
ୱାୟନାଡ଼: ପ୍ରଥମଥର ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେରଳର ୱାୟନାଡ଼ରେ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି। ଆମେଠି ସହ ରାହୁଲ ଏହି ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ଆଜି ୱାୟନାଡ଼୍ରେ ରାହୁଲ ପ୍ରଚାର କରିବା ପୂର୍ବରୁ ଏକ ଭିନ୍ନ ଅବତାରରେ ସର୍ବସମ୍ମୁଖକୁ ଆସିଥିଲେ। ସେ ଏକ ଧୋତି ଓ ଅଙ୍ଗବସ୍ତ୍ର ପରିଧାନ କରି କେରଳର ପ୍ରସିଦ୍ଧ ଥିରୁନେଲ୍ଲି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଅସ୍ଥି ବିସର୍ଜନ ବା ସମାଧି ଦିଆଯାଇଥିବା ସ୍ଥାନରେ ମଧ୍ୟ ରାହୁଲ ବିଭିନ୍ନ ନୀତିକର୍ମ କରିଥିଲେ।
୧୯୯୧ରେ ରାଜୀବ ଗାନ୍ଧିଙ୍କ ଅସ୍ଥିକୁ ଏଠାକୁ ଅଣାଯାଇ ପାପନାଶିନୀ ଝରଣାରେ ବିସର୍ଜନ କରାଯାଇଥିଲା। ଏହି ଝରଣାଟି ପ୍ରସିଦ୍ଧ ବିଷ୍ଣୁ ମନ୍ଦିର ସହ ସଂଲଗ୍ନ ହୋଇଛି। ଏଠାରେ ସେ ରାଜୀବ ଗାନ୍ଧିଙ୍କ ସମେତ ଇନ୍ଦିରା ଗାନ୍ଧି ଓ ଅନ୍ୟାନ୍ୟ ପରିବାର ସଦସ୍ୟ ଏବଂ ପୁଲୱାମା ସହିଦମାନଙ୍କ ପାଇଁ ପୂଜାର୍ଚ୍ଚନା କରିଥିଲେ।
ସେ ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପୂଜକ ଏବଂ ଅନ୍ୟ ସଦସ୍ୟମାନଙ୍କ ସହ ୭୦୦ ମିଟର ଚାଲି ଚାଲି ଯାଇ ଅସ୍ଥି ବିସର୍ଜନ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ। ୧୯୯୧ ମସିହା ମେ’ ୩୦ରେ ଗାନ୍ଧି ପରିବାର ସଦସ୍ୟଙ୍କ ଅସ୍ଥି ବିସର୍ଜନ ହୋଇଥିଲା। ପୂର୍ବରୁ ମଧ୍ୟ ରାହୁଲ ଏଠାକୁ ଆସିଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ପାପନାଶିନୀ ଝରଣା ପାଖକୁ ଯାଇ ପାରି ନଥିଲେ।
from Odisha Reporter http://bit.ly/2PeIZ4f
No comments:
Post a Comment