
ସାଉଦି ଆରବ : ସାଧାରଣତଃ ଜରୁରୀକାଳୀନ ସ୍ଥିତିରେ ବିମାନକୁ ଅବତରଣ କରିବାକୁ ଅନୁମତି ମିଳିଥାଏ। ଏଥିଲାଗି ଉପଯୁକ୍ତ କାରଣ ଦର୍ଶାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡିଥାନ୍ତି ପାଇଲଟ୍। ହେଲେ ଜଣେ ମହିଳା ଫ୍ଲାଇଟ୍ରେ ଯିବା ପରେ ମନେ ପଡିଥିଲା ଯେ ସେ ନିଜ ଛୁଆକୁ ଏୟାରପୋର୍ଟରେ ଛାଡି ଦେଇଛନ୍ତି। ଏକଥା ଜାଣିବା ପରେ ପାଇଲଟ୍ ଜଣକ ତତ୍କ୍ଷଣାତ ପ୍ଲେନ୍କୁ ଏୟାରପୋର୍ଟକୁ ଫେରାଇ ଆଣିଥିଲେ। ଏପରି ମାନବିକତା ଦେଖାଇଥିବାରୁ ପାଇଲଟ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଅପରପକ୍ଷେ ସମାଲୋଚନାର ଶିକାର ହୋଇଛନ୍ତି ମହିଳାଜଣକ। ଏପରି ଘଟଣା ସାଉଦି ଆରବରେ ଘଟିଛି।
ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁଯାୟୀ, ଫ୍ଲାଇଟ୍ SV832 ସାଉଦିଆରବର ଜେଦ୍ଦାହରୁ କୁଆଲାଲାମ୍ପପୁର ଯାଉଥିଲା। ପ୍ଲେନ୍ଟି ଉଡିବାର କିଛି ସମୟ ପରେ ସାଉଦି ଆରବ ବାସିନ୍ଦା ଜଣେ ମହିଳା ନିଜ ଛୋଟ ଛୁଆକୁ ଏୟାରପୋର୍ଟରେ ଛାଡି ଆସିଥିବା କହିଥିଲେ। ଏହା ଶୁଣି ପାଇଲଟ୍ଜଣକ ସଙ୍ଗେସଙ୍ଗେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିଥିଲେ।
ଏ ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଛି। ସେଥିରେ ଏୟାରପୋର୍ଟର ଜଣେ କର୍ମଚାରୀ ପାଇଲଟ୍ଙ୍କ ସହ କଥା ହୋଇ ସମସ୍ୟା ଦୋହୋରାଇବାକୁ କହୁଛନ୍ତି । ପାଇଲଟ୍ ସମସ୍ୟା ସମ୍ପର୍କରେ ଜଣାଇବା ପରେ ଉକ୍ତ ଶିଶୁର ମା’ ଆଉ ଯାତ୍ରା କରିବାକୁ ଚାହୁଁ ନ ଥିବା କହିଛନ୍ତି। ଏହାପରେ ଫ୍ଲାଇଟ୍କୁ ଜରୁରୀ ଅବତରଣ କରିବାକୁ ଅନୁମତି ଦିଆଗଲା।
ନିଜ ଛୁଆକୁ ଭୁଲି ଯାଇଥିବା ମହିଳାଙ୍କୁ ସୋଶାଲ ମିଡ଼ିଆରେ ଖୁବ୍ ସମାଲୋଚନା କରାଯାଇଛି। ଅପରପକ୍ଷେ ପାଇଲଟ୍ଜଣକ ତତ୍କ୍ଷଣାତ ସଠିକ୍ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ସବୁ ମହଲରୁ ଧନ୍ୟବାଦ ଦିଆଯାଇଛି। ଗତ ବର୍ଷ ମଧ୍ୟ ଜର୍ମାନୀରେ ଏପରି ଏକ ଘଟଣା ସାମନାକୁ ଆସିଥିଲା।
from Odisha Reporter https://ift.tt/2CisjUe
No comments:
Post a Comment