
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ହାରିଯିବା ଭୟରେ ଶାସକ ଦଳ ରକ୍ତମୁଖା ହୋଇଛି। ବୁଲେଟ୍ର ଜବାବ ବାଲଟ୍ରେ ଦିଆଯିବ। ଭୋଟ୍ରେ ପରାଜୟ ହେଲେ ହିସାଂକାରୀଙ୍କୁ ଠିକ୍ ଉତ୍ତର ମିଳିବ।” ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ନବୀନ ବାବୁ ପ୍ରତିପକ୍ଷମାନଙ୍କୁ ବନ୍ଧୁକ ମୁନରେ ଡରାଇ ନିବାର୍ଚନ ଲଢ଼େଇ ଦେବେନି ବୋଲି ଭାବିଛନ୍ତି। ନିର୍ବାଚନ କମିଶନ୍ଙ୍କ ବାହାନାରେ ନବୀନ ବାବୁ କେତେ ଦିନ ଓଡ଼ିଆ ଲୋକଙ୍କ ଉପରେ ଅତ୍ୟାଚାର କରିବେ? ମୋର ଯାହା ଅନୁମାନ ଏହି ଆକ୍ରମଣ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଉପରେ ହେଉଥିଲା।
ସେ ଆହୁରି କହିଥିଲେ,“ମୁଁ ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛି। ପୂର୍ବରୁ ମଧ୍ୟ ପଞ୍ଚାୟତ ନିର୍ବାଚନ ସମୟରେ ମଙ୍ଗୁଳି ଭାଇଙ୍କ ଗାଁ ବଡ଼ ପୋଖରିଆରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା।”
ଏହା ସହିତ ଓଡ଼ିଶା ପୁଲିସ୍ ଉପରେ ବର୍ଷି ଧର୍ମେନ୍ଦ୍ର କହିଥିଲେ,“ମୁଁ ଗତକାଲି ଏହି ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ୍ ବିଭାଗର ମୁଖ୍ୟଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ଜିଲ୍ଲା ପୁଲିସ୍ ଓ ପ୍ରଶାସନର ବ୍ୟବହାର ଆମ ଡର ଓ ଚିନ୍ତା ବଢ଼ାଉଛି। ଏସ୍ପିଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ଏ ଘଟଣା ଘଟିଛି। ମାନବିକତା ଦୃଷ୍ଟିରୁ ମଧ୍ୟ ଏସ୍ପି ଘଟଣାସ୍ଥଳକୁ ଯାଇ ନାହାନ୍ତି। କ’ଣ ହୋଇଛି ଆମ ଓଡ଼ିଶା ପୁଲିସ୍କୁ?”
ସୂଚନାଯୋଗ୍ୟ, ଏ ହତ୍ୟାକାଣ୍ଡ ଘଟଣାର ତଦନ୍ତ ତଦାରଖ କରିବାକୁ ଡିଜିପି ଇନ୍ଚାର୍ଜ ବି.କେ ଶର୍ମା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଖୋର୍ଦ୍ଧା ବିଜେପି ପ୍ରାର୍ଥୀଙ୍କୁ ପୁଲିସ୍ ସୁରକ୍ଷା ଦିଆଯାଇବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି।
from Odisha Reporter http://bit.ly/2Ge70og
No comments:
Post a Comment