
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିକେନ୍ର ବିଭିନ୍ନ ପ୍ରକାର ଆଇଟମ୍ ଆପଣ ଖାଇଥିବେ। ତେବେ ଚିକେନ୍ ଭିତରେ ତନ୍ଦୁରୀ ଚିକେନ୍ ଅଧିକ ସ୍ୱାଦିଷ୍ଟ ଲାଗିଥାଏ । ଆମେ ସାଧାରଣତଃ ଏହାକୁ ଘରେ ପ୍ରସ୍ତୁତ କରି ନ ପାରି ବାହାରୁ କିଣି ଖାଇଥାଉ।
ତେବେ ଜାଣିଛନ୍ତି କି, ଏହାଠୁ ଅଧିକ ସ୍ୱାଦିଷ୍ଟ ହେଉଛି ‘ତାୱା ସ୍ମୋକ୍ ଚିକେନ୍’। ଆଉ ଗୋଟିଏ ଭଲ କଥା ହେଉଛି, ଆପଣ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା, ଏହାକୁ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ
ଚିକେନ୍, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, କୋଇଲା, ତେଲ, ଏବଂ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ଚିକେନ୍ ମ୍ୟାରିନେଟ୍ କରିବାପାଇଁ ପ୍ରଥମେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଗରମ ମସଲା, ଦହି ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଏବେ ମ୍ୟାରିନେଟ୍ ହେବା ପାଇଁ ଅଧଘଣ୍ଟା ପଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ଅଧଘଣ୍ଟା ଚିକେନ୍ ମ୍ୟାରିନେଟ୍ ହେଲା ପରେ ଗ୍ୟାସ୍ରେ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ଏହା ପରେ ଚିକେନ୍କୁ ତେଲରେ ଗୋଟେ ଗୋଟେ ପିସ୍ କରି ଫ୍ରାଏ କରନ୍ତୁ। ଚିକେନ୍ ଗୋଟେ ପାଖ ସିଝି ଗଲେ ଆର ପାଖକୁ ଓଲଟାଇ ଦିଅନ୍ତୁ।

ଚିକେନ୍ ସିଝିକି ଫ୍ରାଏ ହେଇଗଲା ପରେ ଏକ ପାତ୍ରରେ କାଢ଼ି ଦିଅନ୍ତୁ।
ଏହା ପରେ ସେଥିରେ କୋଇଲା ଧୂଆଁ ଦେବା ପାଇଁ ଆପଣ କୋଇଲା ଖଣ୍ଡକୁ ଜଳାଇ ଗରମ କରନ୍ତୁ। ଏହା ପରେ ଚିକେନ୍ ରଖା ହୋଇଥିବା ପାତ୍ର ଭିତରେ ଆଉ ଏକ ଛୋଟ ପାତ୍ର ରଖି ଜଳନ୍ତା କୋଇଲାକୁ ସେଥିରେ ରଖନ୍ତୁ।
ଏହା ପରେ ସେହି କୋଇଲାରେ ଦୁଇରୁ ତିନି ଚାମଚ ତେଲ ପକାନ୍ତୁ। ଏପରି କଲେ କୋଇଲାରୁ ଧୂଆଁ ବାହାରିବ। ଏହା ପରେ ପାତ୍ରକୁ ଢାଙ୍କୁଣି ଦେଇ ଭଲରେ ବନ୍ଦ କରିଦିଅନ୍ତୁ।
ଏହିପରି କଲେ କୋଇଲା ଧୂଆଁ ବା ସ୍ମୋକ୍ ସବୁ ପାତ୍ରରେ ବନ୍ଦ ହେଇ ରହିବା ସହ ଚିକେନ୍କୁ ମଧ୍ୟ ଏକ ଅଲଗା ଟେଷ୍ଟ ଦେବ।
କିଛି ସମୟ ଢାଙ୍କୁଣି ଘୋଡ଼ାଇ ରଖିଲା ପରେ ପାତ୍ର ଭିତରୁ କୋଇଲା ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯିବ ତାୱା ସ୍ମୋକ୍ ଚିକେନ୍। ଏହାକୁ ପୁଦିନା ଚଟଣୀ କିମ୍ବା ସସ୍ ସହ ଖାଇପାରିବେ।
ଏହା ଆପଣଙ୍କୁ ତନ୍ଦୁରୀ ଚିକେନ୍ ଭଳି ଦେଖାଯିବା ସହ କୋଇଲା ସ୍ମୋକ୍ ଏକ ଅଲଗା ଟେଷ୍ଟ ଦେବ। ଏହା ପରେ ଆପଣ ନିଜେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନକୁ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ପରଷନ୍ତୁ।
from Odisha Reporter http://bit.ly/2OYij80
No comments:
Post a Comment