ଦେଶରେ ରାହୁଲଙ୍କ ହାୱା, ନବୀନଙ୍କ ଯୋଜନା ଖାଲି ଯୋଜନାରେ: ରାଜୀବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଦେଶରେ ରାହୁଲଙ୍କ ହାୱା, ନବୀନଙ୍କ ଯୋଜନା ଖାଲି ଯୋଜନାରେ: ରାଜୀବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ରାଜନୀତି ତାତି ଟିକେ ଅଲଗା ପ୍ରକାର। ଏଠି ସବୁ ବଡ଼ ବଡ଼ ନେତା ଠୁଳ ହୁଅନ୍ତି। ଆଉ ରାଜ୍ୟର ଅସଲ ରାଜନୀତି ଏହିଠାରୁ ହୁଏ ବୋଲି କହିଲେ ଭୁଲ୍‌ ହେବନି। ଏଥର ଅନେକ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସ ମଧ୍ୟ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେଇ ପ୍ରାର୍ଥୀ ଦେଇଛି।

ଭୁବନେଶ୍ୱରର ୭ ଟି ବିଧାନସଭା ମଣ୍ଡଳୀ ମଧ୍ୟରେ ରହିଛି ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଗାମୀ ୨୩ ତାରିଖରେ ଏଠାରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ଦଳର ପ୍ରାର୍ଥୀ ନିଜ ନିଜର ପ୍ରଚାର ମଧ୍ୟ ଆରମ୍ଭ କରି ସାରିଛନ୍ତି।

ଏହି ଆସନରୁ ବିଜେଡିରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ବିଜେପିରୁ ଜଗନ୍ନାଥ ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। କିନ୍ତୁ ସେମାନଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଯୁବ ନେତା ରାଜୀବ ପଟ୍ଟନାୟକ। ଛାତ୍ର ନେତାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା ରାଜୀବ ଦଳର ଜଣେ ବଡ଼ ସଂଗଠକ ଓ ସଚ୍ଚୋଟ କର୍ମୀ ଭାବେ କାମ କରିଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରିପୋର୍ଟର ରାଜୀବଙ୍କ ସହିତ ଏକ ଛୋଟ ସାକ୍ଷାତକାର କରିଥିଲା। ଆସନ୍ତୁ ଜାଣିବା ସେ କ’ଣ କହୁଛନ୍ତି।

ପ୍ରଶ୍ନ: ଆପଣ କଂଗ୍ରେସ ସହିତ କେତେ ଦିନ ଧରି ଜଡ଼ିତ ଅଛନ୍ତି ?
ଉତ୍ତର:  ଦୀର୍ଘ ୧୪ ବର୍ଷ ଧରି ମୁଁ ରାଜନୀତିରେ ଅଛି। ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଉପସଭାପତି ଓ କାପିଟାଲ୍‌ ଲ’ କଲେଜରେ ନିର୍ବାଚନ ଲଢ଼ି ମୁଁ ସଭାପତି ଭାବେ ମୁଁ ଛାତ୍ର ରାଜନୀତିରେ ଜୀବନ ଆରମ୍ଭ କରିଥିଲି। କେବଳ ସେତିକି ନୁହେଁ, ବର୍ତ୍ତମାନ ମୁଁ  ଛାତ୍ର କଂଗ୍ରେସର ଅଲ୍‌ ଇଣ୍ଡିଆ ଜେନେରାଲ ସେକ୍ରାଟାରୀ ମଧ୍ୟ ଅଛି।
ପ୍ରଶ୍ନ: ଜାତୀୟସ୍ତରରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବା ସମୟରେ ଆପଣଙ୍କ ଭଳି ଜଣେ ଯୁବନେତା କ’ଣ ପାଇଁ କଂଗ୍ରେସରୁ ଲଢ଼ିବା ପାଇଁ ସ୍ଥିର କଲେ?
ଉତ୍ତର: ଜାତୀୟ କଂଗ୍ରେସର ସ୍ଥିତି ଆଦୌ ଦୁର୍ବଳ ନୁହେଁ। ନିକଟ ନିର୍ବାଚନରେ କଂଗ୍ରେସ ତିନୋଟି ରାଜ୍ୟରେ ଭଲ ପ୍ରଦର୍ଶନ କରିଛି। ସାରା ଦେଶର ଯୁବକ, ଛାତ୍ର ଓ ମହିଳା ରାହୁଲ ଗାନ୍ଧୀଙ୍କ ଉପରେ ଆସ୍ଥା ପ୍ରକଟ ମଧ୍ୟ କରିଛନ୍ତି। ତେଣୁ ଜାତୀୟ କଂଗ୍ରେସ କେନ୍ଦ୍ରରେ ବହୁତ ଭଲ କରିବ ଓ ଓଡ଼ିଶାରେ ମଧ୍ୟ ପିସିସି ସଭାପତିଙ୍କ ନେତୃତ୍ୱରେ ସବୁକିଛି ଭଲ ହେବାକୁ ଯାଉଛି।

