
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଜାଗର ବା ମହାଶିବରାତ୍ରୀ । ଭଗବାନ ଶିବ ଶଙ୍କରଙ୍କ ଉପାସନାର ପ୍ରମୁଖ ଦିନ। ଏହିଦିନ ଯେଉଁମାନେ ଉପବାସ ପୂର୍ବକ ଭଗବାନ ଶିବଙ୍କୁ ପୂଜା କରନ୍ତି, ସେମାନେ ଇପ୍ସିତ ଫଳ ପ୍ରାପ୍ତ କରନ୍ତି ବୋଲି କୁହାଯାଏ।

ଏହି ମହାନ୍ ସନାତନୀ ଭାରତୀୟ ପର୍ବଟି ଓଡ଼ିଶାରେ ଟିକେ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ଓଡ଼ିଶାରେ ଶିବ ମନ୍ଦିରମାନଙ୍କରେ ବେଢା ପରିକ୍ରମା ନୀତି ସହ ମନ୍ଦିର ଚୂଡାକୁ ବିଳମ୍ବିତ ରାତିରେ ଏହି ଦିନ ମହାଦୀପ ଉତ୍ତୋଳନ କରାଯାଏ। ଅର୍ଥାତ୍ ମନ୍ଦିରରେ ପୂଜା ପାଉଥିବା ମୂଳ ଶିବ ଲିଙ୍ଗଙ୍କ ପ୍ରତିନିଧି ସ୍ୱରୂପ ଚଳନ୍ତି ବିଗ୍ରହଙ୍କୁ ମନ୍ଦିର ବେଢା ପରିକ୍ରମା କରାଯାଇ ଏକ ମଶାଲ ଆକୃତିର ସ୍ୱତନ୍ତ୍ର ପ୍ରଜ୍ୱଳିତ ଅଗ୍ନିଶିଖାକୁ ମହାଦୀପ ଆକାରରେ ମନ୍ଦିର ଚୂଡାରେ ଥିବା ଅଁଳା ବେଢାରେ ସ୍ଥାପନ କରାଯାଇଥାଏ।
ହେଲେ ଆପଣ ଜାଣନ୍ତି କି, ମହାଦୀପ ଉତ୍ତୋଳନ ସମୟରେ କ’ଣ କୁହାଯାଏ? ତା’ ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।
ମହାଦୀପ ଉତ୍ତୋଳନର ପରମ୍ପରା ବିଶେଷତଃ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଏକାମ୍ର କ୍ଷେତ୍ରାଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ନୀତିଠାରୁ ଆରମ୍ଭ ହୋଇଛି ବୋଲି ଗବେଷକମାନେ କୁହନ୍ତି। ଯାହା ଏବେ ଓଡ଼ିଶାର ପ୍ରାୟ ସମସ୍ତ ଶିବାଳୟରେ ଶିବରାତ୍ରୀ ରାତିରେ ପାଳନ ହୋଇଥାଏ।
ପୁରୀରେ ମହାଦୀପ ଉଠାଉଥିବା ସବେକଙ୍କୁ ଚୁନରା ଓ ଏକାମ୍ରରେ ବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଉଥିବା ସେବକଙ୍କୁ ସାମର୍ଥା ବୋଲି କୁହାଯାଏ। ଶ୍ରୀମନ୍ଦିରରେ ପ୍ରତି ଏକାଦଶୀରେ ମହାଦୀପ ଉଠୁଥିବା ବେଳେ ଏକାମ୍ରରେ ଶିବରାତ୍ରୀ ବା ଜାଗର ରାତିରେ ମହାଦୀପ ଉଠେ।
କ’ଣ ଏହି ମହାଦୀପ
ସେବକଙ୍କ ନାଁ ଅଲଗା ଅଲଗା ହୋଇଥିଲେ ମଧ୍ୟ ମହାଦୀପ ପ୍ରଜ୍ୱଳର ପାରମ୍ପରିକ ନୀତି ପ୍ରାୟତଃ ସମାନ ବୋଲି କୁହାଯାଏ। ବେଢା ପରିକ୍ରମା ପରେ ଏକ କଞ୍ଚା କଦଳୀ ବାସୁଙ୍ଗାରେ କନା ଗୁଡ଼ାଇ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ମଶାଳ ଆକୃତିର ଦୀପକୁ ମହାଦୀପ କୁହାଯାଏ। ଏହାର ତଳଭାଗରେ ଘିଅ ବୁଡାଇ ରଖାଯାଏ, ଯେପରି ଉପରେ ଥିବା କନା ସମ୍ପୁର୍ଣ୍ଣ ଘିଅରେ ଭିଜିପାରିବ ଓ ଦୀର୍ଘ ସମୟ ଧରି ଜଳିପାରିବ। ଏହାକୁ ସାମର୍ଥା ସେବକ ହାତରେ ଧରି ମନ୍ଦିର ଚୂଡାକୁ ଚଢନ୍ତି ଓ ମନ୍ଦିର କଳସର ନିମ୍ନ ଭାଗରେ ଥିବା ଅଁଳା ବେଢାକୁ ୩ବାର ପରିକ୍ରମା କରିବା ପରେ ପୂର୍ବଦିଗକୁ ମୁହଁକରି ଜୟକାର କରିଥାନ୍ତି।

ମହାଦୀପ ଦେଖାଇ କ’ଣ କୁହନ୍ତି ସେବକ ?
ଓଡିଆ ପରମ୍ପରାରେ ମହାଦୀପ ଦେଖାଇବା ଏକ ମହାନ୍ ଲୋକତାନ୍ତ୍ରିକ ବିଧି ବୋଲି କିଛି ଗବେଷକ କୁହନ୍ତି। କାରଣ ମହାଦୀପ ଧରି ଉତ୍କଳ ଖଣ୍ଡ ବା ପବିତ୍ର ଓଡ଼ିଶାର ସମ୍ପ୍ରତି ରାଜ(ବର୍ତ୍ତମାନ ସମୟର ଗଜପତି ମହାରାଜଙ୍କ ନାମରେ)ଙ୍କ ଜୟକାର କରି ସମଗ୍ର ଅଞ୍ଚଳରେ ଲୋକେ ସୁସ୍ଥ ଓ ନିରାମୟ ଜୀବନ ଜିଅଁନ୍ତୁ ବୋଲି କୁହାଯାଏ।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମନ୍ଦିର ଚୂଡାରେ କ’ଣ କୁହାଯାଏ ବୋଲି ଼।
ବାସ୍ତବରେ ସେବକ ମନ୍ଦିର ଚୂଡାରେ ଚଢିବା ପରେ କୁହନ୍ତି-
ଶ୍ରୀ ଶ୍ରୀ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳବର୍ଗେଶ୍ୱର ବୀରାଧିବୀରବର ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତ ରାଜ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୂଳ ଧୂମକେତୁ ମହାରାଜାଧିରାଜ ଦିବ୍ୟସିଂହଦେବ ଦେବ(ବର୍ତ୍ତମାନ ରାଜାଙ୍କ ନାଁ ଓ ପାରମ୍ପରିକ ଅଙ୍କ ଗଣନାର ସଂଖ୍ୟା)ଙ୍କୁ ଘଣ୍ଟ ଘୋଡାଇ ରଖିବା ହେଉ, ଶମ୍ଭୁ ହେ… । ଜଗତର ମଙ୍ଗଳ ହେଉ, ସମସ୍ତ ସୁଖି ହୁଅନ୍ତୁ ।
from Odisha Reporter https://ift.tt/2tQCWsI
No comments:
Post a Comment