରେ ଶିକ୍ଷକଙ୍କ ସମ୍ମୁଖରେ କରିବେ। ଏଥିଲାଗି ସ୍ୱତନ୍ତ୍ର ପିରିୟଡ୍ ରଖାଯିବ। ପିଲାମାନେ ଯେପରି ନିଜେ ବୁଦ୍ଧି ଖଟାଇ ପ୍ରଶ୍ନର ସମାଧାନ କରିବେ ସେଥିଲାଗି ସେମାନଙ୍କୁ ଉତ୍ସାହିତ କରାଯିବ।
ଷଷ୍ଠରୁ ଦଶମ ପିଲାଙ୍କ ହୋମଓ୍ୱର୍କକୁ ନେଇ ସ୍କୁଲଗୁଡିକ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବେ। କେବଳ ବିଷୟ ଘୋଷାଣା ନକରି ପିଲାଙ୍କ ମେଧାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଖେଳକୁଦ ସହ ପ୍ରୋଜେକ୍ଟ, ବିଭିନ୍ନ ସ୍ଥାନ ଭ୍ରମଣ, ବୁକ୍ ରିଭ୍ୟୁ ଓ ସାଂପ୍ରତିକ ବିଷୟରେ ବିତର୍କ ଲାଗି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ।
ସ୍କୁଲ୍ ଗୁଡ଼ିକ ଷ୍ଟେଟ୍ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଓ ଟ୍ରେନିଂ ବା SCERT ଦ୍ୱାରା ଅନୁମୋଦିତ ବହି ହିଁ ବ୍ୟବହାର କରିବେ। ଗାଇଡ୍ ଓ ଅନ୍ୟାନ୍ୟ ବହି ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କଡ଼ାକଡ଼ି ଭାବେ ଗାଇଡଲାଇନ୍ ପାଳନ ଲାଗି ସ୍କୁଲଗୁଡ଼ିକୁ କୁହାଯାଇଛି।
ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଏହି ଗାଇଡଲାଇନ୍ ପାଳନ କରିବାକୁ ବାଧ୍ୟ। ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଆଧାରରେ ଏହି ନିଷ୍ପତ୍ତି ହୋଇଥିବା ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି।
from Odisha Reporter https://ift.tt/2F3r9he
No comments:
Post a Comment