
ଅନୁଗୋଳ (ବିରଜା ପ୍ରସାଦ ଦାସ): ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ମତା। ପ୍ରାର୍ଥୀଙ୍କ ନାଁ ଘୋଷଣା, ପ୍ରାର୍ଥିପତ୍ର ଦାଖଲ ଓ ନିର୍ବାଚନ ପ୍ରଚାରକୁ ନେଇ ପୂରା ପରିବେଶ ସରଗରମ ଥିବା ବେଳେ ଭୋଟରଙ୍କ ଅସନ୍ତୋଷ ମଧ୍ୟ ଫୁଟି ଦେଖାଯାଉଛି। କେଉଁଠି ଲୋକେ ଶାସକ ଦଳର ନେତାଙ୍କୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ଲୋକେ ଭୋଟ୍ ବର୍ଜନ କରିବାକୁ ଚେତବାନୀ ଦେଇଛନ୍ତି। ଏମିତି କିଛି ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଣ୍ଣପାଳ ଗାଁରେ। ଏଠାରେ ଲୋକେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗାଁରେ କୌଣସି ଉନ୍ନୟନମୂଳକ କାମ ହୋଇ ନଥିବାରୁ ଓ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରଖାଯାଇଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ଗାଁ ଲୋକେ ଅଭିଯୋଗ କରିଛନ୍ତି, ପ୍ରତିଥର ନିର୍ବାଚନ ସମୟରେ ନେତାମାନେ ଗାଁକୁ ଆସନ୍ତି ଓ ସେମାନଙ୍କ ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ପରେ ପ୍ରତିଶ୍ରୁତି ପୂରଣ ଦିଗରେ ଆଗ୍ରହ ଦେଖାନ୍ତି ନାହିଁ।

ସ୍ଥାନୀୟ ଲୋକେ ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଗାଁରେ କୂଅ ଅବା ନଳକୂପଟିଏ ନାହିଁ। ସେଥିପାଇଁ ଉପରସାହିର ପ୍ରାୟ ୫୦ଟି ପରିବାର ପୋଖରୀ ଅବା ଗାଁ ଦେଇ ଯାଇଥିବା କେନାଲ୍ରୁ ପାଣି ସଂଗ୍ରହ କରନ୍ତି। ଦୂଷିତ ପାଣି ପିଇ ଅନେକ ସମୟରେ ରୋଗରେ ମଧ୍ୟ ପଡ଼ନ୍ତି। ସେହିଭଳି ଗାଁର ଅଧିକାଂଶ ଲୋକ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏସବୁ ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କିଛି ସୁଫଳ ମିଳିନି।
ଗାଁର ଜଣେ ବ୍ୟକ୍ତି ପାଣ୍ଡବ ବେହେରା କହିଛନ୍ତି,“ଆମ ଗାଁରେ ୫୦ଟି ପରିବାର ବସବାସ କରୁଛନ୍ତି। ପାଣି ପାଇଁ ବହୁତ ଅସୁବିଧା ହେଉଛି। ଗାଁକୁ ଭଲ ରାସ୍ତାଟିଏ ବି ନାହିଁ। ୨୦ ବର୍ଷ ହେଲା ନେତାମାନେ ଆମକୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି, ହେଲେ କେହି ପୂରଣ କରୁ ନାହାନ୍ତି। ଏଥର ଭୋଟ୍ ପାଇଁ ଯେଉଁ ନେତାମାନେ ଆମ ପାଖକୁ ଆସିବେ, ଆମେ ତାଙ୍କୁ ଗାଁରେ ପୂରାଇ ଦେବୁ ନାହିଁ।”
from Odisha Reporter http://bit.ly/2G5Te86
No comments:
Post a Comment