
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗ ଦେବା ପରେ ସେ କହିଥିଲେ,“ନବରଙ୍ଗପୁର ଜିଲ୍ଲା ପାଇଁ କିଛି କରିବା ଲକ୍ଷ୍ୟରେ ରାଜନୀତିକୁ ଆସିଥିଲି। ବିଜେଡିରେ ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ବହୁତ ଅଣଦେଖା ଗରାଗଲା। ଟିକେଟ୍ ନେଇ ଜଣେ ସାଂସଦ ଭାବେ ମୋତେ ପଚାରିଲେ ନାହିଁ। ସେଠି ମୋର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି। ଏଭଳି ସ୍ଥିତିରେ ମୁଁ ସେ ଦଳରେ ରହିବାକୁ ଚାହିଁଲିନି।”
ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବହୁତ ପ୍ରଶଂସା କରିଥିଲେ।
ଏ ଦୁଇ ମନ୍ତ୍ରୀ କହିଥିଲେ, ଜନଜାତି ବର୍ଗରେ ବଳଭଦ୍ର ଜଣେ କୁଶଳୀ ସାଂସଦ। ବିକାଶ କାର୍ଯ୍ୟ କରୁଥିବା ଦୁଇ ଚାରି ଜଣ ସାଂସଦଙ୍କ ମଧ୍ୟରୁ ସେ ଜଣେ। ତାଙ୍କ ଯୋଗଦାନ ଓଡ଼ିଶାରେ ବିଜେପିକୁ ମଜବୁତ କରିବ।
ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହିତ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ସମସ୍ତ ନେତା ବଳଭଦ୍ରଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି।
ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଇସ୍ତଫାପତ୍ରରେ ବଳଭଦ୍ର ମାଝି ଲେଖିଥିଲେ,“ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ଆପଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର ମୁଁ ପ୍ରତାରିତ ହେଲା ଭଳି ଅନୁଭବ କରୁଛି।”
from Odisha Reporter https://ift.tt/2VWTeMW
No comments:
Post a Comment