
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୩ୟ ପର୍ଯ୍ୟାୟ ନିର୍ବାଚନ। ମତାଧିକାର ସାବ୍ୟସ୍ତ କରିବେ ୫ ପ୍ରମୁଖ ଲୋକସଭା କ୍ଷେତ୍ରର ଜନତା। ଏହି ନିର୍ବାଚନରେ ବିଜେପି, ବିଜେଡି ଆଉ କଂଗ୍ରେସ ଦଳର କେତେଜଣ ହେବିୱେଟ ନିଜ ଭାଗ୍ୟ ପରଖୁଥିବା ବେଳେ ପ୍ରଚାର ସରୁସରୁ ଏହି ରାଜନେତାମାନେ ରକ୍ତମୁଖା ହୋଇ ପଡିଥିବା ଦେଖିବାକୁ ମିଳିଛି। ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପକୁ ଦେଖି ଏଭଳି କୁହାଯାଇପାରେ।
ପିସିସି ସଭାପତିଙ୍କୁ ମାଡ଼
କାଲିର ପ୍ରଥମ ଆଉ ପ୍ରମୁଖ ରାଜନୈତିକ ହିଂସା ଘଟିଥିଲା କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରେ। ଏଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କୁ ବିଜେଡି ଗୁଣ୍ଡା ମାଡ଼ ମାରି ଲହୁଲୁହାଣ କରିଥିଲେ। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିଲେ।
ପୂର୍ବତନ ମେୟରଙ୍କ ଏରିଆରେ ବିଜେପି ବିଧାୟକଙ୍କୁ ବୋମାମାଡ଼
ଏହି ଘଟଣା କାଲି ସନ୍ଧ୍ୟାରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ହଠାତ୍ ଆଉ ଗୋଟିଏ ଖବର ଆସିଲା। ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ହିଂସାକାଣ୍ଡ। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିଲା। ଜଗନ୍ନାଥ ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ କେହି ବୋମା ମାଡ଼ କରିଥିଲା। ସୌଭାଗ୍ୟକୁ ଜଗନ୍ନାଥ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଏହି ଘଟଣାରେ ଜଗନ୍ନାଥ ସିଧାସଳଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ କାରସାଦି ବୋଲି କହିଥିଲେ। ଗଣ୍ଡଗୋଳ ଭୟରେ ପୁଲିସ୍ ଡେଲଟା କଲୋନୀ ଅଞ୍ଚଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ଜଗାଇଥିଲା।
ପାଲଟା ଆକ୍ରମଣେ ବୁନୁ ଗୁରୁତର
ସତ କହିବାକୁ ଗଲେ ଡେଲଟା ଅଞ୍ଚଳରେ ଅନନ୍ତ ନାରାୟଣ ଜେନା ଓରଫ୍ ବୁନୁଙ୍କ ରାଜ୍ ଚାଲେ। ଏଣୁ ସମ୍ଭାବ୍ୟ ଗଣ୍ଡଗୋଳ ଭୟରେ ପୁଲିସ୍ ସଚେତନ ଥିଲା। ହେଲେ ରାତି ପ୍ରାୟ ୧୦ଟା ବେଳୁ ଆଉ ଏକ ଅଘଟଣ ଖବର ଆସିଲା। ଜଗନ୍ନାଥଙ୍କ ଦବ୍ଦବା ଥିବା ଝାରପଡା ଅଞ୍ଚଳରେ ଅନନ୍ତ ପ୍ରଚାର ସାରି ଫେରୁଥିବା ବେଳେ କେନାଲ ରୋଡ୍ ଅଞ୍ଚଳରେ ତାଙ୍କ ଗାଡ଼ିକୁ କେହି ବୋମାମାଡ଼ କଲା। ଗାଡ଼ି ଅଟକାର ମାରଣାସ୍ତ୍ରରେ ବୁନୁଙ୍କୁ ହାଣି ପକାଇଲେ ଦୁର୍ବୃର୍ତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏବେ ବୁନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନଙ୍କୁ ବୋମାମାଡ଼ ଘଟଣାର ଏହା ପ୍ରତିକ୍ରିୟା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ପୁଲିସ୍କୁ ମାରିଲେ ମହାରଥୀ ଓ ତାଙ୍କ ଲୋକେ
ରାତିର ଘଟଣା ଥମି ନ ଥିବା ବେଳେ ପୁଣି ଆସିଲା ଅଘଟଣର ଖବର। ଏଥର ବି ବିଜେଡି ଗୁଣ୍ଡାଙ୍କ କାରନାମା। ହେଲେ ଏହି ଘଟଣାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାଁ ଆସିଲା ଚର୍ଚ୍ଚାକୁ। ପିପିଲିରୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ରେ ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କୁ ମାଡ଼ ହୋଇଛି। ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି।
ଏଥିରେ ସେ ନିଜେ ଆହତ ହେବା ସହ ଏଏସ୍ଆଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଛନ୍ତି । ସେହିପରି ଫ୍ଲାଇଂ ସ୍କ୍ୱାଡ୍ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି। ଆହତ ମାଜିଷ୍ଟ୍ରେଟ୍ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
from Odisha Reporter http://bit.ly/2INhGgg
No comments:
Post a Comment