
ଜଗସିଂହପୁର (ଶଶାଙ୍କ ଶେଖର ପଣ୍ଡା): ‘‘ଯାହାର ଖାଇଛ ତାକୁ ଭୋଟ୍ ଦେବ। ବେଇମାନି କରିବନି। ବେଇମାନି କଲେ ତମର ସବୁ ଲୋନ୍ କାଟି ଦେବି।” ଭୋଟ୍ ଦେବା ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ମହିଳାଙ୍କୁ ଅନ୍ୟ ଜଣେ ମହିଳା ଏଭଳି କହୁଥିବାର ଭିଡିଓ ଆଜି ଭାଇରାଲ୍ ହୋଇଛି।
ଏହି ଧମକ ଦେବା ବେଳେ ସେ ଆହୁରି କହୁଛନ୍ତି, “ମୋ କଥା ରେକର୍ଡିଂ କରୁଛ କି? ରେକର୍ଡିଂ କରନି।”
ଏହି ଭିଡିଓଟି ଆଜିର। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ଆସିଛି। ଆଜି ଏଠାରେ ମତଦାନ ଚାଲିଛି। ସଂପୃକ୍ତ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ବିଜେଡି ନେତ୍ରୀ ବୋଲି କୁହାଯାଉଛି।
ଏହି ଘଟଣାସମ୍ପର୍କରେ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ହେଲେ ସେହି ମହିଳାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଆଜି କିଛି ମତଦାନ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ଦଳର ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ଆସିଛି। ଏପରିକି ଯାଜପୁରରେ ଭୋଟରଙ୍କୁ ପ୍ରଭାବିତ କରି ଦୁଇ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଗିରଫ ବି କରାଯାଇଛି। ବାସୁଦେବପୁରରେ ଜଣେ ବିଜେଡି କର୍ମୀ ଲାଇନ୍ରେ ଛିଡ଼ା ହୋଇଥିବା ଭୋଟରଙ୍କୁ ତାଙ୍କ ଚିହ୍ନରେ ଭୋଟ୍ ଦେବାକୁ ଉସୁକାଉ ଥିବା ବେଳେ ଗଣ୍ଡଗୋଳ ହୋଇଥିଲା।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ତେବେ ମତଦାନ ବେଳେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି। କେଉଁଠି ଇଭିଏମ୍ ଅଚଳ ହୋଇଯାଇଥିଲା ତ କେଉଁ ଭୋଟର ଇଭିଏମ୍ ଭାଙ୍ଗି ଦେଇଥିଲେ। ସେହିଭଳି କିଛି ସ୍ଥାନରେ ବିଭିନ୍ନ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ହୋଇଛି।
from Odisha Reporter http://bit.ly/2GRsVmF
No comments:
Post a Comment