ଦୀର୍ଘ ୨୦ ବର୍ଷ ମଧ୍ୟରେ ଉଭୟ ବିଜେପି ଓ ବିଜେଡି କେବଳ ଭ୍ରଷ୍ଟାଚାର କରି ଆସୁଛନ୍ତି। ଆଜି ବି ଲୋକେ ଅନେକ ଅସୁବିଧାରେ ରହିଛନ୍ତି। ବିଜେପି ବର୍ଷକୁ ୨ କୋଟି ନିଯୁକ୍ତି ଓ ବିଜେଡ଼ି ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଭୁବନେଶ୍ୱରରେ ୮୦ ପ୍ରତିଶତରୁ ଅଧିକ ଯୁବକଯୁବତୀ ବେକାର। ଜଣେ ଯୁବ ଶକ୍ତି ଭାବରେ କଂଗ୍ରେସ ଦଳ ମୋ ଉପରେ ବିଶ୍ୱାସ କରିଛି ଓ ଆଗାମୀ ଦିନରେ ମୁଁ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବି। ସେହି ବିଶ୍ୱାସ ଦଳ ମୋ ଉପରେ ରଖିଛି।

ପ୍ରଶ୍ନ: ଆପଣଙ୍କର ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କଣ ରହିବ?
ଉତ୍ତର: ଆଜି ବି ବସ୍ତି ବାସିନ୍ଦାମାନେ ଥଇଥାନ ହୋଇପାରିନାହାନ୍ତି। ଘରେ ଘରେ ପାଣିର ସୁବିଧା ନାହିଁ। ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ଯୋଜନା କଲେ ମଧ୍ୟ ଲୋକମାନଙ୍କୁ ଠକି ଆସୁଛନ୍ତି। ଯାହା ମୁଁ ଲୋକମାନଙ୍କୁ ଅବଗତ କରାଇବି।

ପ୍ରଶ୍ନ: ନବୀନଙ୍କ ମନଲୋଭା ଯୋଜନା  ଏବଂ ମୋଦିଙ୍କ ହାୱା ଆପଣଙ୍କ ବିଜୟ ପଥରେ କଣ୍ଟା ହେବନି ତ?
ଉତ୍ତର: ଯଦି ମୋଦି ହାୱା ଯଦି ସାରା ଦେଶରେ ଅଛି, ତେବେ ନିର୍ବାଚନରେ ବିଜେପି ତିନୋଟି ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କାହିଁକି? ଦେଶରେ ବର୍ତ୍ତମାନ କେବଳ ରାହୁଲ ଗାନ୍ଧିଙ୍କ ହାୱା ବହୁଛି। ତିନୋଟି ରାଜ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ କଂଗ୍ରେସ ପୂରଣ କରିଛି। ଯେପରି କୃଷିରଣ ଛାଡ଼ ଓ ଏମ୍‌ଏସ୍‌ପି ବୃଦ୍ଧି ଇତ୍ୟାଦି। ନବୀନଙ୍କ ଯୋଜନା କେବଳ ଯୋଜନାରେ ରହିଛି। ଯଦି ସଫଳ ହୋଇଥାନ୍ତା ୨୦ ବର୍ଷ ପରେ ବସ୍ତି ବାସିନ୍ଦା ପଟ୍ଟା ପାଇଁ କାନ୍ଦୁ ନ ଥାନ୍ତେ। ବିଜୁ ଜନତା ଦଳର ଯୋଜନା କେବଳ ନିର୍ବାଚନୀ ଧୂଆଁବାଣ ଛଡ଼ା ଅନ୍ୟ କିଛି ନୁହେଁ।

ପ୍ରଶ୍ନ: ଆପଣଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ବିଜେପିର ଜଗନ୍ନାଥ ପ୍ରଧାନ। ଏମାନଙ୍କୁ ନିର୍ବାଚନରେ ଆପଣ କିପରି ମାତ୍‌ ଦେବେ?

ଉତ୍ତର: ବୁନୁ(ଅନନ୍ତ ନାରାୟଣ ଜେନା) କ’ଣ କରିଛନ୍ତି କି? ୧୦ ବର୍ଷ ଧରି ତାଙ୍କୁ ଭୁବନେଶ୍ୱରର ମେୟର ଭାବରେ ଦାୟିତ୍ୱ ମିଳିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ସେଥିରେ ବିଫଳ ହୋଇଛନ୍ତି। ସେ ଲୋକମାନଙ୍କ ପାଖରେ ନିନ୍ଦିତ ହୋଇ ସାରିଛନ୍ତି। କୌଣସି କାର୍ଯ୍ୟ ସେ ଭୁବନେଶ୍ୱର ପାଇଁ କରିନାହାନ୍ତି। ଲୋକମାନଙ୍କ ପାଇଁ ପାଣି ସୁବିଧା କରିନାହାନ୍ତି କି ଡ୍ରେନେଜ୍‌ର ବ୍ୟବସ୍ଥେ ମଧ୍ୟ ହୋଇନି। ବଡ଼ କଥା ହେଉଛି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି। ଯାହା ବିଗତ ଦିନରେ ସମସ୍ତଙ୍କୁ ଜଣାଅଛି।
ସେହିପରି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଟ୍ଟାଳିକା ନିର୍ମାଣ କରିବାରେ ବ୍ୟସ୍ତ। ଫଳରେ ଡ୍ରେନେଜ ବ୍ୟବସ୍ଥା ପ୍ରଭାବିତ ହେଉଛି। ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ଏଣୁ ସେମାନଙ୍କ ଉପରେ ଲୋକଙ୍କ ଭରସା ନାହିଁ। ଏଣୁ ସେମାନେ ମୋ ପାଇଁ ଚ୍ୟାଲେଞ୍ଜ ନୁହେଁ ବୋଲି ଭାବୁଛି।

ପ୍ରଶ୍ନ: ଆପଣ ଭାବୁଛନ୍ତି କି ଆପଣଙ୍କ ପାଇଁ ବିଜୟ ପଥ ନିଷ୍କଟଙ୍କ ରହିବ?
ଉତ୍ତର: ଏହି ଲଢ଼େଇ ମୋର ନୁହେଁ। ମୋ ଭଳି ରାସ୍ତାରେ ବୁଲୁଥିବା ଲକ୍ଷ ଲକ୍ଷ ଯୁବକଯୁବତୀମାନଙ୍କର ଏହି ଲଢ଼େଇ। ତେଣୁ ସେମାନଙ୍କର ବିଶ୍ୱାସ ମୋ ଉପରେ ରହିଛି। ସେହି ମହିଳାମାନଙ୍କର ଲଢ଼େଇ ଯେଉଁମାନେ ଭୁବନେଶ୍ୱରରେ ଅସୁରକ୍ଷିତ ଭାବରେ ରହିଛନ୍ତି। ତେଣୁ ବିଜୟ ସୁନିଶ୍ଚିତ।

ପ୍ରଶ୍ନ: କଂଗ୍ରେସରେ ଆପଣଙ୍କର ପ୍ରେରଣା ବା ଆଦର୍ଶ କିଏ?
ଉତ୍ତର: ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ। ତେଣୁ ତାଙ୍କର ନୀତି ନିୟମକୁ ଧରି ମୁଁ ଆଗାମୀ ନିର୍ବାଚନ ଲଢ଼ିବି।

ପ୍ରଶ୍ନ: ମଧ୍ୟ ଭୁବନେଶ୍ୱରରେ ଆପଣ ଯଦି ଜିତନ୍ତି,ତେବେ କେଉଁ ସବୁ ଲୋକାଭିମୁଖୀ କାର୍ଯ୍ୟ କରିବେ?
ଉତ୍ତର: ବସ୍ତି ବାସିନ୍ଦାଙ୍କ ଘରକୁ ପାଣି ଓ ସେମାନଙ୍କୁ ଥଇଥାନ କରି ପକ୍କାଘର ଯୋଗାଇବି ଏବଂ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବି। ଏହା ସହିତ ଭୁବନେଶ୍ୱରରେ ଯେଉଁଭଳି ଭାବରେ ବାରମ୍ୱାର ମହିଳାମାନଙ୍କୁ ଅତ୍ୟାଚାର କରାଯାଉଛି, ସେମାନଙ୍କ ପାଇଁ ଲଢ଼େଇ ଜାରି ରଖିବି।

ପ୍ରଶ୍ନ: ଆପଣଙ୍କ ପରିବାରରେ ପୂର୍ବରୁ କେହି ରାଜନୀତିରେ ଥିଲେ ନା ଆପଣ ନୂଆ?
ଉତ୍ତର: ନା, ମୋ ପରିବାରରେ କେହି ରାଜନୀତିରେ ନ ଥିଲେ।

ପ୍ରଶ୍ନ: ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ଏବଂ ରାଜନୀତି ବ୍ୟତୀତ ଆପଣ ଆଉ କଣ କରନ୍ତି?

ଉତ୍ତର: ମୁଁ ଖୋର୍ଦ୍ଧା ପ୍ରାଣନାଥ କଲେଜରୁ ଗ୍ରାଜୁଏସନ କରିଛି ଏବଂ କାପିଟାଲ ଲ’ କଲେଜରେ ଲ’ କରିବା ସହିତ ବାଣୀବିହାରରେ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଛି। ମୁଁ କେବଳ ରାଜନୀତି କରେ।



from Odisha Reporter http://bit.ly/2GaaB6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages