ସଁବାଳୁଆରୁ ପ୍ରଜାପତି ପାଲଟୁଥିବା ସ୍ୱପ୍ନ ସବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ସଁବାଳୁଆରୁ ପ୍ରଜାପତି ପାଲଟୁଥିବା ସ୍ୱପ୍ନ ସବୁ

ଆଛା କହିଲ, ସଁବାଳୁଆ ସବୁ କେମିତି ପ୍ରଜାପତି ପାଲଟନ୍ତି ଯେ?  ତୁ ମୋତେ ପଚାରିଥିଲୁ ଏଇ ପ୍ରଶ୍ନଟି କ୍ୟାମ୍ପସ୍‌ର ଏକ ନିଛାଟିଆ ରାସ୍ତାରେ ଚାଲୁଥିବା ବେଳେ। ମୁଁ ତତେ ବୁଝାଇଥିଲି ସବିଶେଷ ସଁବାଳୁଆରୁ ପ୍ରଜାପତିର ରୂପାନ୍ତର।

ତା’ପରେ ତୁ କହିଲୁ- ଦୁନିଆରେ କେତେ ଫୁଲଙ୍କ ଭିଡ଼। ପୁଣି କେତେ ପ୍ରଜାପତି। ଫୁଲଟେ ଫୁଟିଚି ମାନେ ତା’ ପାଇଁ କୋଉଠି ନା କୋଉଠି ପ୍ରଜାପତିଟିଏ ଅଛି ନା !

– ‘ନିଶ୍ଚୟ ଅଛି।’ ମୁଁ ଉତ୍ତର ଦେଲି।

ସେତେବେଳେ ସଞ୍ଜ ରତରତ। ‘ଚାହା ପିଇବା’। ମୁଁ କହିଲି। ଯେତେବେଳେ ଆମେ ଦୁହେଁ ମାର୍କେଟ୍ କଂପ୍ଲେକ୍ସ ପାଖରେ ପହଞ୍ଚିଲେ। ମୁଁ ଜାଣେ, ତୁ ଚାହା ନୁହେଁ, କଫି ପିଉ। ଆଉ ମୁଁ କଫିଠୁ ଅନେକ ଦୂରରେ। ଏମିତି କି କଫିର ବାସ୍ନା ମୋ’ ନାକରେ ବାଜିଲେ ମୋତେ କେମିତି ଅଣନିଃଶ୍ୱାସୀ ଲାଗେ। ମୋର ଚାହା ପସନ୍ଦ ତ ତୋ’ର କଫି।

ଗୋଟେ ଚାହା ଦୋକାନରେ ପହଞ୍ଚି ମୁଁ ପଚାରିଲି- ଗୋଟେ କପ୍‌ ଚାହା ଓ ଗୋଟେ କପ୍‌ କଫି ଦେଇପାରିବେ? ଦୋକାନୀ କହିଲା- ହଁ, ଦେଇ ପାରିବି। ଓ ଟିକେ ଆଶ୍ଚର୍ଯ୍ୟ ଆଖିରେ ଚାହିଁଲା ଆମକୁ। ତୁ କଫି ନେଲୁ। ମୁଁ ଚାହା।

ମୁଁ ହଠାତ କହିଲି- ଗୋଟେ କପ୍ ଚାହା ଓ ଗୋଟେ କପ୍ କଫିକୁ ମିଶାଇଦେଲେ ତା’ର ମିଠାସ୍‌ କେମିତି ହେବ?

– ‘କେମିତି ହେବ ସତରେ?’ ତୁ ଚକିତ ହୋଇ ଚାହିଁଲୁ।

– ‘ତେବେ ଗୋଟେ କପ୍‌ ଚାହା ଓ ଗୋଟେ କପ୍‌ କଫିର ଯୋଡ଼ି ମାନିବ ସତେ? ଯେତେ ମାନିବ ଦୁଇକପ୍‌ ଚାହା ଅଥବା ଦୁଇ କପ୍‌ କଫିର ଯୋଡ଼ି? ନା ମୁଁ କପେ କଫି ହୋଇ ପାରିଲି। ନା ତୁ କପେ ଚାହା ହେଇ ପାରିଲୁ।’

ମୋର ଏଇ ଲଜିକ୍‌ ଶୁଣି ତୋ’ର ମୁଣ୍ଡ ବିନ୍ଧିଲା କି କ’ଣ। ତୁ କହିଲୁ- ଓ… ହୋ… ଭଗବାନ୍… ବନ୍ଦ କର ତ ଟିକେ ତୁମ ପାଗଳମୀ।

– ଓକେ ମହାରାଣୀ.. ଟପିକ୍‌ କ୍ଲୋଜ୍ କଲି। ଏଥର ତୁମ କଥା ଆରମ୍ଭ କର। ମୁଁ କହିଲି।
ତୁ ସେ ମୂଳ ପ୍ରସଙ୍ଗକୁ ପୁଣି ଥରେ ଫେରିଆସିଲୁ।

– ସଁବାଳୁଆ ସବୁ କେମିତି ପ୍ରଜାପତି ପାଲଟନ୍ତି ତ କହିଲ। ତେବେ ସ୍ୱପ୍ନ ସବୁ ବି ସେମିତି ସଁବାଳୁଆ ସ୍ତରରେ ଥାଆନ୍ତି ନା? ଆମ ଭିତରେ ଥିବା ସ୍ୱପ୍ନସବୁ ଯଦି ସଁବାଳୁଆରୁ ପ୍ରଜାପତି ପାଲଟିଯାନ୍ତି… କେମିତି ହେବ… ଆମେ ଚାହିଁବାନି କି ସ୍ୱପ୍ନ ସବୁ ପ୍ରଜାପତି ପାଲଟିଯାଆନ୍ତୁ ବୋଲି…

– ନିଶ୍ଚୟ ଚାହିଁବା… ତେବେ…

– ତେବେ ଆଉ କ’ଣ? ତୁ ଉଦ୍‌ବିଗ୍ନ ହେଇପଡ଼ିଲୁ।

– ‘ଅସୁବିଧାଟି ହେଉଛି, ୟେ ସ୍ୱପ୍ନସବୁ ପ୍ରଜାପତି ପାଲଟି ଯିବା ପରେ ଆମକୁ ଛାଡ଼ି ଉଡ଼ି ଚାଲିଯିବେ।’ ଏ କଥା କହିବାବେଳେ ମୋ’ ସ୍ୱର କେମିତି କରୁଣ ଶୁଭିଲା ମୋ’ ନିଜକୁ।

ଆଜି ଏ କଥା ବୁଝେଇ କହିବାର ଆବଶ୍ୟକତା ନାହିଁ ଯେ ସ୍ୱପ୍ନସବୁ ଏମିତି ଦିନେ ପ୍ରଜାପତି ପାଲଟିଗଲେ। ତୋ’ର ମୋର ସ୍ୱପ୍ନ। କିନ୍ତୁ ମୋ’ ପାଖରେ ଗୋଟେ ଉପାୟ ଥିଲା- ଆମେ ଦୁହେଁ ମିଶି ଗୋଟେ ଫୁଲର ବଗିଚା କରିଥାନ୍ତେ- ଯେଉଁଠି ଆମ ସ୍ୱପ୍ନର ପ୍ରଜାପତି ସବୁ ଉଡ଼ି ବୁଲୁଥାନ୍ତେ ଆମ ଚାରିକଡ଼େ। କିନ୍ତୁ କଷ୍ଟ କଥା ହେଲା- ଫୁଲର ବଗିଚା କରିବା ପରିବର୍ତ୍ତେ ତୁ ନିଜେ ଗୋଟେ ପ୍ରଜାପତି ପାଲଟିଗଲୁ ଓ ଆକସ୍ମିକ ଭାବେ ଦିନେ ଉଡ଼ି ଚାଲିଗଲୁ।

ଦିଗ୍‌ବଳୟ, ଲେଣ୍ଡା, ବରପାଲି, ବରଗଡ଼



from Odisha Reporter https://ift.tt/2OfLVgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages