ପୁରୁଷୋତ୍ତମଙ୍କ ଅସନ୍ତୋଷ ବିଜେପିକୁ ମହଙ୍ଗା ପଡ଼ିବ କି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ପୁରୁଷୋତ୍ତମଙ୍କ ଅସନ୍ତୋଷ ବିଜେପିକୁ ମହଙ୍ଗା ପଡ଼ିବ କି !

ବାରିପଦା (ମାଣିକଲାଲ ପାଣି):  ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ, ୨୯ ନଂ ଜୋନ‌୍‍ ବିଧାନସଭା କ୍ଷେତ୍ର। ମୟୂରଭଞ୍ଜର ହେବିୱେଟ‌୍‍ ନେତା ସୁଦାମ ମାର୍ଣ୍ଡିଙ୍କ ଏ ହେଉଛି ହୋମ‌୍‍ ଗ୍ରାଉଣ୍ଡ। ଏଥିପାଇଁ ଏହି ନିର୍ବାଚନ ମଣ୍ଡଳୀ ସବୁଥର ନିର୍ବାଚନରେ ଚର୍ଚ୍ଚାରେ ରୁହେ। ଶିମିଳିପାଳକୁ ଲାଗିକରି ଏହି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗାଁ ରହିଛି। ଦୁର୍ଗମ ପାହାଡ ଏପଟେ ନିର୍ବାଚନ ମଣ୍ଡଳୀ ମଝିଦେଇ ବହି ଯାଇଛି ବୁଢାବଳଙ୍ଗ ନଦୀ। ଗୋଟେ ପଟେ ପାହାଡି ଅଞ୍ଚଳ, ଅନ୍ୟପଟେ ନଦୀ ପଠାର ଅନେକ ଅପହଞ୍ଚ ଗାଁ। ବାରିପଦା ସହରଠାରୁ ୪୦କି.ମି. ଗଲେ ନିର୍ବାଚନ ମଣ୍ଡଳୀର ମୁଖ୍ୟ ବ୍ଲକ। ତିନୋଟି ବ୍ଲକର ୫୧ଟି ପଞ୍ଚାୟତକୁ ମିସାଇ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଗଠିତ। ଏବେ ଏଠାରେ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି।

ଗତ ନିର୍ବାଚନରେ ଏଠାରେ ୧୧ଜଣ ପାର୍ଥୀ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରାଇଥିବା ବେଳେ ୮୫ ପ୍ରତିଶତ ଭୋଟର ମତ ସାବ୍ୟସ୍ତ କରିଥାନ୍ତି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୮୦ ପ୍ରତିଶତ ଭୋଟର ଆଦିବାସୀ ସମ୍ପ୍ରଦାୟର, ସେଥିପାଇଁ ଆଦିବାସୀ ଭୋଟରଙ୍କୁ ହାତେଇବା ପାଇଁ ଆଦିବାସୀ ନେତାଙ୍କ ମଧ୍ୟରେ ହୁଏ ଜୋର‌୍‍ଦାର‌୍‍ ଟକ୍କର।

ସମସ୍ୟା: ୫୧ ପଞ୍ଚାୟତ ବିଶିଷ୍ଟ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ସମସ୍ୟା କଥା ନ କହିବା ଭଲ।ବିଜୁ ଗାଁ ଗାଡି ଯୋଜନା ଏଠି ସମ୍ପୁର୍ଣ୍ଣ ଫେଲ‌୍‍ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ଛୋଟ ବସଷ୍ଟାଣ୍ଡଟିଏ ମଧ୍ୟ ନାହିଁ। ପ୍ରାଇଭେଟ‌୍‍ ଗାଡି ନଚେତ‌୍‍ ତିନି ଚକିଆ ଟେମ୍ପୋରେ ଖର୍ଚ୍ଚାନ୍ତ ହୋଇ ଲୋକଙ୍କୁ ଯିବା ଆସିବା କରିବାକୁ ପଡିଥାଏ। ରେଳ ଷ୍ଟେଶନ ଅଛି ହେଲେ ମୌଳିକ ସୁବିଧା ନାହିଁ। ବୁଢାବଳଙ୍ଗ ନଦୀ ଉପରେ ପାର ହୋଇ ବ୍ଲକକୁ ଆସିବା ଲୋକଙ୍କ ପାଇଁ ସାତ ସପନ। ଦରକୁଳୀ, ପାତିହିଞ୍ଜା, ଗୋଲାମୁଣ୍ଡାକଟାରେ ଏବେ ଏବେ ନୂତନ ବ୍ରିଜ‌୍‍ ନିର୍ମାଣ ହୋଇଛି କିନ୍ତୁ ଆଜି ବି କୁସମବନ୍ଧ, ନିଶଚିନ୍ତା ପାଇଁ ଆଜିଯାଏଁ ବ୍ରିଜ‌୍‍ ନ ଥିବାରୁ ଆଜି ବି ଲୋକ ଡଙ୍ଗାର ସହାୟତା ନେଉଛନ୍ତି। କୁଳିଅଣା, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷିରେ ଡାକ୍ତରଖାନା ଅଛି ହେଲେ ଡାକ୍ତର ଅଭାବ ଲାଗି ରହିଛି। ପୁରା ଅଞ୍ଚଳ ଅପହଞ୍ଚ ଇଲାକା ଥିବାରୁ ଅନେକ ସ୍ଥାନରେ ୧୦୮ ଆମ୍ୱୁଲାନ୍ସ ପହଞ୍ଚି ପାରୁ ନାହିଁ। ରୋଗୀ ଖଟିଆରେ ବୁହାହେଉଛନ୍ତି ନ ହେଲେ ଅନେକ ସମୟରେ ଗୁଣି ଗାରେଡିର ଆଶ୍ରା କରୁଛନ୍ତି।

ଗତ ବର୍ଷକ ତଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ କୋଟି କୋଟି ଟଙ୍କାର ସୋଲାର ଲାଇଟ‌୍‍ ବ୍ୟବସ୍ଥା କରାଯାଇଥିଲା। ହେଲେ ବର୍ଷକ ମଧ୍ୟରେ ସବୁ ଲାଇଟ‌୍‍ ଖରାପ ହୋଇଯାଇଛି। ଦୀର୍ଘ ଦିନ ଧରି ମଡେଲ‌୍‍ ସ୍କୁଲଟିଏ ନିର୍ମାଣ ପାଇଁ ଦାବି ହେବାପରେ ଏହି କିଛିଦିନ ହେଲା ସ୍କୁଲର କାନ୍ଥ ତିଆରି ଆରମ୍ଭ ହୋଇଛି। ନିର୍ବାଚନ ମଣ୍ଡଳୀରେ ଅନ୍ୟଏକ ଏକଲବ୍ୟ ସ୍କୁଲ ନିର୍ମାଣ ହୋଇଛି ସତ, ହେଲେ ଦୀର୍ଘ ଦିନ ହେଲାଣି ପାଠପଢା ଆରମ୍ଭ ହୋଇନାହିଁ। ପିଇବା ପାଣି ଓ ଚାଷ ଜମି ପାଣି କଥା କହିଲେ ନ ସରେ। ପିଇବା ପାଣି ଯୋଜନା ହୋଇଛି ସତ ହେଲେ ଅନେକ ସ୍ଥାନରେ ଏସବୁ ଫେଲ‌୍‍। ଖରାଦିନେ ଦୁର୍ଗମ ଅଞ୍ଚଳରେ ପିଇବା ପାଣି ଟିକକ ପାଇଁ ଲୋକଙ୍କୁ ସଂଘର୍ଷ କରିବାପାଇଁ ପଡିଥାଏ। ସବୁଠାରୁ ବଡ଼କଥା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଦାମ ମାର୍ଣ୍ଣି ଏଠାରୁ ଜିତି ରାଜ୍ୟ କ୍ରିଡା ଉନ୍ନୟନ ବିଭାଗର ମନ୍ତ୍ରୀ ହୋଇଥିଲେ। ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନରେ ଖେଳ ପଡିଆଟିଏ ପାଇଁ ଦାବି ହେଉଥିଲା। ବାଙ୍ଗିରିପୋଷିଠାରେ ଏକ ଖେଳ ପଡିଆର ୨୦୧୫-୧୬ ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ମନ୍ତ୍ରୀ ଥାଇ ମଧ୍ୟ ଖେଳ ପଡିଆଟିଏ ତିଆରି ହୋଇପାରିନାହିଁ। ଯେଉଁଟା କି ଲୋକଙ୍କ ଅସନ୍ତୋଷର ମୁଖ୍ୟ କାରଣ ପାଲୋଟିଛି। ଏଣୁ ଏଥର ଭୋଟ୍‌ କାହାକୁ ଯିବ ତାହା କହିବା କାଠିକର ପାଠ।

ବିଜେଡି: ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଏହି ୨୯ ନଂ ଆସନରେ ତିନି ଥର ଆଦିବାସୀ ନେତା ସୁଦାମ ମାର୍ଣ୍ଡି ଜେ.ଏମ‌୍‍.ଏମ‌୍‍. ରୁ ୨ ଥର ଏବଂ ବିଜେଡିରୁ ଟିକଟ ପାଇ ଥରେ ଜିତିଛନ୍ତି। ୫୧ବର୍ଷିୟ ସୁଦାମଙ୍କର ଏ ହେଉଛି ହୋମ‌୍‍ ଗ୍ରାଉଣ୍ଡ। ୪ଥର ଏମ‌୍‍.ଏଲ‌୍‍.ଏ. ଓ ଥରେ ମୟୂରଭଞ୍ଜ ଏମ‌୍‍.ପି. ହୋଇଥିବା  ହେଭିୱେଟ‌୍‍ ନେତା ସୁଦାମ ହେଉଛନ୍ତି ବାଙ୍ଗିରିପୋଷିର ପୁଅ। ଛାତ୍ର ରାଜନୀତିରୁ ସେ ଜଣେ ସୋସିଆଲ‌୍‍ ଆକ୍ଟିଭିଷ୍ଟ ଭାବେ କାମ କରୁଥିବା ବେଳେ ରାଜନୀତିକୁ ସାମାଜିକ ଧର୍ମ ବୋଲି ଭାବନ୍ତି। ୧୯୯୫ ରେ ସେ ପ୍ରଥମଥର ବିଧାୟକ ହୋଇ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ସୁଦାମ କହନ୍ତି ତାଙ୍କ ଷ୍ଟାଇଲ‌୍‍କୁ ଦେଖି ଅନ୍ୟନେତାମାନେ ଶିଖନ୍ତି। ଜେ.ଏମ‌୍‍.ଏମ‌୍‍.ରୁ ବିଜେଡିରେ ଯୋଗ ଦେବାପରେ ସେ ଓଡିଶାରେ କ୍ରିଡା ଓ ଯୁବ ବ୍ୟପାର ମନ୍ତ୍ରୀ, ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି। ହେଲେ ସୁଦାମଙ୍କ ଝିଅ ଅନ୍ୟ ସମ୍ପ୍ରଦାୟରେ ବାହାହେବା ପରେ ନିଜ ସମ୍ପ୍ରଦାୟ ଏବଂ ନିଜ ହୋମ‌୍‍ ଗ୍ରାଉଣ୍ଡରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା। ଆସନ୍ତା ଇଲେକ୍ସନ ପାଇଁ ନିର୍ବାଚନ ମଣ୍ଡଳିରୁ ଅନେକ ଆଶାୟୀ ରହିଥିଲେ  ଥିବାର ଦେଖିବାକୁ ମିଳିଛି। କ୍ୟାମେରା ସାମ୍ନାକୁ ନ ଆସିଲେ ମଧ୍ୟ ନିର୍ବାଚନ ମଣ୍ଡଳିରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ୱ୍ରମ ହୁଅନ୍ତୁ କି ବିଜେପି ର ଭାରତୀ ହାଁସଦା ଅବା ଜେ.ଏମ‌୍‍.ଏମ‌୍‍. ର ଶିବୁ।

ବିଜେପି : ଜେଏମ‌୍‍ଏମ‌୍‍ର ଜଣେ ସକ୍ରିୟା ନେତା ତଥା ଦିନେ ସୁଦାମ ମାର୍ଣ୍ଡିଙ୍କ ମାର୍ଗ ଦର୍ଶକ ବୋଲାଉଥିବା ସୁଗ‌୍‍ଦା ମୁର୍ମୁ ଓରଫ୍ ଧଣ୍ଡ ଭାଇ ଜେ.ଏମ‌୍‍.ଏମ‌୍‍. ଛାଡି ଏବେ ବିଜେପିର ଆଗ ଧାଡିଆ ନେତା। କିଛି ଦିନ ହେବ ସୁଗ‌୍‍ଦା ବିଭିନ୍ନ ସ୍ଥାନରେ ବିଜେପି ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଥିଲେ। ଗାଁ ଗାଁରେ ସଭା ସମିତି କରିବା, ଆଦିବାସୀଙ୍କୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବା ଧଣ୍ଡ ଭାଇଙ୍କୁ ଦେଖିବାକୁ ମିଳୁଥିଲା। ଫଳରେ ଆଗାମୀ ନିର୍ବାଚନରେ ସୁଦାମଙ୍କୁ ଚେକ୍‌ ଦେବାକୁ ସୁଗ୍‌ଦାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ।  ଗତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପରୁଷୋତ୍ତମ ନାୟକ ଏଥର ମଧ୍ୟ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ସୁଗ୍‌ଦାଙ୍କୁ ଟିକଟ ଦେବା ପରେ ସେ ହତାଶ ହୋଇଛନ୍ତି। ୬୮ ବର୍ଷିୟା ପୁରୁଷୋତ୍ତମ ଜଣେ ଅବସର ପ୍ରାପ୍ତ ଜଣେ ବ୍ୟାଙ୍କ କର୍ମଚାରୀ।

କଂଗ୍ରେସ/ଜେଏମ୍‌ଏମ୍‌: ବାଙ୍ଗିରିପୋଷିର ନୂଆକରି ହୋଇଥିବା କଂଗ୍ରେସ ଯୁବ ସଭାପତି ବିଶ୍ୱଜିତ ଟୁଡୁ ଏବେ କଂଗ୍ରେସରୁ ବିଧାୟକ ଟିକେଟ୍‌ ପାଇଁ ଆଶାବାଦୀ। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଜେଏମ‌୍‍ଏମ‌୍‍ର ମଧ୍ୟ ଦବ‌୍‍ଦବା ଅନେକ। ଜେ.ଏମ‌୍‍.ଏମ‌୍‍. ଏହି ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଓଡିଶା ବିଧାନସଭାକୁ ପଠାଇଥିବା ବେଳେ ଆସନ୍ତା ନିର୍ବାଚନରେ କଂଗ୍ରେସ ଏବଂ ଜେ.ଏମ‌୍‍.ଏମ‌୍‍ର ହେବାକୁ ଥିବା ମେଣ୍ଟକୁ ନେଇ ଏବେ ଚର୍ଚ୍ଚା। ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୬ ହଜାର ଭୋଟ‌୍‍ ହାତେଇ ୩ୟ ସ୍ଥାନ ଅଧିକାର କରିଥିବା ସୁନ୍ଦର ମୋହନ ସିଂ କଂଗ୍ରେସ ହାତଛାଡି ଜେ.ଏମ‌୍‍.ଏମ‌୍‍. ହାତ ଧରିଛନ୍ତି। ଆସନ୍ତା ନିର୍ବାଚନରେ ଜେ.ଏମ‌୍‍.ଏମ‌୍‍. ର କଂଗ୍ରେସ ସହ ମେଣ୍ଟ ହେବାପରେ ବାଙ୍ଗିରିପୋଷିରୁ ଜେ.ଏମ‌୍‍.ଏମ‌୍‍. ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା। ଅନ୍ୟପକ୍ଷରେ ଜେ.ଏମ‌୍‍.ଏମ‌୍‍.ର ପୂର୍ବତନ ବିଧାୟକ ଅଜେନ ମୁର୍ମୁ କିମ୍ୱା ଜିଲ୍ଲା ସଭାପତି ଫାଗୁ ହାଁସଦା ଏଥର ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି।

 



from Odisha Reporter https://ift.tt/2TY5rVf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages