
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଜଗନ୍ନାଥଧାମ ପୁରୀରୁ ୨୦୧୯ ସାଧାରଣ ନିର୍ବାଚନର ବିଜୟ ତୁରୀ ଫୁଙ୍କିବେ ବୋଲି ଲାଗିରହିଥିବା କଳ୍ପନା ଜଳ୍ପନା ବର୍ତ୍ତମାନ ପୁଣି ବାରଣାସୀମୁହାଁ ହୋଇଛି। ଅର୍ଥାତ ସେ ୨୦୧୪ରେ ଲଢ଼ିଥିବା ଆସନରୁ ପୁଣିଥରେ ଲଢ଼ିବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି।
ବାରଣାସୀ ପରି ପୁରୀ ମଧ୍ୟ ଭାରତୀୟ ପୁରାତନ ସହର ମଧ୍ୟରୁ ଅନ୍ୟତମ ଏବଂ ୪ ଧାମ ମଧ୍ୟରୁ ଗୋଟିଏ। ଏହା ହିନ୍ଦୁ ଭାବାବେଗ ସହିତ ଜଡ଼ିତ ଥିବାରୁ ବାରଣାସୀ ପରି ଏଠାରୁ ମଧ୍ୟ ସମଗ୍ର ଦେଶକୁ ସମାନ ବାର୍ତ୍ତା ଯିବାର ସମ୍ଭାବନ ରହିଥିଲା। ମୋଦି ପୂର୍ବୋଦୟରୁ ଭାରତ ଉଦୟର ନାରା ଦେଇଥିବାରୁ ପଶ୍ଚିମବଙ୍ଗରେ ମମତାଙ୍କ ଗଡ଼ ଭାଙ୍ଗିବା ପାଇଁ ଓଡ଼ିଶା ହିଁ ଦ୍ୱାର ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ତାଙ୍କର ମାରାଥନ୍ ଓଡ଼ିଶା ଗସ୍ତ ଏହାକୁ ଇନ୍ଧନ ଯୋଗାଉଥିଲା।
କିନ୍ତୁ ବିଜେପି ଅଳିନ୍ଦରୁ ମିଳିଥିବା ଖବର ଅନୁଯାୟୀ, ସେ ବାରଣାସୀରୁ ପୁଣି ଲଢ଼ିବେ। ତେବେ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ପୁରୀରୁ ନେଇ ପ୍ରଶ୍ନ କରାଯିବାରୁ ସେ ଏହାକୁ ନା କହି ନଥିଲେ ମଧ୍ୟ ହଁ ମଧ୍ୟ କରିନାହାନ୍ତି। ସେ କହିଥିଲେ, ଗଣମାଧ୍ୟମକୁ ମଧ୍ୟ କିଛି ହୋମ୍ୱାର୍କ କରିବାକୁ ହେବ।
ବିଜେପି ସଂସଦୀୟ ବୋର୍ଡ ବାରଣାସୀକୁ ହିଁ ଜୋର ଦେଇଆସିଛି। କିନ୍ତୁ ମୋଦି ଏକାସାଥିରେ ଦ୍ୱିତୀୟ ଆସନରେ ଲଢ଼ିବେ କି ନା, ଯଦି ଲଢ଼ିବେ ତାହା ପୁରୀ କି ନା, ତାହା ସ୍ପଷ୍ଟ ହୋଇନି।
କାରଣ ୨୦୧୪ରେ ସେ ବାରଣାସୀ ସହିତ ନିଜ ରାଜ୍ୟ ଗୁଜରାଟର ଭଦୋଦରାରୁ ମଧ୍ୟ ଲଢ଼ିଥିଲେ ଏବଂ ଜିତିବା ପରେ ଭଦୋଦରା ଛାଡ଼ି ବାରଣାସୀକୁ ରଖିଥିଲେ। ବାରଣାସୀରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅରବିନ୍ଦ କେଜ୍ରିୱାଲ ଏବଂ ଅଜୟ ରାୟଙ୍କଠାରୁ ବୃହତ ବ୍ୟବଧାନରେ ଜିତିଥିଲେ।
ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ଟିଭିରେ ପରିଚିତ ଚେହେରା ସମ୍ବିତ ପାତ୍ର ପୁରୀରୁ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ସପ୍ତାହରେ ସଂଦୀୟ କମିଟି ବୈଠକରେ ଏବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ଅଛି।
from Odisha Reporter https://ift.tt/2HfIeXI
No comments:
Post a Comment