
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ହୋମ୍ ଗ୍ରାଉଣ୍ଡରେ ସବୁଯାକ ମ୍ୟାଚ୍ ଜିତିଥିଲେ ହେଁ, ଅଧିନାୟକ ମହେନ୍ଦ୍ର ସିଂହ ଏଥିରେ ଖୁସି ନାହାନ୍ତି। ମଙ୍ଗଳବାର ସିଏସକେ ତା’ର ଷଷ୍ଠ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଥିଲା। ଚଳିତ ସଂସ୍କରଣରେ ଚେନ୍ନାଇର ଏହା ପଞ୍ଚମ ଏବଂ ହୋମ ଗ୍ରାଉଣ୍ଡରେ ଚତୁର୍ଥ ବିଜୟ ଥିଲା।
ମ୍ୟାଚ୍ ପରେ ଧୋନି ଚେନ୍ନାଇ ପିଚକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ। ସେ କହିଥିଲେ, ଏଭଳି ପିଚରେ ଆମେ କେବେବି ଖେଳିବାକୁ ଚାହିଁବୁନି। ଏହି ପିଚରେ ବଡ଼ ସ୍କୋର କରିବା ସମ୍ଭବ ନୁହେଁ। ଏଠାକାର ପିଚ୍ ଲଗାତାର ସ୍ଲୋ’ ହେବାରେ ଲାଗିଛି। ଯଦି ପିଚ୍ ଏଭଳି ବ୍ୟବହାର କରେ, ତାହେଲେ ଆଇପିଏଲର ରୋମାଞ୍ଚ କମିଯିବ।
ଆଇପିଏଲ ଏଭଳି ଏକ ଟୁର୍ଣ୍ଣାମେଣ୍ଟ, ଯେଉଁଠି ଦର୍ଶକ ବ୍ୟାଟ୍ସମ୍ୟାନଙ୍କଠାରୁ ରନ୍ ଦେଖିବାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଯଦି ପିଚ୍ କେବଳ ବୋଲରଙ୍କୁ ସୁହାଇବ, ତାହା ଆଦୌ ଗ୍ରହଣୀୟ ନୁହେଁ। ଆମକୁ ଏଠାରେ ଆହୁରି କିଛି ମ୍ୟାଚ୍ ଖେଳିବାକୁ ଅଛି। ତେଣୁ ପରବର୍ତ୍ତୀ ମ୍ୟାଚରେ କ୍ୟୁରେଟର ପିଚରେ ସାମାନ୍ୟ ପରିବର୍ତ୍ତନ କରିପାରିଲେ, ତାହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି ଧୋନି କହିଛନ୍ତି।
ସେହିପରି ଉକ୍ତ ମ୍ୟାଚରେ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିବା ଚେନ୍ନାଇ ପେସ ବୋଲର ଦୀପକ ଚହର ମଧ୍ୟ ପିଚକୁ ସମାଲୋଚନା କରିଛନ୍ତି। ସେ କହିଥିଲେ, ଭଲ ପ୍ରଦର୍ଶନ କରିବା ନେଇ ମୁଁ ବହୁତ ଖୁସି। କିନ୍ତୁ ଏଠାକାର ପିଚ୍ ସମସ୍ତଙ୍କୁ ନିରାଶ କରିଛି। କେହିବି ଏଭଳି ୱିକେଟ୍ ଚାହିଁବେ ନାହିଁ। ଏହାଛଡ଼ା ଏଠାକାର ପରିବେଶ ମଧ୍ୟ ଅତ୍ୟଧିକ ଗରମ ଏବଂ ଏହି କାରଣରୁ ପିଚ୍ ଅଧିକ ସ୍ଲୋ’ ହେଉଛି ବୋଲି ଚହର୍ କହିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୦୮ ରନ୍ କରିଥିଲା। ଦଳ ପକ୍ଷରୁ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ୪୪ ବଲରେ ୫ ଚୌକା ଓ ୩ ଛକା ସହ ୫୦ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିବା ବେଳେ ଅଧିନାୟକ ଦିନେଶ କାର୍ତ୍ତିକ ୧୯ ଓ ରବିନ୍ ଉଥାପ୍ପା ୧୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଚହରଙ୍କ ବ୍ୟତୀତ ଦୁଇ ଭେଟେରାନ୍ ସ୍ପିରନ ହରଭଜନ ସିଂହ ଓ ଇମ୍ରାନ ତାହିର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
ଜବାବରେ ଚେନ୍ନାଇ ୧୭.୨ ଓଭରରେ ୩ ୱିକେଟ୍ ହରାଇ ୧୧୧ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଶେନ୍ ୱାଟସନ୍ (୧୭), ସୁରେଶ ରାଇନା (୧୩) ଓ ଅମ୍ବାତି ରାୟୁଡୁ (୨୧) ନିରାଶ କରିଥିବା ବେଳେ ଫାଫ୍ ଡ୍ୟୁପ୍ଲେସିସ୍ ସର୍ବାଧିକ ଅପରାଜିତ ୪୩ ଓ କେଦାର ଯାଦବ ଅପରାଜିତ ୮ ରନ୍ କରିଥିଲେ। କୋଲକାତା ପକ୍ଷରୁ ସୁନୀଲ ନରିନ୍ ୨ଟି ଓ ପୀୟୂଷ ଚାୱଲା ଗୋଟିଏ ୱିକେଟ୍ ନେଇଥିଲେ।
from Odisha Reporter http://bit.ly/2Z4W7xI
No comments:
Post a Comment