ପ୍ରଣବଙ୍କ ପାଇଁ ଭାବମୂର୍ତ୍ତି ସଙ୍କଟ: ପ୍ରତିଦ୍ୱନ୍ଦ୍ୱୀ ଦୁର୍ବଳ, କିନ୍ତୁ ନିଜେ ନିଜ ପାଇଁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପ୍ରଣବଙ୍କ ପାଇଁ ଭାବମୂର୍ତ୍ତି ସଙ୍କଟ: ପ୍ରତିଦ୍ୱନ୍ଦ୍ୱୀ ଦୁର୍ବଳ, କିନ୍ତୁ ନିଜେ ନିଜ ପାଇଁ ସମସ୍ୟା

ଯାଜପୁର (ଗୁଲାମ ଗସ୍): ଯାଜପୁର ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ ଗୋଟି ନିର୍ବାଚନ ମଣ୍ଡଳୀରୁ ‘ଧର୍ମଶାଳା’ ବେଶ୍ ଗୁରୁତ୍ୱ ବହନ କରେ। ୧୯୫୧ ମସିହାରେ ଏହାକୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଘୋଷଣା କରାଯିବା ପରଠୁ ଏଠାରେ ଉଭୟ କଂଗ୍ରେସ ଓ ଅଣକଂଗ୍ରେସ ଦଳର ପ୍ରଭାବ ରହିଆସିଛି। କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟରେ ଭରପୁର ଏହି ନିର୍ବାଚନ କ୍ଷେତ୍ରଟି, ମୋଟ ୫୪ଟି ପଞ୍ଚାୟତକୁ ନେଇ ଗଠିତ।

ଧର୍ମଶାଳାର ରାଜନୈତିକ ଇତିହାସ

ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅଣକଂଗ୍ରେସ ଗଡ଼ ଭାବରେ ପରିଚିତ ଏହି ନିର୍ବାଚନମଣ୍ଡଳୀ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ପ୍ରଥମଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୧୯୯୫ ମସିହାରୁ ଧର୍ମଶାଳା ବିଧାନସଭା ଆସନରୁ ଲଗାତାର ଭାବେ ୪ଥର ବିଧାୟକ ହୋଇଥିଲେ ସ୍ୱର୍ଗତଃ କଳ୍ପତରୁ ଦାସ । ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ୨୦୧୪ ମସିହାରେ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ ଏଠାରୁ ନିର୍ବାଚନ ଲଢ଼ିବାର ସୁଯୋଗ ପାଇଥିଲେ। ସ୍ୱର୍ଗତ ଦାସଙ୍କ ଚତୁର ରାଜନୈତିକ ଗୋଟିଚାଳନ ଯୋଗୁ ସେ ନା ନିଜ ଦଳରେ ନା ଅନ୍ୟ ଦଳରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶକ୍ତିଶାଳୀ ହେବାକୁ ଦେଇନଥିଲେ। ବରଂ ବିରୋଧୀ କଂଗ୍ରେସକୁ ଭାଗଭାଗ କରିବାରେ ସେ ସଫଳ ହୋଇଥିଲେ। ବାପାଙ୍କ ଉତ୍ତରାଧିକାରୀ ଭାବେ ପ୍ରଣବ ବିଜେଡି ଟିକଟରେ ସହଜରେ ବହୁ ଭୋଟରେ ବିଜୟୀ ହୋଇଥିଲେ।

ସନ୍ତୋଷଜନକ ନୁହେଁ ବିକାଶ

ବିକାଶର ପ୍ରୟୋଗଶାଳା କୁହାଯାଉଥିବା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କିନ୍ତୁ ରହିଯାଇଛି ଅନେକ ସମସ୍ୟା। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏବେବି ହୋଇ ପଛୁଆ ରହିଛି ଏ ସ୍ଥାନ। ପର୍ଯ୍ୟଟନର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ବରଂ ଧର୍ମଶାଳା ଅଞ୍ଚଳରେ ରହିଥିବା ପ୍ରାକୃତିକ ସଂପଦର ବ୍ୟାପକ ହରିଲୁଟ ଚାଲିଛି। ରସୁଲପୁର ବ୍ଲକ ଚାଷ କ୍ଷେତ୍ରରେ ସୁନାମ ଆଣିଛି। କିନ୍ତୁ ଏଠି ଶୀତଳ ଭଣ୍ଡାର ନାହିଁ।

ରାଜ୍ୟର ପରିବା ହବ୍‌ ବୋଲି କୁହାଯାଉଥିବା ‘ବାରବାଟୀ ପରିବା ବଜାର’ ଏବେବି ସମସ୍ୟା ଘେରରେ। ଚାଷୀମାନଙ୍କ ପାଇଁ ବିକ୍ରୟ କେନ୍ଦ୍ର ନଥିବାରୁ, ଜାତୀୟ ରାଜପଥ କଡ଼ରେ ଚାଲିଛି ପରିବା ମାର୍କେଟ। ସେହିପରି ଧର୍ମଶାଳା ନିର୍ବାଚନମଣ୍ଡଳୀର ପ୍ରାଣକେନ୍ଦ୍ର କୁହାଯାଉଥିବା ଜାରକା ବଜାର ଅବସ୍ଥା ସଂଗୀନ। ଦୈନନ୍ଦିନ ହଜାର ହଜାର ଲୋକ ଏଠାକୁ ଆସୁଛନ୍ତି। ଗଳିପୋଲରେ ଟ୍ରାଫିକ ବୋଲି କିଛି ନାହିଁ। ଜବରଦଖଲ କରି ଗଢ଼ି ଉଠିଛି ଦୋକାନ। ଦୀର୍ଘବର୍ଷ ହେବ ଏଠାରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ସୁଦ୍ଧା ଦୃଷ୍ଟି ଦିଆଯାଇନି।

ବିଜେଡି ଓ ପ୍ରଣବଙ୍କ ଭାବମୂର୍ତ୍ତି: ପ୍ରଣବ ଦେଇଥିବା ପ୍ରତିଶ୍ରୁତିରୁ ଅନେକ ପୂରଣ ହୋଇନି। ସେହିପରି ତାଙ୍କ ନାଁରେ ଅନେକ ଗମ୍ଭୀର ଅଭିଯୋଗ ଲାଗିଛି। ଘଙ୍ଗାପାଟଣା ଜମି କେଳାଙ୍କାରୀ ଓ ଚିଟଫଣ୍ଡ ଭଳି ଦୁର୍ନୀତିରେ ତାଙ୍କ ନାଁ ଉଠିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ପାଇ ହାଜର ହୋଇଛନ୍ତି। ବିଧାୟକଙ୍କ ବିରୋଧରେ ରହିଥିବା ଏହିସବୁ ଅଭିଯୋଗ ବିରୋଧିଙ୍କ ପାଇଁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି।

ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ କିନ୍ତୁ ଜମେଇକି ରଖିଛନ୍ତି। ସମସ୍ୟା କେବଳ ତାଙ୍କ ଭାବମୂର୍ତ୍ତିରେ ଲାଗିଥିବା ଅଭିଯୋଗର ଛିଟା। ଚର୍ଚ୍ଚା ହେଉଛି, ଏହା ହିଁ ତାଙ୍କ ପାଇଁ ଟିକଟ ହାସଲରେ ସମସ୍ୟା ହୋଇପାରେ। ଦଳ ଭିତରେ ତାଙ୍କ ପାଇଁ ଟାଣୁଆ ପ୍ରତିଦ୍ୱନ୍ଦ୍ୱୀ କେହି ନାହାଁନ୍ତି। ଏଥର ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ବିଜେଡି ଟିକଟ ପାଇଁ ଆଶା ରଖିଛନ୍ତି। ତାଙ୍କ ହାତରେ କିଛିଟା ସଙ୍ଗଠନ ରହିଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଧର୍ମଶାଳାରେ ସେ ହେଉଛନ୍ତି ବିଜେଡିର ପ୍ରତିଷ୍ଠାତା ସଭ୍ୟ। ଏଥର ଟିକଟ ପାଇଁ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ: ଏଠାରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା କଂଗ୍ରେସ, କେତୋଟି ନିର୍ବାଚନରେ ବିଜେଡିକୁ ଟକ୍କର ଦେଇଥିଲା। କିନ୍ତୁ ୨୦୧୪ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିଲେ। କଂଗ୍ରେସ ପାଇଁ ଗୋଷ୍ଠୀକନ୍ଦଳ ହିଁ ପାଲଟିଛନ୍ତି ମୁଖ୍ୟ ସମସ୍ୟା। ଏଥର କିନ୍ତୁ ଚିତ୍ର ଟିକିଏ ବଦଳିବା ପରି ଲାଗୁଛି। କ୍ଷମତାକୁ ଫେରିବା ପାଇଁ ଦଳ ଲାଗିପଡିଛି। ଗତଥର ଟିକଟ ପାଇ ଅମାନତ ହରାଇଥିବା କଂଗ୍ରେସ ନେତା ଶ୍ରୀନାଥ ମିଶ୍ର ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ କଂଗ୍ରେସ ଟିକଟ ପାଇଁ ପ୍ରବଳ ଦାବିଦାର ଥିବା ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା ଓ କିଶାନ ପଣ୍ଡା ସଂଗଠନକୁ ନିଜ ନିଜ ସ୍ତରରେ ମଜବୁତ କରୁଛନ୍ତି। ଦଳୀୟ ଟିକଟ ପାଇବାକୁ ଉଭୟ ଆଶା ରଖିଛନ୍ତି। ଏମାନଙ୍କ ବ୍ୟତୀତ କଂଗ୍ରେସ ଟିକଟ ପାଇଁ ଆଉଜଣେ ଦାବିଦାର ହେଉଛନ୍ତି ପିସିସି ସମ୍ପାଦିକା ସ୍ମୃତିରେଖା ପହି। ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଏ ଅଂଚଳର ଝିଅ ଭାବେ କିଛିମାସ ହେଲା ଏଠାରେ ରହି କଂଗ୍ରେସ କର୍ମୀଙ୍କୁ ଏକଜୁଟ କରୁଛନ୍ତି।

ବିଜେପି: ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। କିନ୍ତୁ ପଂଚାୟତ ନିର୍ବାଚନରେ ଦଳକୁ ଆଶାତୀତ ସମର୍ଥନ ମିଳିଥିଲା। ଗତ ନିର୍ବାଚନରେ ଦଳୀୟ ଟିକଟ ହାସଲ କରି ପାଖାପାଖି ୨୦ ହଜାର ଭୋଟ୍‌ ପାଇଥିବା ବିଜେପି ନେତା ତଥା ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା ଏବେ ସଂଗଠନକୁ ମଜବୁତ କରି ଚାଲିଛନ୍ତି। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରାର୍ଥି ହୋଇ ସେ ହାରିଯାଇଥିଲେ ବି ଏଥର ଟିକଟ ଆଶାୟୀ ଅଛନ୍ତି। ସେହିପରି ସୁରେନ୍ଦ୍ର ପଣ୍ଡା ଓ ସର୍ବେଶ୍ୱର ବେହୁରା ବିଜେପି ସଙ୍ଗଠନ ବୃଦ୍ଧିରେ ଲାଗିଛନ୍ତି। ଏମାନେ ବି ଦଳୀୟ ଟିକଟ ପାଇବାକୁ ଆଶା ରଖିଛନ୍ତି।

ତେବେ ଚଳିତଥର କେଉଁ ଦଳରୁ କିଏ ଟିକଟ ପାଇବେ ତା ଉପରେ ହିଁ ନିର୍ଭର କରୁଛି ପ୍ରତିଦ୍ୱନ୍ଦ୍ୱିତାର ମାତ୍ରା କେମିତି ରହିବ। ଆଉ ଅଳ୍ପଦିନ ପରେ ତାହା ସ୍ପଷ୍ଟ ହୋଇଯିବ। କିନ୍ତୁ ସମୀକ୍ଷକଙ୍କ କହିବା କଥା ଯେ, ଏଥର କଂଗ୍ରେସ ତୃତୀୟ ସ୍ଥାନକୁ ଚାଲିଯାଇ ପାରେ। ଟକ୍କର ହେବ ବିଜେଡି ଓ ବିଜେପି ମଧ୍ୟରେ।



from Odisha Reporter https://ift.tt/2FufRTH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages